fbpx

ସେପ୍ଟେମ୍ବର ୧ରୁ ଓଲା, ଉବର ଚାଳକଙ୍କ ଧର୍ମଘଟ

ନୂଆଦିଲ୍ଲୀ, ୨୭/୮: କରୋନା ସଂକଟ ମଧ୍ୟରେ ବିଭିନ୍ନ ଦାବି ନେଇ ଟାକ୍ସି ଆଗ୍ରିଗେଟର କମ୍ପାନି ଓଲା ଓ ଉବର ଚାଳକମାନେ ଆସନ୍ତା ସେପ୍ଟେମ୍ବର ୧ରୁ ସାରା ଦେଶରେ ଧର୍ମଘଟ ଡାକରା ଦେଇଛନ୍ତି । ଏହାର ସିଧାସଳଖ ପ୍ରଭାବ ଯାତ୍ରୀମାନଙ୍କ ଉପରେ ପଡିବ । ସାଧାରଣ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା କରାଯାଉଛି । ସର୍ବୋଦୟ ଡ୍ରାଇଭର ସଂଘର ସଭାପତି କମଲଜିତ ସିଂ ଗିଲ କହିଛନ୍ତି ଯେ ସରକାର ଯଦି ସେମାନଙ୍କ ଦାବି ନମାନିବେ ତେବେ ଓଲା, ଉବର ଚଳାଉଥିବା ପ୍ରାୟ ୨ଲକ୍ଷ ଚାଳକ ଆସନ୍ତା ସେପ୍ଟେମ୍ବର ୧ରେ ରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ।

ତେବେ ଭଡ଼ା ବୃଦ୍ଧି, କମିଶନ ବୃଦ୍ଧି, ଋଣ କିସ୍ତି ପାଇଁ ମୋରାଟୋରିୟମ ସମୟ (ଛାଡ଼ ସମୟ) ବୃଦ୍ଧି ଇତ୍ୟାଦି ଦାବିଗୁଡିକ ସେମାନେ ସରକାରଙ୍କ ନିକଟରେ ରଖିଛନ୍ତି । ଅନେକ ଚାଳକ ବ୍ୟାଙ୍କ ଋଣ କରି କାର କିଣି ନିଜେ ଚଳାଉଛନ୍ତି । କରୋନା ମହାମାରୀ ଯୋଗୁଁ କାରବାର ପ୍ରଭାବିତ ହୋଇଥିବାରୁ ସେମାନେ ବ୍ୟାଙ୍କ କିସ୍ତି ଦେଇ ପାରୁନାହାନ୍ତି । ଏଥିପାଇଁ ସରକାର ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଲୋକ ମୋରାଟୋରିୟମ ମିଆଦ ବୃଦ୍ଧି କରିବାକୁ ସେମାନେ ଦାବି କରୁଛନ୍ତି । ନହେଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.