fbpx

ଭଉଣୀକୁ କରୁଥିଲା ଦୁଷ୍କର୍ମ: ରକ୍ଷାବନ୍ଧନରେ ହିଁ ଭାଇକୁ ହେଲା ୨୦ ବର୍ଷ ଜେଲ୍

କଟକ: ଭାଇ-ଭଉଣୀ ମଧ୍ୟରେ ଏକ ସମ୍ପର୍କ ଏବଂ ସୁରକ୍ଷାର ଡୋରୀ ହେଉଛି ରାକ୍ଷୀ । ଏହି ରକ୍ଷା ବନ୍ଧନରେ ଭଉଣୀକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତି ଦେବା ସହ ପ୍ରତିଜ୍ଞା କରିଥାଏ ଗୋଟିଏ ଭାଇ । କିନ୍ତୁ ମାଲକାନାଗିରି ଅଞ୍ଚଳରୁ ଏହାର ସମ୍ପୂର୍ଣ୍ଣ ବୀପରୀତ ଖବର ଏବେ ସାମନାକୁ ଆସିଛି । ସୁରକ୍ଷା ଦେବା ବଦଳରେ ଭଉଣୀର ଜୀବନ ନଷ୍ଟ କରି ଦେଇଛି ଅବିବେକୀ ଭାଇ । ଭଉଣୀକୁ ଦୁଷ୍କର୍ମ କରିବା ସହ ଗର୍ଭବତୀ କରିବା ଅଭିଯୋଗରେ ଉଚ୍ଚ ନ୍ୟାୟାଳୟ ଯୁବକକୁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ରକ୍ଷାବନ୍ଧନରେ ଅଭିଯୁକ୍ତକୁ ୨୦ ବର୍ଷର ଜେଲ୍ ପଠାଇଛନ୍ତି ହାଇକୋର୍ଟ ।

ସୂଚନା ଅନୁସାରେ, ମାଲକାନାଗିରି ଜିଲ୍ଲାରେ ଭାଇ-ଭଉଣୀ ସମ୍ପର୍କରେ କଳଙ୍କର ଛିଟା ଲାଗିଛି । ୧୪ବର୍ଷର ନାବାଳିକା ଭଉଣୀକୁ ବାରମ୍ବାର ଦୁଷ୍କର୍ମ କରିବା ସହ ତାଙ୍କୁ ଗର୍ଭବତୀ କରିଥିବା ଅଭିଯୋଗ ଆସିଛି ନିଜ ଭାଇ ଉପରେ । ଯାହାକୁ ନେଇ ମାମଲା ଏବେ ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଛି । ରକ୍ଷା ବନ୍ଧନ ଭଳି ଦିନରେ ପୀଡିତା ଭଉଣୀକୁ ଉଚିତ୍ ନ୍ୟାୟ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଅଭିଯୁକ୍ତର ଆବେଦନକୁ ଖାରଜ କରି ବିଚାରପତି ଏସ.କେ ସାହୁ ଅଭିଯୁକ୍ତ ଭାଇ ଉପରେ ୪୦,୦୦୦ ଟଙ୍କା ଜରିମାନା ଲାଗୁ କରିଛନ୍ତି । ଏହାସହିତ ଏଭଳି ଏକ ସଙ୍ଗୀନ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟର ବିଚାରପତି । ତେବେ ରକ୍ଷାବନ୍ଧନ ଭଳି ଦିନରେ ଏଭଳି ଏକ ଭାଇ-ଭଉଣୀ ସମ୍ପର୍କକୁ ନେଇ ଏଭଳି ଏକ ମାମଲାର ଶୁଣାଣୀ କରୁଥିବାରୁ ଦୁଃଖପ୍ରକାଶ କରିଛନ୍ତି ଉଚ୍ଚ ନ୍ୟାୟାଳୟ ।

ଏହି ମାମଲାର ଶୁଣାଣୀ ସମୟରେ ବିଚାରପତି ସାହୁ କହିଛନ୍ତି ଯେ, ଏଭଳି ଏକ ପବିତ୍ର ଦିନରେ ଭାଇ-ଭଉଣୀଙ୍କ ସମ୍ପର୍କକୁ ନେଇ ଏଭଳି ମାମଲାରେ ରାୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ବିଡ଼ମ୍ବନାର ବିଷୟ । ଆଜି(ରକ୍ଷା ବନ୍ଧନ) ଭଳି ଦିନରେ ଭାଇ ନିଜ ଭଉଣୀର ସୁରକ୍ଷା କରିବା ସହ ଶେଷ ପର୍ଯ୍ୟନ୍ତ ତା’ର ଲାଳନପାଳନ କରିବା ପାଇଁ ପ୍ରତିଶ୍ରୁତି ଦେଇଥାଏ । କିନ୍ତୁ ଏହି କେସରେ ମାମଲା ସମ୍ପୂର୍ଣ୍ଣ ଅଲଗା ।

ସୂଚନା ଅନୁସାରେ, ୨୦୧୮ରୁ ୨୦୧୯ ମଧ୍ୟରେ ନାବାଳିକା ଭଉଣୀଙ୍କୁ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିବା ଅଭିଯୋଗରେ ପୂର୍ବରୁ ମାଲକାନାଗିରି ସ୍ପେଶାଲ ଜଜ୍ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ସାରିଥିଲେ । ଏହାବ୍ୟତୀତ ଏହି ଘଟଣା ବାହାରେ ପ୍ରଘଟ ନ କରିବା ପାଇଁ ପୀଡ଼ିତାଙ୍କୁ ଧମକାଇବା ଅଭିଯୋଗରେ ମଧ୍ୟ ଗତ ୨୦୨୦ ଜାନୁୟାରୀ ମାସରେ କୋର୍ଟ ଅଭିଯୁକ୍ତକୁ ଦୋଷୀ ଭାବରେ ଘୋଷଣା କରିଥିଲେ । ବର୍ତ୍ତମାନ ରକ୍ଷା ବନ୍ଧନ ପରି ଦିନରେ ଜଣେ ବେସାହାରା ଭଉଣୀକୁ ନ୍ୟାୟ ମିଳିବା ସହ ରାକ୍ଷସ ଭାଇ ହାତରୁ ମୁକ୍ତି ମିଳିଛି ।

Get real time updates directly on you device, subscribe now.