fbpx
BJD SKY
BJD SKY

ଓଲିଉଡ୍ ପାଇଁ ଖୁସିର ମୁହୂର୍ତ୍ତ: ଅଷ୍ଟ୍ରେଲିଆରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ‘ଫାଲଗୁନ୍ ଚୈତ୍ର’

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଆଗକୁ ବଢ଼ିବାରେ ଲାଗିଛି । ଓଲିଉଡର କାହାଣୀକୁ ଦେଶ ବିଦେଶର ଦର୍ଶକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଓଡ଼ିଆ ଫିଲ୍ମ ‘ଦମନ’ ଦେଶର ୫୦୦ଟି ହଲରେ ରିଲିଜ ହୋଇ ଏକ ରେକର୍ଡ ସୃଷ୍ଟି କରିଥିଲା । ବାବୁସାନ ମହାନ୍ତିଙ୍କ ଅଭିନୀତ ଏହି ଫିଲ୍ମ ହିନ୍ଦି ଭାଷାରେ ମଧ୍ୟ ଡବିଂ ହୋଇଥିଲା । ଜଣେ ଯୁବକ ଡାକ୍ତରଙ୍କ ସଂଘର୍ଷମୟ କାହାଣୀକୁ ନେଇ ଫିଲ୍ମ ‘ଦମନ’ ନିର୍ମାଣ କରାଯାଇଥିଲା ।

ତେବେ ଏହା ମଧ୍ୟରେ ଉଲିଉଡ ପାଇଁ ପୁଣି ଆସିଛି ଏକ ବଡ଼ ଖବର । ଆସନ୍ତା ମାସ ୧୨ ତାରିଖରେ ଓଡ଼ିଆ ଫିଲ୍ମ ‘ଫାଲଗୁନ ଚୈତ୍ର’ ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଫେରିବ । ତେବେ ଖୁସିର କଥା ଏଇଆ ଯେ, ରାଜ୍ୟରେ ଫିଲ୍ମ ରିଲିଜ୍ ହେବାର ପରଦିନ ଅର୍ଥାତ ମେ ୧୩ରେ ଏହା ଅଷ୍ଟ୍ରେଲିଆରେ ରିଲିଜ୍ ହେବ । ସେଠାରେ ୩ଟି ହଲରେ ଫିଲ୍ମ ରିଲିଜ୍ ହେବ ବୋଲି ଜଣାପଡ଼ିଛି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ, ଭାସ୍ୱତୀ ବସୁ, ସୁକାନ୍ତ ରଥ, ପାର୍ଥସାରୀ ରାୟ, ବି.ଏମ. ବୈଶାଳୀ ଓ ଅନନ୍ୟା ମିଶ୍ର ଆଦି କଳାକଳାରମାନେ ଅଭିନୟ କରିଛନ୍ତି ।

ପିନାକୀ ସିଂହ ଓ ଶିଶିର କୁମାର ସାହୁ ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିବା ବେଳେ ଶକ୍ତି ଜଗଦ୍ଦେବ ପ୍ରଯୋଜନା କରିଛନ୍ତି । ଆଦ୍ୟା ଜଗଦ୍ଦେଶବ ଓ ବାବୁସାନ ଫିଲ୍ମସ ବ୍ୟାନରରେ ଚଳଚ୍ଚିତ୍ରକୁ ନିର୍ମାଣ କରାଯାଇଛି । ତେବେ ଏହି ଫିଲ୍ମ ଅଷ୍ଟ୍ରେଲିଆର ବିଭିନ୍ନ ହଲରେ ରିଲିଜ୍ ହେବା ଫଳରେ ପ୍ରବାସୀ ଓଡ଼ିଆମାନେ ସେଠାରେ ନିଜ ଜନ୍ମଭାଷାର ଫିଲ୍ମକୁ ଦେଖିବାର ସୁଯୋଗ ପାଇ ପାରିବେ । ଏହା ମଧ୍ୟରେ ଫିଲ୍ମର ଟିଜର, ଟ୍ରେଲର ଓ ୩ଟି ଗୀତ ରିଲିଜ ହୋଇଥିବା ବେଳେ ଦର୍ଶକ ତାହାକୁ ବେଶ୍ ଭଲପାଇବା ଦେଇଛନ୍ତି । ଫିଲ୍ମଟି ଆଗକୁ ବେଶ୍ ସଫଳତା ଅର୍ଜନ କରିବ ବୋଲି ସମସ୍ତେ ଆଶାବାଦୀ ରହିଛନ୍ତି ।

Get real time updates directly on you device, subscribe now.