fbpx

ଓଡ଼ିଶାର ‘ଗଛ ସାର୍’, ବୟସ ୭୫; କରିସାରିଲେଣି ୩୦ହଜାର ବୃକ୍ଷରୋପଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଦ୍ରୁତ ଗତିରେ ଗଛ କାଟି ଦିଆଯାଉଛି । ଯାହାର ଖରାପ ପ୍ରଭାବ ଆମ ପରିବେଶ ଉପରେ ପଡ଼ୁଛି । ହେଲେ ଇତି ମଧ୍ୟରେ କିଛି ଏପରି ବ୍ୟକ୍ତିତ୍ୱ ରହିଛନ୍ତି ଯେଉଁ ମାନଙ୍କ ପାଇଁ ଚତୁଃପାଶ୍ୱର୍ରେ ଗଛ ଦେଖିବାକୁ ମିଳୁଛି । ଆଜି ଆମେ ସେହିଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣିବା ଯିଏକି ନିଜର ପୂରା ଜୀବନ ଗଛ ଲଗାଇବାରେ ଉତ୍ସର୍ଗ କରିଦେଇଛନ୍ତି । ତେବେ କୌଣସି ବୃକ୍ଷରୋପଣ ଅଭିଯାନ ନୁହେଁ ବରଂ ଏହା ହେଉଛି ତାଙ୍କର ସଉକ୍ । ସେ ହେଉଛନ୍ତି ଓଡ଼ିଶାର କଣ୍ଟିଲୋରେ ରହୁଥିବା “ଗଛ ସାର୍” ବା ଅନ୍ତର୍ଯାମୀ ସାହୁ । ସେ ଏବେ ୭୫ ବର୍ଷର ହୋଇଥିବା ବେଳେ ସେ ୧୧ ବର୍ଷ ବୟସରୁ ହିଁ ଗଛ ଲଗାଇ ଆସୁଛନ୍ତି । ଆଉ ତାଙ୍କ ପରିଶ୍ରମରେ ସେ ଏଯାବତ୍ ୩୦ ହଜାର ଗଛ ଲଗାଇସାରିଛନ୍ତି ।

ପ୍ରତିବର୍ଷ ସେ ନିଜ ସ୍କୁଲ୍ ପରିସର ଠାରୁ ଆରମ୍ଭ ବିଭିନ୍ନ ସାର୍ବଜନୀନ ସ୍ଥାନରେ ଗଛ ଲଗାଇ ଆସୁଛନ୍ତିା ତେଣୁ ସେ ଗଛ ସାର୍ ଭାବରେ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କର ବୟସ ବଢ଼ିବା ସହିତ ଗଛ ଲଗାଇବାର ଜିଜ୍ଞାସା ବଢ଼ିଚାଲିଲା । ଆଉ ସେ ଛୋଟ ବୟସରୁ ଏପର୍ଯ୍ୟନ୍ତ ଗଛ ଲଗାଇବା ହେଉଛି ତାଙ୍କର ପ୍ରିୟ କାର୍ଯ୍ୟ । ଖାଲି ସେତିକି ନୁହେଁ ସେ ନିଜ ଅଞ୍ଚଳର କୁନି କୁନି ପିଲା ମାନଙ୍କୁ ବି ଗଛ ଲଗାିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି ।

ଅନ୍ତର୍ଯାମୀ ଯେତେବେଳେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ସେ ନିଜ ସ୍କୁଲ୍ ପ୍ରାଙ୍ଗଣରେ ତଥା ବୌଦ୍ଧ ଜିଲ୍ଳାର ବିଭିନ୍ନ ସାର୍ବଜନୀନ ସ୍ଥାନରେ ଗଛ ଲଗାଇବାକୁ ପ୍ରୋତ୍ସାହନ କରିବା ସହିତ ଜାଗା ଜାଗା ବୁଲି ଗଛ ଲଗାଉଥିଲେ । ସେ କେବଳ ଗଛ ଲଗାଇବା ପାଇଁ ଉତ୍ସାହିତ କରୁନଥିଲେ ବରଂ ବନ୍ୟ ଜନ୍ତୁ ମାନଙ୍କ ସୁରକ୍ଷା ଦିଗରେ ବି ସ୍ୱର ଉତ୍ତୋଳନ କରୁଥିଲେ । ଆଉ ବର୍ଷ ବର୍ଷର ଏହି ପରିଶ୍ରମ ଆଜି ତାଙ୍କୁ “ଗଛ ସାର୍” ଭାବରେ ପରିଚିତ କରାଇଛି ।

ଅନ୍ତର୍ଯାମୀ କହିଛନ୍ତି ଯେ, ୨୦୦୪ ପର୍ୟ୍ୟନ୍ତ ସେ ବ୍ୟକ୍ତିଗତ ଭାବରେ କାର୍ୟ୍ୟ ଜାରି ରଖିଥିଲେ । ଆଉ ୧୦ହଜାର ଗଛ ଲଗାଇଥିଲେ । ଏଥିସହିତ ଛାତ୍ରଛାତ୍ରୀଙ୍କ ସହଯୋଗରେ ୨୦ହଜାର ଗଛ ଲଗାଇଥିଲେ । ସେ ଶାଳ, ଟିକ୍, ବାଉଁଶ, ଆମ୍ବ, ଭାରତୀୟ ବିଲ୍, ଡିମ୍ବିରି ଏବଂ ଅନ୍ୟାନ୍ୟ ଦେଶୀ ପ୍ରଜାତି ଭଳି ଚାରା ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଆଜି ବି ବୃକ୍ଷ ରୋପଣ ଜାରି ରଖିଛନ୍ତି ଏବଂ ବର୍ତ୍ତମାନ ୩୦,୦୦୦ ରୁ ଅଧିକ ବୃକ୍ଷ ରୋପଣ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିହନ ସଂଗ୍ରହ କରି ବିତରଣ ମଧ୍ୟ କରନ୍ତି ।

ଏପରିକି ସେ ଗଛ ଲଗାଇବା ପାଇଁ ଗାଁ ଗାଁ ବୁଲି ବିନା କୌଣସି ସୋସିଆଲ୍ ମିଡିଆର ସହାୟତାରେ ପୋଷ୍ଟର୍ ତିଆରି କରି ଲୋକଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ଅର୍ଥାତ୍ ନିଜେ ହାତରେ ପୋଷ୍ଟର୍ ଲେଖୁଛନ୍ତି । ବିଭିନ୍ନ ପ୍ରକାର ପଶୁପକ୍ଷୀଙ୍କ ଫଟୋ ଚିତ୍ର, ଗଛର ଚିତ୍ର ଆଙ୍କି ସେ ବୃକ୍ଷରୋପଣର ମହତ୍ୱ ଲୋକଙ୍କୁ ବୁଝାଉଛନ୍ତି । ତେବେ ତାଙ୍କର ଏହି ବହତ୍ କାମ ପାଇଁ ବୌଦ୍ଧ, ନୟାଗଡ ଏବଂ ଫୁଲବାଣୀ ଜିଲ୍ଲା ପକ୍ଷରୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି । ଏହାବ୍ୟତୀତ ତାଙ୍କୁ ରାଜ୍ୟ ସ୍ତରରେ ଅଶୋକ ସ୍ମୃତି ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ନିକଟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ପ୍ରଶଂସା କରିଥିଲେ । ଏନେଇ ସେ ଟୁଇଟ୍ କରି ସୂଚନା ଦେଇଥିଲେ ।

Get real time updates directly on you device, subscribe now.