fbpx

ସୌନ୍ଦର୍ଯ୍ୟ-ପ୍ରେମ-ଶାନ୍ତିର ଭୂମି ଓଡ଼ିଶା: ଗଣେଶୀ ଲାଲ୍; ଆଉ କଣ କହିଲେ ରାଜ୍ୟପାଳ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରାଚୀନ ଉତ୍କଳର ଗୌରବମୟ ଗାଥାକୁ ବହନ କରି ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ହୋଇଛି ଓଡ଼ିଶା । ଏଥିସହ ସ୍ନେହ-ଶାନ୍ତି-ସଂହତିର ଦେବଭୂମି ଓଡ଼ିଶା । ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପୂର୍ବରୁ ମୋ ମନରେ ଅନେକ ଦ୍ୱନ୍ଦ୍ୱାତ୍ମକ ଚିତ୍ର ରହିଥିଲା । ଦୁଇଥର ଓଡ଼ିଶା ଆସିଥିଲି କିନ୍ତୁ ବିଶେଷ କିଛି ଜାଣିପାରିନଥିଲି । ତେବେ ମୋ ମନରେ ରହିଥିବା ଚିତ୍ର ସମ୍ପୂର୍ଣ୍ଣ ଭୁଲ୍ । ଏହି ପବିତ୍ର ମାଟି ଖୁବ୍ ସୁନ୍ଦର ଆଉ ଶାନ୍ତିର ଜୀବନ୍ତ ପ୍ରତୀକ । ଏ ମାଟିରେ ହାରିବାର ଶବ୍ଦ ନାହିଁ । ଏ ଜାତି ପଛଘୁଞ୍ଚା ଦେବା ଭଳି ନୁହେଁ । ଯଦିଓ ଏହି ମାଟିରେ ଚଣ୍ଡାଶୋକ ଯୁଦ୍ଧରେ ହାରିଥିଲେ, ତେବେ ଏହି ରାଜ୍ୟ ତାଙ୍କୁ ଧର୍ମାଶୋକରେ ପରିଣତ କରିଦେଇ ପାରିଲା । ଏଭଳି ଅଦ୍ଭୂତ ଶକ୍ତିସମ୍ପନ୍ନ ଓଡ଼ିଶା । ସେଇ ତେଜ ସେଇ ବୀରତ୍ୱ ଏବେ ମଧ୍ୟ ଏହି ଭୂମିରେ ତିଷ୍ଠି ରହିଛି । ଏଭଳି ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି ରାଜ୍ୟପାଳ ଡ. ଗଣେଶୀ ଲାଲ୍ । ଆସନ୍ତୁ ଓଡ଼ିଶାର ବିଭିନ୍ନ ଦିଗ ପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀ ସମ୍ପର୍କରେ କିଛି ଜାଣିବା ।

ଶିକ୍ଷା କ୍ଷେତ୍ରରେ ବିକାଶମାନ ଓଡ଼ିଶା

ଓଡ଼ିଶା ଶିକ୍ଷାର ହବ୍ ହୋଇସାରିଲାଣି । ଏକ୍ଷେତ୍ରରେ ଆହୁରି ଉନ୍ନତି ପାଇଁ ଅଗ୍ରସର ମଧ୍ୟ ହେଉଛି ରାଜ୍ୟ । ଦେଶ-ବିଦେଶରୁ ଅନେକ ବିଦ୍ୟାର୍ଥୀଙ୍କୁ ଏଠାକାର ବିଭିନ୍ନ ଶିକ୍ଷାନୁଷ୍ଠାନ ଆକର୍ଷିତ କରିପାରୁଛି । ଉପଯୁକ୍ତ ଭିତ୍ତିଭୂମି ଓ ପରିବେଶ ଶିକ୍ଷା କ୍ଷେତ୍ରକୁ ଖୁବ୍ ସୁହାଉଛି । ଉକ୍ରଳ ୟୁନିଭର୍ସିଟି ଅଫ୍ କଲଚର୍ ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବାବେଳେ ଆଦିବାସୀ ବିଶ୍ୱବିଦ୍ୟାଳୟ ‘କିସ୍’ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରିପାରିଛି ।

ଦେଶର ଶିକ୍ଷା ବ୍ୟବସ୍ଥା

ଦେଶର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ଅନ୍ୟ ଶିକ୍ଷା ତୁଳନାରେ ପ୍ରାଥମିକ ଶିକ୍ଷା ପାଇଁ ୪:୧ ହାରରେ ସରକାର ଖର୍ଚ୍ଚ କରିବା ଠିକ୍ ମନେହୁଏ । ପ୍ରାଥମିକ ଶିକ୍ଷା ସୁଦୃଢ଼ ହୋଇପାରିଲେ ଅନ୍ୟ ଶିକ୍ଷା ବ୍ୟବସ୍ଥା ଆପେଆପେ ଠିକ୍ ମାର୍ଗକୁ ଆସିଯିବ । ଘରକୁ ଅଧିକ ସୁନ୍ଦର କରି ସଜେଇବା ଅପେକ୍ଷା ଏହାର ମୂଳଦୁଆ ‘ଫାଉଣ୍ଡେସନ୍’କୁ ଅଧିକ ମଜଭୁତ୍ କରିବା ଭଳି ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ।

ବ୍ୟକ୍ତିଗତ ଓ ଡିଜିଟାଲ ଶିକ୍ଷା ବ୍ୟବସ୍ଥା

କୁନି କୁନି ସ୍କୁଲପିଲାଙ୍କୁ ବ୍ୟକ୍ତିଗତ ଶିକ୍ଷା ପ୍ରଦାନ ପ୍ରଭାବଶାଳୀ ହୋଇଥାଏ । ସିଧାସଳଖ ଭାବେ ପିଲାଙ୍କୁ ଶିକ୍ଷା ପ୍ରଦାନ କରିବା ସର୍ବୋତ୍ତମ । କୁନି ପିଲାଙ୍କ ପାଇଁ ଶିକ୍ଷା ପ୍ରଦାନର ବିକଳ୍ପ ଭାବେ ଡିଜିଟାଲ୍ ଟୁଲ୍ ହୋଇପାରିବନି । ତେବେ ପିଲାମାନଙ୍କ ବୟସରେ ଧୀରେ ଧୀରେ ବଢ଼ିବାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଡିଜିଟାଲ୍ ଟୁଲ୍  ରେ ଶିକ୍ଷା ପ୍ରଦାନ କଲେ ଅନେକ ଉପକାର ହୋଇପାରିବ । ଫଳରେ ଖର୍ଚ୍ଚ କମ୍ ହେବା ସହ ଦକ୍ଷତା ବୃଦ୍ଧିରେ ସହାୟକ ହୋଇପାରେ ।

ଗରିବଙ୍କ ପାଖରେ କେମିତି ପହଞ୍ଚିବ ଡିଜିଟାଲ୍ ଶିକ୍ଷା

ଏଥିପାଇଁ ଅହରହ ଉଦ୍ୟମ ଚାଲୁ ରହିଛି । ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି । ବିଶେଷକରି ଓଡ଼ିଶାରେ ବିଦ୍ୟାର୍ଥୀଙ୍କ ଘରକୁ ଶିକ୍ଷକମାନେ ଯାଉଛନ୍ତି । ସେପଟେ ଦେଶର ୪୦ କୋଟିରୁ ଅଧିକ ଲୋକଙ୍କ ପାଖରେ ରହିଛି ‘ଜନ ଧନ’ ଆକାଉଣ୍ଟ । ପ୍ରତି ପରିବାର ସେମାନଙ୍କ ପିଲାଙ୍କ ପାଇଁ ସାଧ୍ୟମତେ କିଛି ପାଠପଢ଼ା ଖର୍ଚ୍ଚ କରନ୍ତି । ତେବେ କେନ୍ଦ୍ର ଓ ରାଜ୍ୟ ସରକାର ଚାହିଲେ ସେହି ଆକାଉଣ୍ଟ ମାଧ୍ୟମରେ ଲୋକଙ୍କୁ କିଛି ସାହାଯ୍ୟ ଯୋଗାଇପାରିବେ । ଯଦ୍ୱାରା ଡିଜିଟାଲ୍ ଶିକ୍ଷା ସବୁ ପିଲାଙ୍କ ପାଖରେ ପହଞ୍ଚି ପାରିବ ।

ଭାରତୀୟ ପରୀକ୍ଷା ବ୍ୟବସ୍ଥା

ପାଠ ଘୋଷିବା ଅପେକ୍ଷା ସମ୍ପ୍ରତି ତର୍କ ସମ୍ବଳିତ ପ୍ରଣାଳୀକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ପୁରୁଣା ପ୍ରଥାରେ ପରିବର୍ତ୍ତନ ଆସିଲାଣି । ସମ୍ପ୍ରତି ଦେଶର ଅନେକ ପରୀକ୍ଷା ବ୍ୟବସ୍ଥାରେ ତର୍କ ଓ ସମସ୍ୟା ସମାଧାନ କୌଶଳକୁ ଗୁରୁତ୍ୱ ଦିଆଯାଉଛି । କେବଳ ଘୋଷିକି ଲେଖିବା ବ୍ୟବସ୍ଥା ଆଉ ନାହିଁ । ଆଗକୁ ନୂତନ ଶିକ୍ଷା ନୀତି ଗୁଡ଼ିକ ଏଥିରେ ଆହୁରି ପରିବର୍ତ୍ତନ ଆଣିବ ଏବଂ ସେଭଳି ନୂଆ ଧାରାକୁ ସମସ୍ତେ ଆପଣେଇ ନେବେ ।

ଶିକ୍ଷା କ୍ଷେତ୍ରରେ କୋଭିଡ୍ ପ୍ରଭାବ

ମିଳୁଥିବା ପ୍ରମାଣ ଆଧାରରେ ସାଧାରଣତଃ କରୋନା ଭାଇରସ୍ ମଣିଷ କୃତ ବୋଲି ଜଣାପଡ଼ିଛି । ଏହା ପ୍ରକୃତିର ପ୍ରକୋପ ନୁହେଁ । ଏକ ନିର୍ଦ୍ଦିଷ୍ଟ ଦେଶର କେତେକ ବ୍ୟକ୍ତିଙ୍କ ଏଭଳି କାଣ୍ଡକାରନାମା, ଯାହାକି ସବୁ ମଣିଷଙ୍କୁ ସେମାନେ ଦାସତ୍ୱ ଭଳି ରଖିବାକୁ ଚାହାନ୍ତି ଏବଂ ସେମାନେ ହିଁ ପ୍ରଭୁତ୍ୱ ଜାହିର୍ କରିବାକୁ ଚେଷ୍ଟା କରୁଛନ୍ତି । ଅନେକ ଦେଶ ଏଥିପାଇଁ ସେହି ନିର୍ଦ୍ଦିଷ୍ଟ ଦେଶଠାରୁ ନିଜକୁ ଦୂରେଇ ସାରିଲେଣି । ମୃତ୍ୟୁର ରାଜନୀତି କେବେ ସଫଳ ହେବ ନାହିଁ । ବରଂ ଏଭଳି କାଣ୍ଡ ଭିଆଇଥିବା ବ୍ୟକ୍ତି ନିଜ କୁପରିଣାମର ଫଳ ଭୋଗିବ । ବିଶ୍ୱ ଶିଖି ସାରିଲାଣି ଏହାକୁ କିଭଳି ସାମ୍ନା କରିବାକୁ ହେବ । ଆମେ ସମ୍ପ୍ରତି ସ୍ଥିର ହୋଇସାରିଛେ । ଟିକାକରଣ ପରେ ଏହି ରୋଗ ହ୍ରାସ ପାଇବ । ଜୀବନ-ଜୀବିକା ପୁଣି ସାଧାରଣ ହେବ ଏବଂ ସେହି ଅନୁସାରେ ଶିକ୍ଷା ବ୍ୟବସ୍ଥା ସୁଧୁରିବ ।

ଏହା ଚୀନକୁ ସଂକେତ

ଏହା ସମ୍ପୂର୍ଣ୍ଣ ଗୋପନୀୟ । ମୁଁ କୌଣସି ନାମ ନେବାକୁ ଚାହୁନାହିଁ ।

Dr Ganeshi Lal_Odisha Governor

ବିଦ୍ୟାର୍ଥୀଙ୍କୁ ପରାମର୍ଶ

ପରିବାର ଓ ସାଙ୍ଗସାଥୀଙ୍କଠାରୁ ଅତ୍ୟଧିକ କ୍ୟାରିଅର୍ ପ୍ଲାନିଂ ପରାମର୍ଶ ନେବା ଭୁଲ୍ । ବିଦ୍ୟାର୍ଥୀଙ୍କୁ ନିଜ ପାଇଁ କଣ ଭଲ ଲାଗେ ସେ ଦିଗରେ ଯିବାକୁ ଉତ୍ସାହିତ କରାଯିବା ଉଚିତ୍ । ଫଳରେ ସେ କିଛି ନୂତନ ଓ ଅଭିନଭ ପାଇଁ ଚେଷ୍ଟା କରିବେ । ଏପରିକି ଅନ୍ୟ ସହ ତୁଳନା କରି ଆମେ ବହୁ ସମୟରେ ପିଲାମାନଙ୍କୁ ନିରୁତ୍ସାହ କରିଦେଉ । ଏଭଳି ଭୁଲ୍ ପିଲାଙ୍କ ଉପରେ କୁପ୍ରଭାବ ପକାଏ । ପିଲାଙ୍କୁ ଦେଶର ଭବିଷ୍ୟତ ବୋଲି କହିବା ବନ୍ଦ କରାଯାଉ । କେହି ମଧ୍ୟ ଭବିଷ୍ୟତ ଦେଖିନାହାନ୍ତି । ଆଜିର ଦିନ ହିଁ ଭଲଦିନ ବୋଲି ଆମେ ସେମାନଙ୍କୁ କହିବା ଉଚିତ୍ । ତେଣୁ ଯାହା ପାରିବ ଆଜି କରିବା ଉଚିତ୍ ।

ଓଡ଼ିଶାରେ ସରକାରଙ୍କ ସ୍ଥିରତା

‘ମୋ ସରକାର’ରେ ସଂଘୀୟ ବ୍ୟବସ୍ଥା ଏବଂ ରାଜ୍ୟ-କେନ୍ଦ୍ର ସମନ୍ୱୟ ସମାନ୍ତରାଳ ଭାବେ ଗତିକରେ । ସେଭଳି କିଛି ଦୋଷ ଲଦାଲଦି ଅପେକ୍ଷା ଆମେ ପରସ୍ପରର ସକାରାତ୍ମକ ଦିଗକୁ ପ୍ରଶଂସା କରିବା ସହିତ ଲୋକଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରୁଛୁ । ତେବେ ଓଡ଼ିଶାର ବୃହତ୍ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆମେ ‘କାଳିଆ’ ଯୋଜନା ଏବଂ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନାକୁ ଜନତାଙ୍କ ପାଇଁ ଉତ୍ସର୍ଗ କରିଛୁ । ଯାହା କେନ୍ଦ୍ରୀୟ ଯୋଜନାଠାରୁ ଭିନ୍ନ ।

କେନ୍ଦ୍ର-ରାଜ୍ୟ ସମ୍ପର୍କ

ଅତିଭୀଷଣ ବାତ୍ୟା ‘ୟାଶ୍’ କ୍ଷୟକ୍ଷତି ଆକଳନ ପାଇଁ ଯେବେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ବେଶ୍ ପ୍ରେରଣାଦାୟୀ ଓ ଉଲ୍ଲେଖନୀୟ । ଦେଶ ମହାମାରୀ ସହ ଲଢ଼େଇ ଜାରି ରଖିଥିବାବେଳେ ବାତ୍ୟା କ୍ଷତିଭରଣା ପାଇଁ ମୁଖ୍ୟମନ୍ତ୍ରୀ କିଛି ବି ଡିମାଣ୍ଡ କରିନଥିଲେ । ଏପରିକି ପଇସାଟିଏ ବି ଦିଅ ବୋଲି ଦାବି କରିନଥିଲେ । କିନ୍ତୁ ଓଡ଼ିଶାର ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ୫୦୦ କୋଟି ଟଙ୍କା ଦେଇଥିଲେ ।

Get real time updates directly on you device, subscribe now.