ଓବିସି ଲଢ଼େଇ, ଧର୍ମେନ୍ଦ୍ରଙ୍କ ବାଣରେ କଂଗ୍ରେସ-ରାହୁଲ ଘାଇଲା

ନୂଆଦିଲ୍ଲୀ:  ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗରେ କାମ ଦେଲାନି ହତାଶିଆ ରାହୁଲଙ୍କ ପ୍ରଳାପ। କଂଗ୍ରେସ ଯୁବରାଜଙ୍କୁ ଧୋଇଦେଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନ। ସବୁବେଳେ OBC ଭୋଟରଙ୍କୁ ନିଶାନା କରି ବିଜେପିକୁ ଆଙ୍ଗୁଳି ଦେଖାଉଥିବା ରାହୁଲଙ୍କ ଓବିସି ମିଛ ରାଜନୀତିର ପର୍ଦ୍ଦାଫାସ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନାମ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଆକ୍ରମଣ ଓ ପ୍ରତିଆକ୍ରମଣରେ କଂଗ୍ରେସ ମିଛ ପଦାରେ ପଡିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସବୁବେଳେ ମିଛର ରାଜନୀତି କରୁଛନ୍ତି ବୋଲି କହି ବର୍ଷିଛନ୍ତି ଧର୍ମେନ୍ଦ୍ର।

ଓବିସି ରାଜନୀତି: ବର୍ତ୍ତମାନ ଭାରତରେ ଜୋରଦାର ହେଉଛି ଓବିସି ଓ ଜାତିଗତ ରାଜନୀତି। ଶାସକ ଦଳ ବିଜେପି ହେଉ କିମ୍ବା ବିରୋଧୀ ଦଳ କଂଗ୍ରେସ, ଉଭୟ ଓବିସି ଭୋଟରମାନଙ୍କୁ ନିଜ ସପକ୍ଷରେ କରିବା ପାଇଁ ଜୋରଦାର ପ୍ରୟାସ ଚଲାଇଛନ୍ତି।

ବିଶେଷ କରି କଂଗ୍ରେସ ସବୁବେଳେ ଓବିସିକୁ ଅସ୍ତ୍ର କରି ବିଜେପି ଉପରେ ଆକ୍ରମଣ କରିଥାଏ। କଂଗ୍ରେସର ରାହୁଲ ଗାନ୍ଧୀ ଏବେ କହିବା ଆରମ୍ଭ କରିଛନ୍ତି, ଓବିସି ସମ୍ପ୍ରଦାୟ ହେଉଛି ଦେଶର ପ୍ରକୃତ ଶକ୍ତି। କିନ୍ତୁ, ସେମାନେ ସେମାନଙ୍କର ଶକ୍ତି ବିଷୟରେ ସଚେତନ ନୁହଁନ୍ତି।

ରାହୁଲଙ୍କ ମତରେ, ପଛୁଆ ସମ୍ପ୍ରଦାୟର ଲୋକମାନେ ଦେଶ ପାଇଁ ବହୁତ କାମ କରନ୍ତି, କିନ୍ତୁ ସରକାର ସେମାନଙ୍କୁ ସେମାନଙ୍କର ଅଧିକାର ଦେଉନାହାଁନ୍ତି। ହେଲେ କଂଗ୍ରେସ ସେମାନଙ୍କ ପାଇଁ ଲଢ଼ିବ।

ଏପରିକି ପୂର୍ବ ସାଧାରଣ ନିର୍ବାଚନରେ ମଧ୍ୟ କଂଗ୍ରେସ ଓବିସିକୁ ଅସ୍ତ୍ର କରିଥିଲା। ଏବଂ ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ, ତେବେ ସେ ଜାତିଗତ ଜନଗଣନା କରିବେ, ସଂରକ୍ଷଣର ୫୦ ପ୍ରତିଶତ ସୀମା ହଟାଇବେ ଏବଂ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ସଂରକ୍ଷଣ ଲାଗୁ କରିବେ।

ହେଲେ ରାହୁଲଙ୍କ ଏହି କଥାର କଡ଼ା ଜବାବ ଦେଇଛନ୍ତି ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଧର୍ମେନ୍ଦ୍ର କହିଛନ୍ତି ଯେ ରାହୁଲ ଗାନ୍ଧୀ ସବୁବେଳେ ମିଛର ରାଜନୀତି କରନ୍ତି।

ରାହୁଲ ବନାମ ଧର୍ମେନ୍ଦ୍ର: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ଖାଲି ଅଧ୍ୟାପକ ପଦବୀ ସଂରକ୍ଷଣ ରଖିବା ଉପରେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ।

ଆଉ ରାହୁଲଙ୍କ ଏହି କଥାର କଡ଼ା ଜବାବ ଦେଇଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି ରାହୁଲଙ୍କୁ ରାଜନୀତି କରି ଆସେନି। ସେଥିପାଇଁ ସବୁବେଳେ ମିଛର ସାହାରା ନିଅନ୍ତି। ଆଉ ମିଛ ରାଜନୀତି କରନ୍ତି। କେବଳ ଭୋଟରଙ୍କୁ ଭୂଆଁ ବୁଲାଇବା ପାଇଁ ଓବିସିଙ୍କ ନାଁରେ କୁମ୍ଭୀର କାନ୍ଦଣା କାନ୍ଦନ୍ତି।

ଗରିବଙ୍କ ବିରୁଦ୍ଧରେ ରାଜନୀତି: କେବଳ ସେତିକି ନୁହେଁ ରାହୁଲଙ୍କ କଥାର ଜବାବ ଦେବାକୁ ଯାଇ ଧର୍ମେନ୍ଦ୍ର କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। କହିଛନ୍ତି, ଯେଉଁମାନେ ଦେଶର ସାଧାରଣ ଲୋକ ଏବଂ ଗରିବଙ୍କ ବିରୁଦ୍ଧରେ ରାଜନୀତି କରୁଛନ୍ତି, ସେମାନଙ୍କ ମନରେ ବିଷ ଭରି ହୋଇ ରହିଛି।

“ସେମାନଙ୍କ ଆଖିକୁ ସେଥିପାଇଁ ଚାରିଆଡ଼ ବିଷ ଭଳି ମନେ ହେଉଛି। ଆଉ ସେମାନେ ପୁରା ଦେଶରେ ବିଷ ଭରୁଛନ୍ତି। ଭଗବାନ କଂଗ୍ରେସ ଦଳକୁ ଟିକେ ବୁଦ୍ଧି ଦିଅନ୍ତୁ”।

ରାହୁଲ ଗାନ୍ଧୀ ସବୁବେଳେ ମିଛର ରାଜନୀତି କରିଛନ୍ତି। ସେ ଏବଂ ତାଙ୍କ ଦଳ ନିରନ୍ତର ଗରିବ, ଦଳିତ ଏବଂ ସମାଜର ଅବହେଳିତ ବର୍ଗଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଉଛନ୍ତି, ଏକଥା ବି ଯୋଡିଛନ୍ତି ଧର୍ମେନ୍ଦ୍ର।

ଅଧିକ ସଂଖ୍ୟକ ଓବିସି ଚାକିରି ପାଉଛନ୍ତି: କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ,  କଂଗ୍ରେସ ଶାସନ ସମୟରେ ଓବିସି ପ୍ରାର୍ଥୀମାନଙ୍କୁ ‘ଉପଯୁକ୍ତ ନୁହେଁ’ କହି ପ୍ରାୟତଃ ସାଧାରଣ ବର୍ଗର ପ୍ରାର୍ଥୀମାନଙ୍କୁ ପ୍ରାଧାନ୍ୟ ଦିଆଯାଉଥିଲା। ତେଣୁ ଚାକିରି ଓ ଆଡମିସନ୍ ବେଳେ ଓବିସିମାନେ ପଛରେ ପଡିଯାଉଥିଲେ।

ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ସରକାର ବିଭିନ୍ନ ପଦବୀ ସଂଖ୍ୟା ବୃଦ୍ଧି କରିଛନ୍ତି। ପୂର୍ବ ଅପେକ୍ଷା ଅଧିକ ସଂଖ୍ୟକ ଓବିସି ପ୍ରାର୍ଥୀ ଚାକିରି ପାଉଛନ୍ତି। ହେଲେ କଂଗ୍ରେସ ଭୋଟ ବିକଳରେ ତାଟିଆ କାମୁଡୁଛି। କୌଣସି ମୁଦ୍ଦା ନପାଇ ଓବିସିଙ୍କୁ ନେଇ ହୀନ ରାଜନୀତି କରୁଛି। ଯାହାର କୌଣସି ଯଥାର୍ଥ ନାହିଁ।

ରାହୁଲଙ୍କ ଓବିସି ଅଭିଯୋଗର ଧର୍ମେନ୍ଦ୍ର ଯେଉଁଭଳି କଡା ଜବାବ ଦେଇଛନ୍ତି ତାହା କଂଗ୍ରେସକୁ କିଛି ମାତ୍ରାରେ ଚୁପ କରାଇଦେଇଛି। କିନ୍ତୁ ଲାଗୁଛି  ଆଗାମୀ ସମୟରେ ଓବିସିଙ୍କୁ ନେଇ ଏହି ରାଜନୈତିକ ଲଢ଼େଇ ଆହୁରି ଘମାସାନ ହେବ। ହେଲେ ବର୍ତ୍ତମାନ ପାଇଁ ଧର୍ମେନ୍ଦ୍ରଙ୍କ ବାକ୍ୟବାଣ ନିଶ୍ଚିତ କଂଗ୍ରେସ ଓ ରାହୁଲଙ୍କୁ ଘାଇଲା କରିଛି।