fbpx

ନକଲି ସାର୍ଟିଫିକେଟ୍ ଦେଇ ସାଂସଦଙ୍କ ବାପା ପାଇଥିଲେ ପଦୋନ୍ନତି, ପେନସନ୍ ବନ୍ଦ କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିଲାଙ୍କୁ ଶିଖାଉଥିଲେ ସଂସ୍କାର । ଆଉ ଛାତ୍ରମାନଙ୍କ ଜୀବନ ଗଢ଼ିବାର ନେଇଥିଲେ ଗୁରୁ ଦାୟିତ୍ୱ । କିନ୍ତୁ ଶିକ୍ଷାକୁ ବ୍ରତ କରିମଧ୍ୟ ଭୁଲ୍ ବାଟରେ ଉପରକୁ ଉଠିବାରା ମୋହ ସେ ଛାଡ଼ି ପାରିନଥିଲେ । ଲୋଭର ବଶବର୍ତ୍ତୀ ହୋଇ ନକଲି ସାର୍ଟିଫିକେଟ୍ ଦେଇ ପାଇଗଲେ ଉଚ୍ଚ ପଦବୀ । କିନ୍ତୁ ମିଛ ସବୁଦିନ ଲୁଚି ରହିଲାନି । ଲୋକଲୋଚନକୁ ଆସିଗଲା ସତ୍ୟ ଘଟଣା । ପରିଣାମ ସ୍ୱରୂପ ରାଜ୍ୟ ସରକାର ବନ୍ଦ କରିଦେଛନ୍ତି ପେନସନ୍ । ଏହା କୌଣସି କାହାଣୀ କି ଚଳଚ୍ଚିତ୍ରର କଥା ନୁହେଁ । ବାସ୍ତବ ଘଟଣା । ତାହା ପୁଣି ଜଣେ ସାଂସଦଙ୍କ ଘରେ । ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତି ଏଭଳି କେଳେଙ୍କାରୀ ସହ ସମ୍ପୃକ୍ତ ରହିଥିବା ଜଣାପଡ଼ିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତି ଜଣେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ । ସେ କନ୍ଦରପୁର କଲେଜରେ କାର୍ଯ୍ୟରତ ଥିଲେ । ତେବେ ଅଭିଯୋଗ ଅନୁସାରେ ଜାଲ୍ ବା ନକଲି ସାର୍ଟିଫିକେଟ୍ ଦେଇ ସିନିଅର୍ ଅଧ୍ୟାପକରୁ ରିଡର୍ ପାହ୍ୟାକୁ ସେ ପଦୋନ୍ନତି ପାଇଥିଲେ । ଯାହାକୁ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି । ଏଥିସହ ସେ ଦାବି କରୁଥିବା ପେନସନ୍ ସୁବିଧାକୁ ମଧ୍ୟ ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜୁନ୍ ପହିଲାରେ ଏନେଇ ଏକ ନିର୍ଦ୍ଦେଶମାନା ଜାରି ହୋଇଛି । ସେହି ଅନୁସାରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ଗତ ଏପ୍ରିଲ୍ ୭ ତାରିଖରେ ଦିଆଯାଇଥିବା ରାୟକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ ଶ୍ରୀ ମହାନ୍ତିଙ୍କ ବିରୋଧରେ ଏଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ଶ୍ରୀ ମହାନ୍ତି ରଡର୍ ପାହ୍ୟାର ପେନସନ୍ ସୁବିଧା ପାଇବାକୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଆବେଦନକାରୀ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଭଳି ଲାଗୁଛି ଓ ଏହା ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯାଞ୍ଚ ହେବା ଆବଶ୍ୟକ ବୋଲି କୋର୍ଟ କହିଥିଲେ । ହାଇକୋର୍ଟଙ୍କ ରାୟ ଅନୁସାରେ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା । ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କ ଦସ୍ତଖତ ସମ୍ବଳିତ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଶ୍ରୀ ମହାନ୍ତିଙ୍କୁ ୧୯୯୭ ଜାନୁଆରୀ ୨ରୁ ରିଡର୍ ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା । ଏନେଇ ୨୦୦୮ ମେ ୩ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା । ତେବେ ରିଡର୍ ପାହ୍ୟାକୁ ପଦୋନ୍ନତି ପାଇଁ ଅତିକମ୍ରେ ୪ ସପ୍ତାହ ମଧ୍ୟରେ ୨ଟି ରିଫ୍ରେସର୍ କୋର୍ସ ପ୍ରଶିକ୍ଷଣ ଆବଶ୍ୟକ ରହିଥିବାବେଳେ ଶ୍ରୀ ମହାନ୍ତି ତକ୍ରାଳୀନ ଏକ ସାର୍ଟିଫିକେଟ୍ ମଧ୍ୟ ଦାଖଲ କରିଥିଲେ । କିନ୍ତୁ ପରେ ବିଭାଗକୁ ଅଭିଯୋଗ ହୋଇଥିଲା ଯେ ଅଧ୍ୟାପକ ଶ୍ରୀ ମହାନ୍ତି ଜାଲ୍ ସାର୍ଟିଫିକେଟ୍ ଦେଇଛନ୍ତି । ଏହି ଅଭିଯୋଗ ଆଧାରରେ ଉଚ୍ଚଶିକ୍ଷା ବିଭାଗ ୨୦୦୯ ମାର୍ଚ୍ଚ ୨୭ରେ ଶ୍ରୀ ମହାନ୍ତିଙ୍କ ପଦୋନ୍ନତି ଜନିତ ସମସ୍ତ ବକେୟା ସ୍ଥଗିତ ରଖିବା ସହ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ବିଭାଗୀୟ ଉପନିର୍ଦ୍ଦେଶକ ୨୦୦୯ ଅଗଷ୍ଟ ୨୯ରେ ତଦନ୍ତ ରିପୋର୍ଟ ଦେଇଥିଲେ । ସେଥିରେ ସେ ଦର୍ଶାଇଥିଲେ ଯେ ଶ୍ରୀ ମହାନ୍ତି ଦେଇଥିବା ସାର୍ଟିଫିକେଟ୍ ଜାଲ୍ । ଉଲ୍ଲେଖଯୋଗ୍ୟ  ଯେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଏକ ରିଫ୍ରେସର କୋର୍ସ ସାର୍ଟିଫିକେଟ୍ ଶ୍ରୀ ମହାନ୍ତି ଦାଖଳ କରିଥିବାବେଳେ ତଦନ୍ତରେ ତାହା ନକଲି ବୋଲି ଜଣାପଡ଼ିଥିଲା । ସେହି ନିର୍ଦ୍ଦିଷ୍ଟ ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ କୌଣସି କୋର୍ସ ସେପରି ହୋଇନଥିଲା ।

ସମ୍ପ୍ରତି ଶ୍ରୀ ମହାନ୍ତିଙ୍କ ଏଭଳି କାଣ୍ଡକାରନାମାକୁ ନେଇ ସାରା ରାଜ୍ୟରେ ଆଲୋଚନା ଜୋର୍ ଧରିଛି । ଜଣେ ବରିଷ୍ଠ ଅଧ୍ୟାପକ ରିଡର୍ ପୋଷ୍ଟକୁ ଉଠିବା ପାଇଁ ଜାଲ୍ ସାର୍ଟିଫିକେଟ୍ ପ୍ରଦାନ କରିବାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।

Get real time updates directly on you device, subscribe now.