JEE Main 2025: ଓଡ଼ିଶା ପୁଅ ଟପ୍ପର, ଓମ ପ୍ରକାଶଙ୍କ ପାଇଁ ମା’ ନେଇଥିଲେ ଚାକିରିରୁ ବିରତି, ପାଖରେ ନ ଥିଲା ସ୍ମାର୍ଟଫୋନ
୩୦୦ରୁ ୩୦୦ ରଖିଲେ ଓମ ପ୍ରକାଶ । କୋଟାରେ ନେଉଥିଲେ କୋଚିଂ ।
ଭୁବନେଶ୍ୱର: ପ୍ରକାଶ ପାଇଲା ଜେଇ ମେନ୍ ୨୦୨୫ ରେଜଲ୍ଟ । ଓଡ଼ିଶାର ଓମ୍ ପ୍ରକାଶ ବେହେରା ଅଲ ଇଣ୍ଡିଆ ଟପ୍ପର ।
ଓମ୍ ପ୍ରକାଶଙ୍କ ଘର ଭୁବନେଶ୍ୱରରେ । ଓମ୍ ପ୍ରକାଶ ରାଜସ୍ଥାନ କୋଟାରେ ରହି କୋଚିଂ ନେଉଥିଲେ । ଓମ୍ ପ୍ରକାଶ ୩୦୦ରୁ ୩୦୦ ନମ୍ବର ରଖି ଟପ୍ପର ହୋଇଛନ୍ତି ।
ନିଜ ଏକାଗ୍ରତା ଓ ପରିଶ୍ରମ ବଳରେ ଓମ ପ୍ରକାଶ ନିଜ ଲକ୍ଷ୍ୟ ହାସଲ କରିଥିବା କହିଛନ୍ତି । ଓମ ପ୍ରକାଶ ସ୍ମାର୍ଟ ଫୋନ୍ ବ୍ୟବହାର କରୁ ନ ଥିବା କହିଛନ୍ତି । କାରଣ ଏହା ତାଙ୍କ ପଢ଼ାକୁ ପ୍ରଭାବିତ କରିବ ବୋଲି ସେ ଭାବୁଥିଲେ । ପ୍ରତିଦିନ ୮ରୁ ୯ ଘଣ୍ଟା ସେ ପାଠ ପଢ଼ୁଥିଲେ ।
ଓମ ପ୍ରକାଶଙ୍କ ମା’ ସ୍ମିତା ରାଣୀ ବେହେରା ଜଣେ କଲେଜ ଅଧ୍ୟାପିକା । ପୁଅର ପଢ଼ା ପାଇଁ ସ୍ମିତା ୩ ବର୍ଷ ହେଲା ଚାକିରିରୁ ଛୁଟି ନେଇ କୋଟାରେ ପୁଅ ସହ ରହୁଥିଲେ ।
ଓମ ପ୍ରକାଶଙ୍କ ବାପା କମଳ କାନ୍ତ ବେହେରା ଜଣେ ଓଏଏସ ଅଫିସର । ପୁଅର କୋଚିଂ ପାଇଁ ସେ ଦିଲ୍ଲୀ ଡେପୁଟେଶନରେ ଥିଲେ, ଯାହାଦ୍ୱାରା ସେ ଦିଲ୍ଲୀରୁ କୋଟା ମଝିରେ ମଝିରେ ଯାଆସ କରୁଥିଲେ । ଓମ୍ ପ୍ରକାଶଙ୍କ ସଫଳତାକୁ ନେଇ ଉଭୟ ବାପା ମା’ ଏବଂ ପରିବାର, ପରିବଜନ ବେଶ୍ ଖୁସି ଥିବା ଜଣାପଡ଼ିଛି ।
ଶୁକ୍ରବାର ରାତିରେ ଜେଇ ମେନ୍ ରେଜଲ୍ଟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପ୍ରକାଶ ପାଇଛି । ୨୪ ଜଣ ଛାତ୍ରଛାତ୍ରୀ ୧୦୦ ପ୍ରତିଶତ ରେଜଲ୍ଟ କରିଥିବା ଜଣାପଡ଼ିଛି ।
ଜାନୁଆରୀ ଏବଂ ଏପ୍ରିଲ ମାସରେ ୨ଟି ସେସନରେ ପରୀକ୍ଷା ହୋଇଥିଲା । ମୋଟ ୧୫,୩୯,୮୪୮ ଜଣ ପରୀକ୍ଷା ପାଇଁ ରେଜିଷ୍ଟ୍ରେଶନ୍ କରିଥିବାବେଳେ ୧୪,୭୫,୧୦୩ ଜଣ ପରୀକ୍ଷା ଦେଇଥିଲେ ।