fbpx

ବିଶ୍ୱରେ ଗରମ ପାଇଁ ୭ ଜଣରେ ଜଣେ ଅସୁସ୍ଥ: ରିପୋର୍ଟ

Advertisement

ନୂଆଦିଲ୍ଲୀ: ଦିନକୁ ଦିନ ପୃଥିବୀର ତାପମାତ୍ରା ବଢ଼ୁଛି । ଅନ୍ୟପକ୍ଷରେ ଦାରିଦ୍ର୍ୟ ମଧ୍ୟରେ ବାସ କରୁଥିବା ଲୋକମାନେ ଶରୀରକୁ ଥଣ୍ଡା ରଖିବା ପାଇଁ ଆବଶ୍ୟକ ଉପକରଣ କିମ୍ବା ନିରନ୍ତର ବିଜୁଳି ଯୋଗାଣର ସୁବିଧା ପାଉନାହାନ୍ତି । ଏଥିପାଇଁ ବିଶ୍ୱରେ ପ୍ରତି ୭ ଜଣରେ ଜଣଙ୍କ ଜୀବନ ପ୍ରତି ସ୍ୱାସ୍ଥ୍ୟଜନିତ ବିପଦ ରହିଛି । ବିଶ୍ୱରେ ୧୨୦ କୋଟି ଲୋକ ଏଭଳି ଭୟଙ୍କର ବିପଦର ସମ୍ମୁଖୀନ ହେଉଛନ୍ତି ।

ରୁଆଣ୍ଡାର କିଗାଲିଠାରେ ଗ୍ଲୋବାଲ ଏନର୍ଜି ଫୋରମରେ ଉନ୍ମୋଚିତ ‘ସଷ୍ଟେନବେଲ୍ ଏନର୍ଜି ଫର ଅଲ୍’ ଆନୁଆଲ ରିପୋର୍ଟ ଚିଲିଂ ପ୍ରସପେକ୍ଟସ: ଟ୍ରାକିଂ ସଷ୍ଟେନେବଲ୍ କୁଲିଂ ଫର ଅଲ୍ ୨୦୨୨ ଉନ୍ମୋଚନ ଅବସରରେ ଏଭଳି ତଥ୍ୟ ପଦାକୁ ଆସିଛି । ଅତ୍ୟଧିକ ତାପମାତ୍ରା ଯୋଗୁ ସମାଜରେ ଆର୍ôଥକ ଦୁର୍ବଳ ବର୍ଗର ଲୋକଙ୍କ ପ୍ରତି ଅଧିକ ବିପଦ ସୃଷ୍ଟି ହୋଇଛି । କାରଣ ବିଭିନ୍ନ ପ୍ରକାର କୁଲିଂ ସାମଗ୍ରୀ ସେମାନଙ୍କ ହାତପାଆନ୍ତାରେ ରହୁନାହିଁ । କୁଲିଂ ସୁବିଧା ଯୋଗାଣ ନେଇ ଯଦି ନିରନ୍ତର ବିକାଶ ଲକ୍ଷ୍ୟକୁ ହାସଲ କରାନଯିବ ତାହେଲେ ଲୋକଙ୍କ ଜୀବନ ପ୍ରତି ବିପଦ ଅଧିକ ରହିବ ।

ବିଶ୍ୱର ୭୬ଟି ଦେଶରେ କୁଲିଂ ସୁବିଧା ପାଇବା ନେଇ ରହିଥିବା ସମସ୍ୟାକୁ ଉକ୍ତ ରିପୋର୍ଟରେ ଅନୁଧ୍ୟାନ କରାଯାଇଛି । ବିଶ୍ୱରେ ୧୨୦ କୋଟି ଲୋକଙ୍କ ପାଖରେ କୁଲିଂ ସୁବିଧା ନଥିବାରୁ ଅଧିକ ତାପମାତ୍ରାରେ ବଞ୍ଚିରହିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । କେବଳ ସେତିକି ନୁହେଁ, ପୁଷ୍ଟିକର ଖାଦ୍ୟ ସାଇତି ରଖିବା ଏବଂ ନିରାପଦରେ ଟିକା ନେବା ସମସ୍ୟା ସୃଷ୍ଟି ହୋଇଛି । ବର୍ତ୍ତମାନର ଧାରା ଅବ୍ୟାହତ ରହିଲେ ଆହୁରି ଅଧିକ ଲୋକ ଚଳିତ ଦଶନ୍ଧି ଗରମ ପାଇଁ ୭ ଜଣରେ ଜଣେ ଅସୁସ୍ଥ ଶେଷବେଳକୁ ଅସୁବିଧାରେ ରହିଥିବେ । କିନ୍ତୁ ସମସ୍ତଙ୍କୁ ବିଜୁଳି ସୁବିଧା ଉପଲବ୍ଧ ହେଲେ ଏବଂ ଉତ୍କଟ ଦାରିଦ୍ର୍ୟ ହ୍ରାସ ପାଇଲେ ଜୀବନ ପ୍ରତି ଅଧିକ ବିପଦ ଥିବା ଲୋକଙ୍କ ସଂଖ୍ୟା ୩୬ ପ୍ରତିଶତ ବା ୪୫ କୋଟିରୁ ଅଧିକ ହ୍ରାସ ପାଇବ । ବିଶ୍ୱର କୋଟି କୋଟି ଲୋକଙ୍କ ପାଇଁ ଏହି ରିପୋର୍ଟ ଚିନ୍ତା ଉଦ୍ରେକକାରୀ ବିଷୟ ହୋଇଛି ।

ତାପମାତ୍ରା ଯେତେବେଳେ ଗ୍ରୀଷ୍ଣଲହରୀ ସ୍ତରକୁ ଯାଉଛି ସେତେବେଳେ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ବନ୍ଦ ରହିପାରିବ ନାହିଁ । ଯେଉଁମାନେ ଦାରିଦ୍ର୍ୟ ସୀମାରେଖା ତଳେ ବଞ୍ଚୁଛନ୍ତି କିମ୍ବା ଯେଉଁମାନଙ୍କ ନିକଟରେ ସୁଲଭ ଏବଂ ନିରନ୍ତର ଶକ୍ତି ପହଞ୍ଚି ପାରୁନାହିଁ କୁଲିଂ ଉତ୍ପାଦ ବିନା ସେହି ପରିବେଶ ସହିତ ଖାପ ଖୁଆଇ ଚଳିବା କଷ୍ଟକର ହୋଇପଡ଼ିଛି । ୨୦୧୪ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆକଳନ କରାଯାଇଥିଲା ଯେ ଗ୍ରୀଷ୍ଣଲହରି ଯୋଗୁ ବିଶ୍ୱରେ ବର୍ଷକୁ ୧୨ ହଜାର ଲୋକଙ୍କ ଜୀବନ ଯିବ । କିନ୍ତୁ ୮ ବର୍ଷ ପରେ ଏହି ସମସ୍ୟା ବହୁଗୁଣିତ ହୋଇଥିବା ଦେଖାଦେଉଛି ।

ଲାନସେଟର ଏକ ନୂଆ ରିପୋର୍ଟରୁ ଜଣାଯାଇଛି ଯେ ଅତ୍ୟଧିକ ଗରମ ଯୋଗୁ ୨୦୧୯ରେ କେବଳ ୩,୫୬,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଭାରତର ମୋଟ ଲୋକସଂଖ୍ୟାରୁ ୩୬ ପ୍ରତିଶତ ହେଉଛନ୍ତି ଗ୍ରାମାଞ୍ଚଳର ଗରିବ ଲୋକ । ଯଦିଓ ସେମାନଙ୍କ ନିକଟରେ ପାଖାପାଖି ୧୦୦ ପ୍ରତିଶତ ବିଜୁଳି ପହଞ୍ଚ ରହିଛି କିନ୍ତୁ ଶୀତଳତା ପ୍ରଦାନକାରୀ ଉପାଦାନ ନାହିଁ । ଭାରତର ୧୪୦ କୋଟି ଲୋକରେ ମାତ୍ର ୧୬.୨ କୋଟି ରେଫ୍ରିଜରେଟର ରହିଛି ବୋଲି କୁହାଯାଇଛି ।

Get real time updates directly on you device, subscribe now.