ବଡ଼ ଖବର; ଜୁନ୍ ୯ ତାରିଖରୁ ମାଗଣା ବିଜୁଳି ପାଇବ ଓଡ଼ିଶା… ବଡ଼ ଘୋଷଣା କଲେ ଫାଇଭ-ଟି ସଚିବ

ଭୁବନେଶ୍ୱର: ଓଡ଼ିଶାରେ ରାଜନୀତି ମାହୋଲ ସରଗରମ ହେବାରେ ଲାଗିଛି । ଭୋଟରଙ୍କ ମନ ଜିତିବା ପାଇଁ ଶାସକ ଦଳ ସହ ବିରୋଧୀ ମଧ୍ୟ ଗୋଟି ଚଳାଉଛନ୍ତି । ବିଜେପି ରାଜ୍ୟରେ ମୋଦୀ ଗ୍ୟାରେଣ୍ଟି ପ୍ଲାନ ଚଳାଇଥିବା ବେଳେ ବିଜେଡି ମଧ୍ୟ ନବୀନ ଗ୍ୟାରେଣ୍ଟି ଦେଖାଇଛି । ଏହାଭିତରେ ରଘୁନାଥପାଲୀରେ ଏକ ବଡ଼ ଘୋଷଣା କରିଛି ବିଜୁ ଜନତା ଦଳ । ଜୁନ୍ ୯ ତାରିଖରୁ ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଯୋଗାଇଦେବା ପାଇଁ ଘୋଷଣା କରିଛନ୍ତି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ । ଜୁନ୍ ୯ ତାରିଖ ଦିନରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ସନ୍ଧ୍ୟାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏବଂ ଏଥିରେ ଓଡ଼ିଶାକୁ ମାଗଣା ବିଜୁଳି ଯୋଗାଇବା ଇସ୍ତାହାରରେ ମୋହର ବାଜିବ ବୋଲି ପାଣ୍ଡିଆନ୍ ପ୍ରତିଶ୍ରୁତି ଦେଇଛନ୍ତି ।

ରାଜ୍ୟ ସରକାର ଭାବରେ ଦାୟିତ୍ୱ ନେବାର ପ୍ରଥମ ଦିନରେ ହିଁ ଓଡ଼ିଶାକୁ ମାଗଣା ବିଜୁଳି ଯୋଗାଇ ଦେବାକୁ ଘୋଷଣା କରିଛି ବିଜେଡି । ଆସନ୍ତା ଜୁନ୍ ୯ ତାରିଖ ଦିନରେ ଶପଥ ନେବା ପରେ ସନ୍ଧ୍ୟାରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ହିଁ ଇସ୍ତାହାରରେ ଥିବା ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ସୂଚନା ଦେଇଛନ୍ତି ଭିକେ ପାଣ୍ଡିଆନ୍ । ଜୁନ୍ ମାସର ବିଜୁଳି ବିଲ୍ ରାଜ୍ୟବାସୀଙ୍କୁ ଦେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି । ତେବେ ରାଜ୍ୟବାସୀଙ୍କ ପାଇଁ ଏହା ‘ନବୀନ ଗ୍ୟାରେଣ୍ଟି’ ବୋଲି ପାଣ୍ଡିଆନ୍ ଦର୍ଶାଇଛନ୍ତି ।

ଏହାସହିତ ସେ କହିଛନ୍ତି ଯେ, ରାଜ୍ୟରେ ସବୁଆଡ଼େ ନବୀନ ହାୱା ବହୁଛି ଏବଂ ତିନି ଚତୁର୍ଥାଂଶ ଆସନରେ ଏଥର ବିଜେଡି ବିଜୟଲାଭ କରିବ ବୋଲି କହିଛନ୍ତି ବିଜେଡିର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍ । ତେବେ ଯଦି ଏଥର ନିର୍ବାଚନରେ ବିଜେଡି ନ ଜିତିଲେ ପାଣ୍ଡିଆନ୍ ରାଜନୀତି ଛାଡ଼ିଦେବେ ବୋଲି ମଧ୍ୟ କହିଛନ୍ତି । ଏହାପରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ୍ । ୨୦୧୪ରେ ବିଜେପି କରିଥିବା ଗ୍ୟାରେଣ୍ଟି କୁଆଡ଼େ ଗଲା ବୋଲି ପାଣ୍ଡିଆନ୍ ପ୍ରଶ୍ନ କରିଛନ୍ତି । ୨୦୧୪ ରେ ବିଜେପି ତେଲଦର, ଏଲପିଜି ବୃଦ୍ଧି ହେବ ନାହିଁ ବୋଲି କହିଥିଲା ବିଜେପି, କିନ୍ତୁ ଫଳାଫଳ ଉପରେ ନଜର ପକାଇବାକୁ ପାଣ୍ଡିଆନ୍ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି ।