କଟକ(ଓଡ଼ିଶା ଭାସ୍କର): କଟକ ଅରିଲୋରେ ଅତ୍ୟାଧୁନିକ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟ ଆଜି ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି ରାଜ୍ୟର ସର୍ବବୃହତ ଓମଫେଡ ଡାଏରୀ ପ୍ଲାଣ୍ଟ । ଓମଫେଡ ପ୍ଲାଣ୍ଟ ଯୋଗୁଁ ୬ ଲକ୍ଷ ଦୁଗ୍ଧ ଚାଷୀ ଉପକୃତ ହେବେ । ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ପ୍ଲାଣ୍ଟରେ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ ହୋଇପାରିବ ଓ ୨ ଲକ୍ଷ ଲିଟର କ୍ଷୀରରୁ ଦୁଗ୍ଧ ପାଉଡର ପ୍ରସ୍ତୁତ ହେବ ।
ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ‘ଓମଫେଡ୍ ଡାଏରୀ ପ୍ଲାଣ୍ଟ ଲୋକାର୍ପିତ କରି ମୁଁ ବହୁତ ଖୁସି । ରାଜ୍ୟ ସରକାର ସର୍ବଦା ଚାଷୀମାନଙ୍କ ସହିତ ଅଛନ୍ତି । ଓମଫେଡର ବିକାଶରେ ୩ ଲକ୍ଷ ଚାଷୀଙ୍କ ଅବଦାନ ରହିଛି । ଏହି ୟୁନିଟରୁ ଦୈନିକ ୫ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ ହେବ । ଉନ୍ନତମାନର ଲସି, ଘିଅ, ପନିର ଆଦି ଉତ୍ପାଦନ ହେବ ।’ ଫଳରେ ରାଜ୍ୟର ଦୁଗ୍ଧ ଚାଷୀଙ୍କ ରୋଜଗାର ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।