fbpx

Odisha Civil Service-2020 ପରୀକ୍ଷା ଫଳ ପ୍ରକାଶ: ତେଜସ୍ୱିନୀ ଟପ୍ପର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ୨୦୨୦ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ମୋଟ ୩୯୨ ଜଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୪୮ ଜଣ ଛାତ୍ରୀ ରହିଛନ୍ତି । ତେଜସ୍ୱିନୀ ବେହେରା ଓସିଏସ-୨୦୨୦ ପରୀକ୍ଷାରେ ଟପ୍ପର ହୋଇଛନ୍ତି । ପ୍ରଥମ ୩ଟି ସ୍ଥାନରେ ଛାତ୍ରୀ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେଷ୍ଣା ଦାଶ ଓ ତୃତୀୟ ସ୍ଥାନରେ ଅନନ୍ୟା ସୃଷ୍ଟି ଶତପଥୀ ରହିଛନ୍ତି ।

ସେହିପରି ଦେବବ୍ରତ କର ଚତୁର୍ଥ, ଦେବବ୍ରତ ମହାରଣା ପଞ୍ଚମ, ଅଭିସ୍ମିତା ତେୱରି ଷଷ୍ଠ, ଶୁଭଶ୍ରୀ ରଥ ସପ୍ତମ, ଶ୍ରୀତପା ମିଶ୍ର ଅଷ୍ଟମ, ବିବେକାନନ୍ଦ ଷଡ଼ଙ୍ଗୀ ନବମ ଓ ତପତି ରାଜ ଦଶମ ସ୍ଥାନରେ ରହିଛନ୍ତି । ଓସିଏସ-୨୦୨୦ର ସାକ୍ଷାତକାର ପରୀକ୍ଷା ଗତ ମାସ ୧୯ ଓ ୩୦ ତାରିଖରେ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ସେମାନଙ୍କର ରେଜଲ୍ଟ ଚେକ୍ କରିପାରିବେ ।

ପୂର୍ବରୁ ଓସିଏସ-୨୦୨୦ ମେନ୍ ପରୀକ୍ଷାରେ ୭୮୫ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିଲେ । ସେମାନଙ୍କ ମଧ୍ୟରେ ୨୮୭ ଜଣ ମହିଳା ପ୍ରାର୍ଥୀ ରହିଥିଲେ । ନିକଟରେ ଓସିଏସ ପରୀକ୍ଷାକୁ ନେଇ ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଣିକି ସାକ୍ଷାତକାରକୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା ହେବ । ୟୁପିଏସସି ଭଳି ଓସିଏସରେ ପ୍ରାର୍ଥୀଙ୍କ ପାଇଁ ଗୋଟିଏ ଅପସନାଲ ବ୍ୟବସ୍ଥା ରହିବ । ଏଥିସହିତ ପରୀକ୍ଷାର୍ଥୀ ଇଂରାଜୀ କିମ୍ବା ଓଡ଼ିଆରେ ଗୋଟିଏ ପ୍ରବନ୍ଧ ଲେଖିପାରିବେ ।

ରେଜଲ୍ଟ ଲିଙ୍କ: https://www.opsc.gov.in/Public/Pages/View_Content.aspx?id=8ucZZ0qxTEidPUFJsbJ1Eg==

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.opsc.gov.in/

Get real time updates directly on you device, subscribe now.