fbpx

‘ସବୁ ଜୀବନ ମୂଲ୍ୟବାନ’, ମୁଖ୍ୟମନ୍ତ୍ରୀ ଆଉ କଣ କହିଲେ ଜାଣନ୍ତୁ…

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମହାମାରୀର ପ୍ରଭାବ ସତ୍ତେ୍ୱ ଓଡ଼ିଶା ବିଭିନ୍ନ ବିପର୍ଯ୍ୟୟର ଉତ୍ତମ ମୁକାବିଲା କରି ବିଶ୍ୱସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି । ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ଏହାସହିତ ସରକାରଙ୍କ ସବୁ ବିଭାଗ ସମନ୍ୱିତ ଭାବେ କାମ କରିବାର ଆଭିମୁଖ୍ୟ ନେଇ (Whole of Government Approach) ଆମର ବିପର୍ଯ୍ୟୟ ପରିଚାଳନା ନୀତି କାର୍ଯ୍ୟକାରୀ କରାଯାଉଛି। ଏହାଦ୍ୱାରା ସବୁଠାରୁ ଭଲ ପଦକ୍ଷେପ ନିଆଯାଇ ବିପର୍ଯ୍ୟୟର ପ୍ରଭାବକୁ କମ୍ କରାଯାଇପାରିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିବା ଅବସରରେ ଉପରୋକ୍ତ ମତ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ଓଡ଼ିଶା ହେଉଛି ଆମ ଦେଶରେ ସବୁଠାରୁ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ମଧ୍ୟରେ ଅନ୍ୟତମ । ବନ୍ୟା, ବାତ୍ୟା, ମରୁଡ଼ି ଆଦି ବିଭିନ୍ନ ବିପର୍ଯ୍ୟୟ ଆମେ ନିୟମିତ ଭାବରେ ସାମ୍ନା କରିଆସୁଛୁ । ଜଳବାୟୁ ପରିବର୍ତ୍ତନ ଯୋଗୁ ବିପର୍ଯ୍ୟୟର ତୀବ୍ରତା ବଢ଼ିବା ସହିତ ଅଧିକ ସଂଖ୍ୟକ ବିପର୍ଯ୍ୟୟ ଦେଖାଦେଉଛି । ୨୦୨୦-୨୧ରେ ଆମ ରାଜ୍ୟ ମହାବାତ୍ୟା ଅମ୍ଫନ ଓ ବାତ୍ୟା ୟାଶ୍ର ସାମ୍ନା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ପ୍ରତିକାର ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛୁ ବୋଲି ସେ ପ୍ରକାଶ କରିଛନ୍ତି ।

ପ୍ରାକ୍ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାର୍ଯ୍ୟକ୍ରମ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ପ୍ରାଣୀସେବା ଆଦି ସମସ୍ତ ବ୍ୟବସ୍ଥା ଠିକ୍ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ । ଓଡ୍ରାଫ ଓ ଅଗ୍ନିସେବା ୟୁନିଟ ଗୁଡ଼ିକ ତୁରନ୍ତ ପଦକ୍ଷେପ ନେବାପାଇଁ ସତର୍କ ହୋଇ ରହିବା ଜରୁରୀ । ବିପଦସଂକୁଳ ଓ ଅଗମ୍ୟ ଅଞ୍ଚଳରେ ଆବଶ୍ୟକ ଖାଦ୍ୟ ପଦାର୍ଥ ଏବଂ ଗୋ-ଖାଦ୍ୟ ମହଜୁଦ କରି ରଖିବା ଜରୁରୀ । ବିପର୍ଯ୍ୟୟ ସମୟରେ ସବୁଜ ଗୋଖାଦ୍ୟର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦେବା ସହିତ ପ୍ରାଣୀସେବା କ୍ୟାମ୍ପ ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି ସବୁ ଜିଲ୍ଲା ଓ ସମ୍ପୃକ୍ତ ବିଭାଗ ଗୁଡିକରେ କଣ୍ଟ୍ରୋଲ ରୁମ୍ ଗୁଡିକ ୨୪ ଘଣ୍ଟା ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଆଲୋଚନାରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ନରସିଂହ ମିଶ୍ର, ବିଧାୟକ ଜୟନ୍ତ ଷଡଙ୍ଗୀ, ବିଧାୟକ ପ୍ରତାପ କେଶରୀ ଦେଓ, ବିଧାୟକ ଅନନ୍ତ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିବାବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରାକ୍ ସୂଚନା ଦେଇଥିଲେ । ସ୍ୱତନ୍ତ୍ର ରିଲିଫ କମିଶନର ପିକେ ଜେନା ଧନ୍ୟବାଦ ଦେଇଥିଲେ ।

 

Get real time updates directly on you device, subscribe now.