fbpx

କେବେ ଥିଲେ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ, ଆଜି ମୋଦୀଙ୍କ ରେଳ ମନ୍ତ୍ରୀ, ଜାଣନ୍ତୁ ଅଶ୍ଵିନୀ ବୈଷ୍ଣବଙ୍କ ଜୀବନ ଯାତ୍ରା

ଭୁବନେଶ୍ଵର(ଓଡିଶା ଭାସ୍କର): ବହୁ କଳ୍ପନା ଜଳ୍ପନା ଅନ୍ତ ଘଟିଲା। ଶେଷରେ ମୋଦୀ ସରକାରର ଦ୍ଵିତୀୟ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳର ହେଲା ସଂପ୍ରସାରଣ। ଏଥିରେ ପୂର୍ବାପେକ୍ଷା ଓଡିଶାକୁ ମିଳିଲା ଗୁରୁତ୍ଵ। ଓଡିଶାରୁ ବିଜେପି କୋଟାରୁ ରାଜ୍ୟସଭାକୁ ପ୍ରଥମ ଥର ସାଂସଦ ହୋଇଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶ୍ଵିନୀ ବୈଷ୍ଣବଙ୍କୁ ମିଳିଛି ରେଳ ବିଭାଗ ପରି ଗୁରୁ ଦାୟିତ୍ଵ। ଦେଶର ନୂତନ ରେଳ ମନ୍ତ୍ରୀ ହୋଇଥିବା ଅଶ୍ଵିନୀ ବୈଷ୍ଣବ ଆଇଆଇଟି କାନପୁରରେ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି। ସେ ହେଉଛନ୍ତି ୧୯୯୪ ବ୍ୟାଚର ଓଡିଶା କ୍ୟାଡରର ଆଇଏଏସ ଅଧିକାରୀ। ତାଙ୍କର ସର୍ବଭାରତୀୟସ୍ତରରେ ରାଙ୍କ ଥିଲା ୨୭। ସେ ଓଡିଶାର ବାଲେଶ୍ଵର ଓ କଟକ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାମ କରିଛନ୍ତି। କେବଳ ଏତିକି ନୁହେଁ ସେ ପେନସିଲଭାନିଆ ବିଶ୍ଵ ବିଦ୍ୟାଳୟରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ରେଳ ମନ୍ତ୍ରୀ ହେବା ପରେ ଏବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଓ ଡିଗ୍ରୀକୁ ନେଇ ଚାରି ଆଡେ ଚର୍ଚ୍ଚା। ହେଲେ ଏସବୁ ମଧ୍ୟରେ ଏହି ପ୍ରଶ୍ନ ମଧ୍ୟ ଉଠୁଛି ଯେ, ଅଚାନକ ତାଙ୍କୁ ଏତେ ବଡ ଦାୟିତ୍ଵ କେମିତି ମିଳିଲା ଏବଂ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏତେ ନିକଟତର ହେଲେ କେମିତି।

ଅଟଳ ବିହାରୀ ବାଜପେୟୀଙ୍କ ସହ କରିଛନ୍ତି କାମ

ଅଶ୍ଵିନୀ ବୈଷ୍ଣବ ୧୯୯୪ ବ୍ୟାଚର ଆଇଏଏସ ଅଧିକାରୀ ଥିଲେ ଏବଂ ୨୦୦୩ ପର୍ଯ୍ୟନ୍ତ ଓଡିଶାରେ ହିଁ କାମ କରିଥିଲେ। ଏହା ପରେ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅଫିସରେ ଉପ ସଚିବ ଦାୟିତ୍ଵ ଦିଆଯାଇଥିଲା। ସେଠାରେ ସେ ବିନିର୍ମାଣ ପ୍ରକଳ୍ପରେ ପବ୍ଲିକ ପ୍ରାଇଭେଟ୍ ପାର୍ଟନଶିପର ଢାଞ୍ଚା ପ୍ରସ୍ତୁତ କରିଥିଲେ। ଏହା ପରେ ଯେବେ ଅଟଳଙ୍କ ସରକାର କେନ୍ଦ୍ରରୁ ଚାଲିଗଲା, ତେବେ ବୈଷ୍ଣବ ତାଙ୍କ ବ୍ୟକ୍ତିଗତ ସଚିବ ଭାବେ କାମ କରିଥିଲେ। ପୁଣି ୨୦୦୬ରେ ତାଙ୍କୁ ମୋରମୁଗାଓ ପୋର୍ଟ ଟ୍ରଷ୍ଟର ଡେପୁଟୀ ଚେୟାରମ୍ୟାନ ଭାବେ ନିଯୁକ୍ତି ଦିଆଯାଇଥିଲା।

କଣ ରହିଛି ଗୁଜରାଟ କନେକ୍ସନ

ଦୁଇ ବର୍ଷ ପର୍ଯ୍ୟନ୍ତ ସେ ଏହି ପଦରେ କାମ କରିବା ପରେ ଏମବିଏ ପାଇଁ ବିଦେଶ ଚାଲି ଯାଇଥିଲେ। ଭାରତ ଫେରିବା ପରେ ସେ ଜିଇ ପରିବହନ କମ୍ପାନୀରେ ପରିଚାଳକ ନିର୍ଦ୍ଦେଶକ ଭାବେ କାମ କରିଥିଲେ। କିଛି ଅନ୍ୟ କମ୍ପାନୀରେ ମଧ୍ୟ ଉଚ୍ଚ ପଦବୀରେ ରହିଥିଲେ। ଶେଷରେ ସେ ୨୦୧୨ରେ କର୍ପୋରେଟ ସେକ୍ଟରକୁ ଛାଡି ଦେଇଥିଲେ। ଏହା ପରେ ଗୁଜରାଟରେ ଦୁଇଟି କମ୍ପାନୀ ସ୍ଥାପନ କରିଥିଲେ। ଏହି କମ୍ପାନୀର କାମ ଅଟୋମେଟିଭ୍ କମ୍ପୋନେଣ୍ଟ୍ସର ମ୍ୟାନୁଫେକଚରିଂ କରିବାର ଥିଲା। ଏହା ହିଁ ଥିଲା ତାଙ୍କର ଗୁଜରାଟ କନେକ୍ସନ।

ନିର୍ଦ୍ଵନ୍ଦରେ ରାଜ୍ୟସଭାକୁ ନିର୍ବାଚିତ

ଉଦ୍ୟମୀ ହେବା ସହ ସେ ରାଜନୀତିରେ ସଂଶ୍ଳିଷ୍ଟ ଥିଲେ। ୨୦୧୯ରେ  ବିଜେପି ତାଙ୍କୁ ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ କରିଥିଲା। ତାଙ୍କର ପ୍ରାର୍ଥୀତ୍ଵକୁ କ୍ଷମତାସୀନ ବିଜେଡି ମଧ୍ୟ ସମର୍ଥନ କରିଥିଲା। ଏହି ପରି ସେ ଓଡିଶାରୁ ରାଜ୍ୟସଭାକୁ ନିର୍ଦ୍ଵନ୍ଦରେ ନିର୍ବାଚିତ  ହୋଇଥିଲେ।

ମୋଦୀଙ୍କ ଭିଜନ ପୂରା କରିବି

ବୁଧବାର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବା ପରେ ଗୁରୁବାର ଅଶ୍ଵିନୀ ବୈଷ୍ଣବ ଗୁରୁବାର ସକାଳେ ରେଳ ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ପଦଭାର ସମ୍ଭାଳିବା ପରେ  ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଜନ ରେଳ ଜରିଆରେ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା। ଏଥିରେ ସାଧାରଣ ଜନତା, କୃଷକ, ଗରିବ ସମସ୍ତଙ୍କୁ ଫାଇଦା ମିଳିବା ଉଚିତ୍। ମୁଁ ତାଙ୍କ ଭିଜନ ପୂରା କରିବା ପାଇଁ କାମ କରିବି ବୋଲି ଅଶ୍ଵିନୀ ବୈଷ୍ଣବ କହିଛନ୍ତି।

Get real time updates directly on you device, subscribe now.