ଆଉ ଚାଷୀଙ୍କ ଉତ୍ପାଦ ହେବନି ନଷ୍ଟ, ସରକାର ନେଉଛନ୍ତି ଆବଶ୍ୟକୀୟ ପଦକ୍ଷେପ

ଭୁବନେଶ୍ୱର- ରାଜ୍ୟରେ ଆବଶ୍ୟକ ମୁତାବକ ଶୀତଳ ଭଣ୍ଡାର ପବଲିକ ପ୍ରାଇଭେଟ ପାର୍ଟନରସିପରେ ଖୋଲାଯିବ ବୋଲି ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । ବିଧାୟକ ସଞ୍ଜଳି ମୁର୍ମୁ ଜାଣିବାକୁ ଚାହିଁଥିଲେ କି ବାଙ୍ଗିରିପୋଶୀର କୁଲିଅଣା ଓ ଅନ୍ୟ ବ୍ଲକରେ ଉତ୍ପାଦନ ହେଉଥିବା ଲେମ୍ବୁ ସଂରକ୍ଷଣ କରି ରଖିବାକୁ କୌଣସି ଶୀତଳ ଭଣ୍ଡାର ହେବାକୁ ଯାଉଛି କି ନାହିଁ । ଏନେଇ ମୁର୍ମୁଙ୍କ ପ୍ରଶ୍ନର ଉତ୍ତରରେ ସିଂହଦେଓ ଏହି ଉତ୍ତର ରଖିଛନ୍ତି ।

ଉପମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି କି, ସରକାର ସବଡିଭିଜନସ୍ତରରେ ୫୨ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ସରକାର ଆବଶ୍ୟକ ମୁତାବକ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଆଗାମୀ ଦିନରେ ଚିନ୍ତା କରିବ । ତା ପରେ ସମାନ ପ୍ରସଙ୍ଗକୁ ନେଇ ବିଧାୟକ ଭାସ୍କର ମଢେଇ ଓ ଅଶ୍ୱିନୀ ପାତ୍ର ମଧ୍ୟ ପ୍ରଶ୍ନ କରିଥିଲେ । ପାତ୍ର ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କହିଥିଲେ କି, ପଶ୍ଚିମ ବଙ୍ଗରେ କୌଣସି ଶୀତଳ ଭଣ୍ଡାର ଘରୋଇ ସଂସ୍ଥା ଅଧୀନରେ ରହିଛି କି ନାହିଁ ତା ଉପରେ ସରକାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ମୁର୍ମୁଙ୍କ ପ୍ରଶ୍ନ ଆଧାରରେ ମନ୍ତ୍ରୀ କହିଲେ, ଫଳ ଓ ପରିବା ଚାରା ବାଙ୍ଗିରିପୋଶୀ ଚାଷୀଙ୍କ ମଧ୍ୟରେ ବିତରଣ କରାଯାଇ ସାରିଛି ।

ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବ ପାଇଁ ରାଜ୍ୟବାସୀଙ୍କୁ ବାହାର ରାଜ୍ୟ ଉପରେ ସବୁ ପନିପରିବା ପାଇଁ ନିର୍ଭର କରିବାକୁ ହେଉଛି । ତେଣୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପରିବାର ଦର ଆକାଶ ଛୁଆଁ ହେଉଛି । କାରଣ ଶୀତଳ ଭଣ୍ଡାର ନ ଥିବାରୁ ଆମ ଚାଷୀ ଉତ୍ପାଦନ କରୁଥିବା ପନିପରିବା, ଫଳକୁ ନଷ୍ଟ ହେବା ଭୟରେ ବାହାର ରାଜ୍ୟର ବେପାରୀଙ୍କୁ ବିକ୍ରି କରୁଛନ୍ତି, ଯାହା ପରବର୍ତ୍ତି ସମୟରେ ସିଜନ ପରେ ଆମ ରାଜ୍ୟକୁ ଆସୁଛି । ଏହି ସମସ୍ୟାର ସମାଧାନ ପାଇଁ ଏବେ ରାଜ୍ୟ ସରକାର ବିଶେଷ ଧ୍ୟା ଦେଇଛନ୍ତି ।