ଭାରତୀୟ କ୍ରିକେଟରେ ହେବ ବଡ଼ ପରିବର୍ତ୍ତନ, ଟିମ୍ ଇଣ୍ଡିଆର ଚୟନ କମିଟିରେ ଯୋଗ ଦେବେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା!
ବିସିସିଆଇ ଚୟନକର୍ତ୍ତା ପ୍ୟାନେଲରେ ସାମିଲ ହେବାକୁ ଯାଉଛନ୍ତି ପ୍ରଜ୍ଞାନ ଓଝା।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଟିମ୍ ଇଣ୍ଡିଆର ଚୟନ କମିଟିରେ ଖୁବ ଶୀଘ୍ର ଯୋଗ ଦେବାକୁ ଯାଉଛନ୍ତି ପ୍ରଜ୍ଞାନ ଓଝା। ହଁ ଆଜ୍ଞା ଜାତୀୟ ଚୟନକର୍ତ୍ତା ଦୌଡରେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା!
ବିସିସିଆଇ ଚୟନକର୍ତ୍ତା ପ୍ୟାନେଲରେ ସାମିଲ ହେବାକୁ ଯାଉଛନ୍ତି ପ୍ରଜ୍ଞାନ ଓଝା। ଶିବସୁନ୍ଦର ଦାସଙ୍କ ପରେ ଦ୍ୱିତୀୟ ଓଡ଼ିଆ ଚୟନ କର୍ତ୍ତା ହେବେ ପ୍ରଜ୍ଞାନ। କ୍ରିକେଟ୍ ପରାମର୍ଶଦାତା କମିଟି ବୋର୍ଡର ଏଜିଏମ୍ ପୂର୍ବରୁ ପ୍ରଜ୍ଞାନ ଓ ଆରପି ସିଂଙ୍କ ନାମକୁ ଅନୁମୋଦନ କରିପାରେ।
କାରଣ ଟେଷ୍ଟରେ ବେଷ୍ଟ ଥିଲେ ପ୍ରଜ୍ଞାନ। ୧୪୪ଟି ଅନ୍ତର୍ଜାତୀୟ ଓ୍ୱିକେଟ୍ ମଧ୍ୟରୁ ୧୧୩ଟି ରେଡ୍-ବଲ୍ ଫର୍ମାଟରେ ଆସିଛି। ଶେଷ ଅନ୍ତର୍ଜାତୀୟ ମ୍ୟାଚରେ ୧୦ଟି ଓ୍ୱିକେଟ୍ ନେଇଥିଲେ ପ୍ରଜ୍ଞାନ।
ପ୍ରଜ୍ଞାନଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍(ଟେଷ୍ଟ) ସଚିନ ତେନ୍ଦୁଲକରଙ୍କର ମଧ୍ୟ ଶେଷ ଟେଷ୍ଟ ଥିଲା। ଘରୋଇ ଦଳ ଭାବେ ପ୍ରଜ୍ଞାନ ହାଇଦ୍ରାବାଦ, ବେଙ୍ଗଲ ଓ ବିହାର ପାଇଁ ମଧ୍ୟ ଖେଳିଛନ୍ତି।
ଯଦି ଦେଖିବା ଅଜିତ ଆଗରକର ବର୍ତ୍ତମାନ ଦଳର ଚୟନ କମିଟିର ଅଧ୍ୟକ୍ଷ ଅଛନ୍ତି। ଚୟନ କମିଟିର ସଦସ୍ୟ ଥିବା ଏସ୍. ଶରତ ଏବଂ ସୁବ୍ରୋତୋ ବାନାର୍ଜୀଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ଏହି ଦୁଇ ପୂର୍ବତନ ଖେଳାଳି ଆରପି ସିଂହ ଏବଂ ପ୍ରଜ୍ଞାନ ଓଝାଙ୍କୁ ସାମିଲ କରାଯିବ।
ଆରପି ସିଂହ ସେଣ୍ଟ୍ରାଲ ଜୋନ୍ ରୁ ଆବେଦନ କରିଛନ୍ତି:
୨୦୦୭ ମସିହାରେ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଜିତିବା ସମୟରେ, ଆରପି ସିଂହ ସେହି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ।
ଆରପି ସିଂହଙ୍କୁ ଭାରତୀୟ କ୍ରିକେଟର ସର୍ବୋତ୍ତମ ବାମହାତୀ ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ଉତ୍ତର ପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳିଛନ୍ତି।
ଆରପି ସିଂହ ସେଣ୍ଟ୍ରାଲ ଜୋନ୍ ପକ୍ଷରୁ ଟିମ୍ ଇଣ୍ଡିଆର ଚୟନ ପ୍ୟାନେଲରେ ସାମିଲ ହେବା ପାଇଁ ଆବେଦନ କରିଛନ୍ତି। ବିସିସିଆଇର ଏକ ସୂତ୍ରରୁ ସୂଚନା ମିଳିଛି ଯେ ଆବେଦନ କରିବାକୁ କୁହାଯାଇଥିବା ନାମ ମଧ୍ୟରୁ ଆରପି ସିଂହ ଏବଂ ପ୍ରଜ୍ଞାନ ଓଝା ହେଉଛନ୍ତି ଦୁଇଟି ଏବଂ କ୍ରିକେଟ ପରାମର୍ଶଦାତା କମିଟି ବିସିସିଆଇର ଆଗାମୀ ବାର୍ଷିକ ସାଧାରଣ ସଭା ପୂର୍ବରୁ ଉଭୟଙ୍କ ନାମ ଚୂଡ଼ାନ୍ତ କରିବ।
ଆରପି ସିଂହ ୨୦୧୬-୧୭ ଘରୋଇ ସିଜିନରେ ମଧ୍ୟ ଗୁଜରାଟ ପାଇଁ ଖେଳିଥିଲେ। ଯେତେବେଳେ ଦଳ ପାର୍ଥିବ ପଟେଲଙ୍କ ଅଧିନାୟକତ୍ୱରେ ରଣଜୀ ଟ୍ରଫି ଜିତିଥିଲା।
ଆରପି ସିଂହଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ, ସେ ଅନ୍ତର୍ଜାତୀୟ କ୍ରିକେଟରେ ୧୪ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସେହିପରି ୫୮ଟି ଦିନିକିଆ ଏବଂ ୧୦ଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି।
ଆରପି ସିଂହ ୧୪ଟି ଟେଷ୍ଟ ମ୍ୟାଚ୍ରେ ୪୨.୦୫ ହାରରେ ୪୦ଟି ୱିକେଟ୍ ଏବଂ ୫୮ଟି ଦିନିକିଆରେ ୩୩.୯୬ ହାରରେ ୬୯ଟି ୱିକେଟ୍ ନେଇଛନ୍ତି।
ଆରପି ସିଂହ ୧୦ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ୧୫ଟି ୱିକେଟ୍ ନେଇଛନ୍ତି। ଏହା ବ୍ୟତୀତ ଆରପି ସିଂହଙ୍କ ବୋଲିଂ ଦକ୍ଷତା ଆଇପିଏଲରେ ଦେଖାଯାଇଛି, ଯେଉଁଠାରେ ସେ ୮୨ଟି ମ୍ୟାଚ୍ରେ ୯୦ଟି ୱିକେଟ୍ ନେଇଛନ୍ତି।
ସାଉଥ୍ ଜୋନ୍ ରୁ ପ୍ରଜ୍ଞାନ ଓଝା ଆବେଦନ କରିଛନ୍ତି:
ସାଉଥ୍ ଜୋନ୍ ରେ ଖାଲି ପଦବୀ ପୂରଣ ପାଇଁ ପ୍ରଜ୍ଞାନ ଓଝା ଚୟନ କମିଟିରେ ଯୋଗଦେବା ପାଇଁ ଆବେଦନ କରିଛନ୍ତି। ପ୍ରଜ୍ଞାନ ଓଝା ଏକଦା ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆର ପ୍ରମୁଖ ସ୍ପିନ୍ ବୋଲରମାନଙ୍କ ମଧ୍ୟରୁ ଜଣେ ଥିଲେ।
ସେ ୪୮ ଟି ଅନ୍ତର୍ଜାତୀୟ ମ୍ୟାଚ୍ ରେ ୧୪୪ଟି ୱିକେଟ୍ ନେଇଥିଲେ। ଘରୋଇ କ୍ରିକେଟରେ, ଓଝା ଅଧିକାଂଶ ହାଇଦ୍ରାବାଦ ପାଇଁ ଖେଳିଥିଲେ। ସେ ବଙ୍ଗଳା ଏବଂ ବିହାରର ପ୍ରତିନିଧିତ୍ୱ ମଧ୍ୟ କରିଥିଲେ।