fbpx

ନୂଆ ସରକାର ନୂଆ ଉପହାର! ରାଜ୍ୟରେ ଲାଗୁ ହେବ ପୁରୁଣା ପେନସନ ଯୋଜନା

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ତେବେ ଗୁଜରାଟରେ ବିଜେପି କ୍ଷମତା କାଏମ ରଖିଥିବା ବେଳେ ହିମାଚଳ ପ୍ରଦେଶରେ କଂଗ୍ରେସ ସରକାରକୁ ଫେରି ସମସ୍ତଙ୍କୁ ଚକମା ଦେଇଛି । ପୂର୍ବରୁ ରାଜ୍ୟରେ ବିଜେପି କ୍ଷମତାରେ ଥିବାବେଳେ କଂଗ୍ରେସ ପଟ୍ଟ ପରିବର୍ତ୍ତନ କରିବାରେ ସକ୍ଷମ ହୋଇଛି । ମୋଟ ୬୮ ସିଟ ବିଶିଷ୍ଟ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦ଟି ସିଟ୍ ହାତେଇ ସରକାର ଗଠନ କରିବାକୁ ନିଜକୁ ଯୋଗ୍ୟ ସାବ୍ୟସ୍ତ କରିଛି ।

ରାଜ୍ୟରେ ଏଥର କଂଗ୍ରେସ ୪୩.୦୯ ପ୍ରତିଶତ ଭୋଟ ହାସଲ କରିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଦୌଡ଼ରେ ସୁଖବିନ୍ଦର ସିଂହ ସୁଖୁ, ମୁକେଶ ଅଗ୍ନିହୋତ୍ରୀ ଓ ପ୍ରତିଭା ସିଂହଙ୍କ ନାମ ଆଗରେ ରହିଛି । ତେବେ କ୍ଷମତାକୁ ଆସିବା ପରେ କଂଗ୍ରେସ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି । ରାଜ୍ୟର ଲାଗୁ ହେବ ପୁରୁଣା ପେନସନ ଯୋଜନା (ଓପିଏସ) ।

ରାଜ୍ୟରେ ପୁରୁଣା ପେନସନ ଯୋଜନା ଲାଗୁ କରିବା ପାଇଁ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା । ପୂର୍ବରୁ ରାଜସ୍ଥାନ ଓ ଛତିଶଗଡ଼ରେ ଓପିଏସ ଲାଗୁ ହୋଇ ସାରିଛି । ଯଦି ହିମାଚଳରେ ଏହି ଯୋଜନା ଲାଗୁ ହୁଏ, ତେବେ ରାଜ୍ୟ ରାଜକୋଷ ଉପରେ ପାଖାପାଖି ୭୦ ହଜାର କୋଟିର ବୋଝ ବଢ଼ିବାର ସମ୍ଭାବନା ରହିଛି । ଗତ ସେପ୍ଟେମ୍ବରରେ ରାଜ୍ୟ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଠାରୁ ୨୫୦୦ କୋଟି ଟଙ୍କାର ଋଣ ନେଇଥିଲା । ତା’ପୂର୍ବରୁ ଜୁଲାଇରେ ୧୦୦୦ କୋଟି ଓ ଅଗଷ୍ଟରେ ୧୫୦୦ କୋଟିର ଋଣ ମଧ୍ୟ ରାଜ୍ୟ ସରକାର ନେଇଥିଲେ । ତେଣୁ ଓପିଏସ ଲାଗୁ କରିବା ରାଜ୍ୟ ସରକାରଙ୍କ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ ହେବ ।

Get real time updates directly on you device, subscribe now.