fbpx

ଓଡ଼ିଶାରେ ୪୩,୦୦୦ ଛାତ୍ରଛାତ୍ରୀ ଛାଡ଼ିଲେ ଦଶମ ଶ୍ରେଣୀ ପରୀକ୍ଷା: ସରକାର ବି ଆଶ୍ଚର୍ଯ୍ୟ, ତଦନ୍ତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୪୩,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଛାଡ଼ି ଯିବାକୁ ନେଇ ସରକାର ବି ଆଶ୍ଚର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ୪୩,୪୮୯ ଜଣ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିର ତଦନ୍ତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

୫.୭୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ଭରିଥିବା ବେଳେ ସେଥିରୁ କେବଳ ୫.୩ ଲକ୍ଷ ଛାତ୍ରଛାତ୍ରୀ ପ୍ରକୃତରେ ଉପସ୍ଥିତ ଥିଲେ, ଯାହାର ସୂଚନା ମିଳିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲା ।

ବିଦ୍ୟାଳୟ ଓ ଜନଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବା ଡିଇଓଙ୍କୁ ଏକ ଚିଠି ଲେଖି ନିଜ ନିଜ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିକୁ ଯାଞ୍ଚ କରିବାକୁ କହିଛନ୍ତି । ମୟୂରଭଞ୍ଜ, ଗଞ୍ଜାମ ଏବଂ ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ଅନୁପସ୍ଥିତ ଥିବା ଜଣାପଡିଛି ।

ରିପୋର୍ଟ ଅନୁସାରେ, ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ଦ୍ୱାରା ପରିଚାଳିତ ଏଚଏସସି ପରୀକ୍ଷା ଏପ୍ରିଲ୍ ୩୦ ରୁ ଆରମ୍ଭ ହୋଇଥିଲା । ରାଜ୍ୟର ୩,୫୪୦ କେନ୍ଦ୍ରରେ ପରୀକ୍ଷା ଆୟୋଜିତ କରାଯାଇଥିଲା । ୨୦୨୧ ମସିହାରେ କେବଳ ୪,୪୧୨ ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ ।

ଅନ୍ୟପଟେ ଏହି ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, କୋଭିଡ କାରଣରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅତି ଖରାପ ରହିଥିଲା । ପ୍ରସ୍ତୁତି ଅଭାବରୁ ସେମାନେ ପରୀକ୍ଷାରୁ ଓହରି ଯାଇଥିବେ ।’ ଚଳିତ ବର୍ଷ କୋଭିଡ ସ୍ଥିତିକୁ ଦେଖି ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଶୁଳ୍କ ଛାଡ଼ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.