fbpx

ଓଡ଼ିଆ ଅଭିନେତା ବିରାଜ ଦାଶଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଅଭିନେତା ବିରାଜ ଦାଶଙ୍କ ପରଲୋକ । ଦୀର୍ଘ ୪ ମାସ ଧରି ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଲଙ୍ଗ୍‌ସ କ୍ୟାନସରରେ ପୀଡ଼ିତ ଥିଲେ ବିରାଜ ଦାଶ । ସିନେମା, ଟେଲିଭିଜନ ଓ ମଞ୍ଚର ଜଣାଶୁଣା ଅଭିନେତା ବିରାଜ ଦାଶଙ୍କର ଗତକାଲି ରାତି ୯ଟାରେ ଦେହାନ୍ତ ହୋଇଛି । କଟକର ଏକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା।

ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ବିନିତା ତ୍ରିପାଠୀ, ବଡ଼ପୁଅ ଆରିୟା ଦାଶ, ସାନପୁଅ ଅର୍ଣ୍ଣବ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ତାଙ୍କୁ ନିଜ ଘର ଚନ୍ଦ୍ରଶେଖରପୁରସ୍ଥିତ ବାସଭବନକୁ ନିଆଯିବ ଓ ଆସନ୍ତାକାଲି ସତ୍ୟନଗର ଶ୍ମଶାନରେ ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ କରାଯିବ।

ସୂଚନାଯୋଗ୍ୟ, ବିରାଜ ଦାଶ ଦୂରଦର୍ଶନର ବହୁ ଧାରାବାହିକରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକ ମହଲରେ ବେଶ ଲୋକପ୍ରିୟତା ସାଉଁଟିଥିଲେ। ଏଥି ସହ ସେ ଓଡ଼ିଆ ଚଳଚ୍ଚିତ୍ର ‘ଯା ଦେବୀ ସର୍ବଭୂତେଷୁ, ବଗୁଲାବଗୁଲି, ତମସାତୀରେ, ମା’ ପରି କିଏ ହେବ ଓ ‌ଗୋଲାମଗିରି’ରେ ଅଭିନୟ କରିଥିଲେ। ସେହିପରି ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ‘ଆକାଶ କୟାଁ ଚିଲିକା ମାଛ, ସୁନା କାଇଁଚ ଓ ମୂଲିଆ’ରେ ଅଭିନୟ କରିଥିଲେ। ବଙ୍ଗଳା ଚଳଚ୍ଚିତ୍ର ‘ନ୍ୟାୟଚକ୍ର’ରେ ମଧ୍ୟ ତାଙ୍କର ଅଭିନୟ ଦେଖିବାକୁ ମିଳିଥିଲା। ଓଟିଟି ପ୍ଲାଟଫର୍ମ ‘କଞ୍ଚାଲଙ୍କା’ ପାଇଁ ନିର୍ମିତ ୱେବ୍‌ ସିରିଜ୍‌ ‘ଧଉଳି ଏକ୍ସପ୍ରେସ୍‌’ରେ ମଧ୍ୟ ସେ ଅଭିନୟ କରିଥିଲେ।

Get real time updates directly on you device, subscribe now.