fbpx

ମହାଶିବରାତ୍ରୀରେ ଶିବମୟ ସାରା ରାଜ୍ୟ, ଲିଙ୍ଗରାଜଙ୍କ ପାଖରେ ୩ ଘଣ୍ଟା ବିଳମ୍ବରେ ଉଠିଲା ମହାଦୀପ

Advertisement

ଭୁବନେଶ୍ୱର,୧୮ା୨(ଭାସ୍କର ନ୍ୟୁଜ୍‌): ଶନିବାର ଥିଲା ଦେବଦେବ ମହାଦେବଙ୍କ ଜାଗର ଯାତ୍ରା । ଏଥିପାଇଁ ବଡ଼ି ଭୋରୁ ଶୈବପୀଠମାନଙ୍କରେ ଲାଗି ରହିଥିଲା ଶ୍ରଦ୍ଧାଳୁଙ୍କ ଗହଳି । ଶୃଙ୍ଖଳିତ ଦର୍ଶନ ପାଇଁ ସବୁଠି ବ୍ୟାପକ ବ୍ୟବସ୍ଥା କରାଯିବା ସହ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା । ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ, ଭଦ୍ରକର ଶ୍ରୀ ଆଖଣ୍ଡଳମଣୀ, କଟକର ବାବା ଧବଳେଶ୍ୱର, ପୁରୀର ଶ୍ରୀ ଲୋକନାଥ, ଢେଙ୍କାନାଳର କପିଳାସ ସମେତ ବିଭିନ୍ନ ଶୈବପୀଠରେ ଭକ୍ତମାନେ ଦେବଦେବ ମହାଦେବଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।

ଭଦ୍ରକର ଆଖଣ୍ଡଳମଣୀ ମନ୍ଦିରରେ ଶନିବାର ଭୋର ୪ଟାରେ ପହଡ଼ ଖୋଲାଯିବା ପରେ ମଙ୍ଗଳ ଆଳତୀ ସହ କନିକା ରାଜାଙ୍କ ପକ୍ଷରୁ ପହିଲି ଘର୍ଷଣ ଲାଗି କରାଯାଇଥିଲା । ପରେ ଖେଚୁଡ଼ି ଅନ୍ନ ନୀତି ଭୋଗ ଲାଗି ହେବା ପରେ ଭକ୍ତଙ୍କ ପାଇଁ ସାହାଣମେଲା କରାଯାଇଥିଲା । ସେହିପରି ଢେଙ୍କାନାଳର ପ୍ରମୁଖ ଶୈବପୀଠ କପିଳାସରେ ବାବା ଚନ୍ଦ୍ରଶେଖରଙ୍କୁ ଦର୍ଶନ ପାଇଁ ଭକ୍ତମାନେ ଭିଡ଼ ଜମାଇଥିଲେ । ଶ୍ରଦ୍ଧାଳୁମାନେ ବାରବାଙ୍କ ଓ ପାହାଚ ରାସ୍ତାରେ ମନ୍ଦିରକୁ ଯାଇ ବାବାଙ୍କୁ ଦର୍ଶନ କରିଥିଲେ । ହରହର ମହାଦେବ ଧ୍ୱନୀରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା ।

Image

ସେହିପରି ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ହୋଇଥିବା ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁମାନେ ଦିନ ତମାମ ଜାଗର ଜାଳି ଉଜାଗର ରହିଥିଲେ । ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିବାବେଳେ ମହାପ୍ରଭୁଙ୍କ ସେବାରେ ବିଳମ୍ବ ଘଟିବାରୁ ୩ ଘଣ୍ଟା ବିଳମ୍ବରେ ଅର୍ଥାତ୍ ରାତି ଗୋଟାଏରେ ମହାଦୀପ ଉଠିଥିଲା । ଭକ୍ତମାନେ ଶ୍ରଦ୍ଧାର ସହ ମହାଦୀପକୁ ନମସ୍କାର କରିବା ସହ ନିଜର ଭକ୍ତିପୂତ ଅର୍ଘ୍ୟ ଅର୍ପଣ କରୁଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.