ପାରାଦୀପରେ ପ୍ରତିଷ୍ଠା ହେବ ନୂଆ ବିମାନ ବନ୍ଦର, ଯୋଜନା କରୁଛନ୍ତି ସରକାର
ରାଜ୍ୟରେ ବିଶ୍ବ ସ୍ତରୀୟ ହେବ ବିମାନ ଚଳାଚଳ ଭିତ୍ତିଭୂମି ।
ଭୁବନେଶ୍ବର: ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପାରାଦୀପରେ ନୂଆ ବିମାନବନ୍ଦର ସହିତ ୧୫ ଜିଲ୍ଲାରେ ହେଲିପୋର୍ଟ ନିର୍ମାଣ ହେବା ନେଇ ଘୋଷଣା କରାଯାଇଛି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ଲୋକସେବା ଭବନରେ ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବିମାନ ଚଳାଚଳ ଏବଂ ନେଟୱାର୍କ ନିର୍ମାଣ ପରିଚାଳନା ସମ୍ବନ୍ଧରେ ଆଲୋଚନା କରିଥିଲେ । ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର (SJIA) ବିକାଶ ଏବଂ ରାଉରକେଲା ବିମାନ ବନ୍ଦରର ଉନ୍ନୀତକରଣ ଉପରେ ଆଲୋଚନା ହୋଇଥିଲା ।
ରାଜ୍ୟର ୧୫ ଟି ଜିଲ୍ଲାରେ ହେଲିପୋର୍ଟ ନିର୍ମାଣ ଏବଂ ଢେଙ୍କାନାଳର ବିରାଶୋଳ ସ୍ଥିତ ଏୟାରଷ୍ଟ୍ରିପରେ ବିଜୁ ପଟ୍ଟନାୟକ ବିମାନ ଚଳାଚଳ କେନ୍ଦ୍ରର ବିକାଶ ସମ୍ବନ୍ଧରେ ଏହି ବୈଠକରେ ଆଲୋଚନା ହୋଇଥିଲା।
ଢେଙ୍କାନାଳର ବିରାଶୋଳ ସ୍ଥିତ ଏୟାରଷ୍ଟ୍ରିପରେ ବିଜୁ ପଟ୍ଟନାୟକ ବିମାନ ଚଳାଚଳ କେନ୍ଦ୍ରର ବିକାଶ ସଂପର୍କରେ ମଧ୍ୟ ଆଲୋଚନା ହୋଇଛି । ଆଞ୍ଚଳିକ ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ ଜୟପୁର, ଦାଣ୍ଡବୋଷ, ରଙ୍ଗେଇଲୁଣ୍ଡା, ଗୋତମା, ସତୀଭତା, ରାଇସୁଆଁ, ତୁଷରା, ଜମାଦାରପାଲୀ, ମାଲକାନଗିରି, ଅମର୍ଦ୍ଦା ରୋଡ୍ ଏବଂ ଉତ୍କେଲା ସମେତ ରାଜ୍ୟର ପ୍ରମୁଖ ବିମାନବନ୍ଦର ଗୁଡ଼ିକର ଉନ୍ନତିକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି।
ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସମେତ ପ୍ରମୁଖ ଯୋଗ ଦେଇଥିଲେ ।