ନୂଆଦିଲ୍ଲୀ: ଆପଣମାନେ ଦୈନନ୍ଦିନ ଜୀବନରେ ଖାଉଥିବା ଗାଜରକୁ ନେଇ ଆସିଛି ଏକ ବଡ଼ ଚିନ୍ତାଜନକ ଖବର । ଗାଜର ଖାଇବା ପରେ ଜଣଙ୍କର ମୃତ୍ୟୁ ଘଟିବା ସହ ୧୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆମେରିକାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ତେବେ ଏହି ଘଟଣାକୁ ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର (ସିଡିସି) ପକ୍ଷରୁ ଗୁରୁତ୍ୱ ଦିଆଯିବା ସହ ଏନେଇ ଚେତାବନୀ ଜାରି କରାଯାଇଛି । ଆମେରିକାର ସମସ୍ତ ଷ୍ଟୋରରୁ ଗାଜର ଫେରାଇବାକୁ କୁହାଯାଇଥିବା ଜଣାପଡ଼ିଛି ।
ଅର୍ଗାନିକ ଗାଜର ସହ ଇ. କୋଲି ଜୀବାଣୁର ସମ୍ପର୍କ ରହିଥିବା ସିଡିସି ପକ୍ଷରୁ କୁହାଯାଇଛି । ଏହି ମାମଲା ୧୮ଟି ରାଜ୍ୟକୁ ବ୍ୟାପିଥିବା ବେଳେ ୱାଶିଂଟନ, ମିନ୍ନେସୋଟା ଓ ନ୍ୟୁ ୟର୍କରେ ସର୍ବାଧିକ ମାମଲା ଦେଖିବାକୁ ମିଳିଛି । ଗତ ସେପ୍ଟେମ୍ବର ମାସରେ ଏହି ଜୀବାଣୁର ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୬ରୁ ୨୮ ତାରିଖ ମଧ୍ୟରେ କିଛି ଲୋକ ସଂକ୍ରମିତ ହୋଇଥିଲେ । ତେଣୁ ଲୋକଙ୍କୁ ଗାଜର ନ ଖାଇବାକୁ କୁହାଯାଇଛି ଏଥିସହିତ ପ୍ରଭାବିତ ଗାଜର ଆଉ ଷ୍ଟୋରରେ ଉପଲବ୍ଧ ହେବ ନାହିଁ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଲୋକଙ୍କ ଘରେ ରହିଥିବା ଗାଜରକୁ ଫିଙ୍ଗିଦେବାକୁ କୁହାଯାଇଛି । ଏସେଚରିଚିଆ କୋଲି ଜୀବାଣୁ ଦ୍ୱାରା ଏହି ସଂକ୍ରମଣ ବ୍ୟାପୁଥିବା ବେଳେ ତାହାର ଅଧିକାଂଶ ରୂପ ମଣିଷ ଓ ପଶୁଙ୍କ ଅନ୍ତନଳୀରେ ବାସ କରିଥାନ୍ତି । ତାହା କ୍ଷତିକାରକ ହୋଇନଥାଏ । ମାତ୍ର ଏପରି କିଛି ଇ. କୋଲି ବ୍ୟାକ୍ଟେରିଆ ରହିଛି ଯାହାକୁ ଖାଇବା ପାଇଁ ତାହା ସ୍ୱାସ୍ଥ୍ୟ ପ୍ରତି ବିପଦ ସାଜିପାରେ । ଏହା ପାକସ୍ଥଳୀ ରୋଗର ଆଶଙ୍କା ବଢ଼ାଇପାରେ । ଜ୍ୱର, ପେଟ ଯନ୍ତ୍ରଣା ଓ ଡିହାଇଡ୍ରେସନ ବାନ୍ତି ଆଦି ସବୁ ଏହାର ଗୋଟିଏ ଗୋଟିଏ ଲକ୍ଷଣ ଅଟେ ।