fbpx
BJD SKY
BJD SKY

ରାଜ୍ୟରେ ୨୦ ହଜାର କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପାଇଁ ଆଜିଠୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା

BJD

ଭୁବନେଶ୍ୱର : ରାଜ୍ୟରେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଆଜିଠାରୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ । ଆଶାୟୀମାନେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ୍‌ (ସିବିଟି) ଦେବେ। ଏଥିନିମନ୍ତେ ୩୦ ଜିଲାର ୫୮ଟି ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ୧୭ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ ଏହି ପରୀକ୍ଷା ୭ଦିନ ଧରି ଚାଲିବ। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛ ତଥା ଶୃଙ୍ଖଳିତ ଭାବେ ସାରିବାକୁ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ଭର୍ଚ୍ଚୁଆଲରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମସ୍ତ ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାସ୍ତରରେ ଜିଲା ଶିକ୍ଷା ଅଧିକାରୀମାନେ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତିର ଠିକ୍‌ ବିବରଣୀ ପ୍ରଦାନ କରିଛନ୍ତି। ଜିଲାପାଳମାନେ ନିଜ ଜିଲାର ପରୀକ୍ଷା କେନ୍ଦ୍ରର ସୁପରିଚାଳନା ନିମନ୍ତେ ନୋଡାଲ ଅଫିସର ନିଯୁକ୍ତ କରିଛନ୍ତି। ପ୍ରତ୍ୟେକ ଜିଲାର ପୋଲିସ ଅଧିକାରୀ ପରୀକ୍ଷା କେନ୍ଦ୍ରରେ ପୋଲିସ୍‌ ଡିପ୍ଲୋମେଣ୍ଟ ନିମନ୍ତେ ପଦକ୍ଷେପ ନେଇଛନ୍ତି।

ରାଜ୍ୟସ୍ତରରେ ବିଭାଗ ସମେତ ଅନ୍ୟ ନିର୍ଦ୍ଦେଶାଳୟର ୧୮ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଜିଲା ଦାୟିତ୍ୱ ଦିଆଯାଇଛି। ବରିଷ୍ଠ ଅଧିକାରୀମାନେ ପରୀକ୍ଷା ଦିନଗୁଡିକରେ ଜିଲା ଗସ୍ତ କରିବା ସହ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଶାନ୍ତିଶୃଙ୍ଖଳା ସହିତ ପରୀକ୍ଷା କାର୍ଯ୍ୟର ତଦାରଖ କରିବେ। ପିଲାଙ୍କ ଆଡ୍‌ମିଟ୍‌ କାର୍ଡ ସମସ୍ୟାର ସମାଧାନ ପାଇଁ ଓସେପାରେ ଏକ ସୁବିଧା କେନ୍ଦ୍ର ଖୋଲାଯାଇଛି। ଏତଦ୍‌ବ୍ୟତୀତ ୪ଟି ସହର ଯଥା- ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର ଓ କୋରାପୁଟ ଜିଲାରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସହାୟକ କେନ୍ଦ୍ର ସହିତ ଓସେପା କାର୍ଯ୍ୟାଳୟ ପରିସରରେ ଏକ କମାଣ୍ଡ ସେଣ୍ଟର ଖୋଲାଯାଇଛି। ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସି କ୍ୟାମେରା ଦ୍ୱାରା ପରୀକ୍ଷାର ଲାଇଭ୍‌ ଷ୍ଟ୍ରିମିଂ ହୋଇପାରିବ। ପରୀକ୍ଷା ସୁପରିଚାଳନା ନିମନ୍ତେ ନିଆଯାଇଥିବା ଏସବୁ ପଦକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

Get real time updates directly on you device, subscribe now.