fbpx

ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି; ଆଜି ପାଇଁ ୪ ଜିଲ୍ଲାକୁ ହିଟ ୱେବ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡିଶା ଭାସ୍କର): ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା। ଏପଟେ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ସ୍ଥିତି ବିଗାଡ଼ୁଛି ଗୁଳୁଗୁଳି। ଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଉଛି। ପଶ୍ଚିମର ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ରବିବାର ୫ଟି ସ୍ଥାନରେ ପାରଦ ୪୪ ଡିଗ୍ରୀ ଟପିଥିଲା। ଟିଟିଲାଗଡ଼ରେ ସର୍ବାଧୂକ ୪୪.୬ ଡିଗ୍ରୀ ଥିବାବେଳେ ସୋନପୁର ୪୪.୫, ବୌଦ୍ଧ ୪୪.୩, ନୂଆପଡ଼ା ୪୪ ଓ ବଲାଙ୍ଗୀରରେ ତାପମାତ୍ରା ୪୪.୩ ଡିଗ୍ରୀ ରହିଥିଲା। ସେହିଭଳି ଝାରସୁଗୁଡ଼ା ୪୨.୮, ସମ୍ବଲପୁର ୪୩.୭, ସୁନ୍ଦରଗଡ଼ ୪୨.୫ , ହୀରାକୁଦ ୪୨.୮, ଭବାନୀପାଟଣା ୪୩, ଫୁଲବାଣୀ ମାଲକାନଗିରିରେ ୪୦, ୨ ଓ ପାରଦ ୪୨ ଡିଗ୍ରୀ ଛୁଇଁଥିବାବେଳେ ଭୁବନେଶ୍ବର ଏବଂ କଟକରେ ଯଥାକ୍ରମେ ୩୩.୮ ଓ ୩୪ ଡିଗ୍ରୀ ରହିଥିଲା।

ତେବେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ତାତି ଓ ଗୁଳୁଗୁଳି ଜାରି ରହିବ। ଆସନ୍ତା ଦୁଇଦିନ ବଲାଙ୍ଗୀର, ସୋନପୁର ବୌଦ୍ଧ ଏବଂ ବରଗଡ଼ ଆଦି ୪ ଜିଲାକୁ ହିଟ୍ ୱେଭ୍ ବା ଗ୍ରୀଷ୍ମ ପ୍ରବାହ ହେବ। ତେଣୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିବା ସହିତ ସତର୍କ କରାଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାକ୍‌ସାବଧାନତା ଅବଲମ୍ବନ କରିବା ପାଇଁ କୁହାଯାଇଛି। ଏଥିସହ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଝଡ଼ତୋଫାନ ଓ ବଜ୍ରପାତର ସମ୍ଭାବନା ରହିଥିବାରୁ କେତେକ ଜିଲାକୁ ୟେଲୋ ୱାର୍ଣ୍ଣିଂମଧ୍ୟ ଜାରି କରାଯାଇଛି।

ପାଣିପାଗ ବିଶେଷଜ୍ଞଙ୍କ ସୂଚନାନୁସାରେ, ୧୨ ତାରିଖ ପୂର୍ବରୁ ରାଜ୍ୟକୁ ମୌସୁମୀ ଆସିବ ନାହିଁ। ବର୍ତ୍ତମାନ ଉତ୍ତର ପଶ୍ଚିମ ଆଡୁ ଆଭ୍ୟନ୍ତରୀଣ ଓଡ଼ିଶାକୁ ଶୁଷ୍କ ବାୟୁ ପ୍ରବେଶ କରୁଛି। ତେଣୁ ଦିନରେ ପ୍ରଚଣ୍ଡ ଖରା ହେଉଛି। ଉପକୂଳରେ ଆକାଶ ସାମାନ୍ୟ ମେଘାଚ୍ଛନ୍ନ ସାଙ୍ଗକୁ ସାମୁଦ୍ରିକ ବାୟୁ ପ୍ରବେଶ କରୁଛି। ଫଳରେ ଜଳବାୟୁରେ ଥିବା ଆର୍ଦ୍ରତା ଗୁଳୁଗୁଳି ବଢ଼ାଉଛି। ଉପକୂଳରେ ଦିନରେ ୫୦ % ଗୁଳୁଗୁଳି ରହୁଥିବାବେଳେ ସନ୍ଧ୍ୟା ସମୟରେ ଏହା ବୃଦ୍ଧି ପାଇ ୭୦ % ହୋଇଯାଉଛି। ତେଣୁ ରାତିରେ ମଧ୍ୟ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି । ୧୧ ତାରିଖ ପର୍ଯ୍ୟନ୍ତ ତାତି ଲାଗି ରହିବ। ଫଳରେ ମୌସୁମୀ ଆସିବାରେ ବି ବିଳମ୍ବ ହେଉଛି। ତେବେ ଆସନ୍ତା ୧୨ ତାରିଖବେଳକୁ ମୌସୁମୀ ଦକ୍ଷିଣ ଓଡ଼ିଶା ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି ହେଲେ ଏହା ଦୁର୍ବଳ ରହିବ। ତେଣୁ ବିଶେଷ ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି।

Get real time updates directly on you device, subscribe now.