ସ୍ୱାମୀ ହତ୍ୟାରିଣୀ ସୋନମକୁ ଜଗିଛି CCTV, ମାସେ ବିତିଗଲା ହେଲେ କେହି ଦେଖାକରିବାକୁ ଆସିଲେନି…

କାହାରି ସହ ହେଉନି କଥା । ଅପରାଧ ପାଇଁ ମନରେ ନାହିଁ ଟିକେ ବି ପଶ୍ଚାତାପ ।

ନୂଆଦିଲ୍ଲୀ: ବ୍ୟବସାୟୀ ରାଜା ରଘୁବଶୀଙ୍କୁ ହତ୍ୟା କରିଥିବା ସ୍ତ୍ରୀ ସୋନମ ରଘୁବଶୀ ଜେଲରେ ମାସେ କାଳ ସମୟ ବିତେଇସାରିଲାଣି । ଏ ଭିତରେ ସୋନମର ବ୍ୟବହାରକୁ ନେଇ ଆସିଛି ବଡ଼ ଖବର ।

ହନିମୁନରେ ସ୍ୱାମୀଙ୍କୁ ହତ୍ୟା କରିବା ନେଇ ସୋନମ ପାଖରେ କୌଣସି ଦୁଃଖ କିମ୍ବା ଅବଶୋଷ ଦେଖାଯାଉ ନ ଥିବାବେଳେ ସେ ନିଜ କୁକର୍ମକୁ ନେଇ କୌଣସି ପ୍ରକାର ପଶ୍ଚାତାପରେ ନ ଥିବା କୁହାଯାଉଛି ।

କାହା ସହ ନାହିଁ କଥା

ସିଲଂ ଜେଲରେ ସୋନମ ମାସେ ହେବ ରହିଲାଣି, ବର୍ତ୍ତମାନ ସୁଦ୍ଧା ସୋନମର କୌଣସି ଘର ଲୋକ ତାକୁ ଦେଖା କରିବାକୁ ଆସି ନ ଥିବା ଜଣାପଡ଼ିଛି । ସୋନମ ତା’ ସାଥୀ କଏଦୀଙ୍କ ସହ ମଧ୍ୟ କୌଣସି ପ୍ରକାର କଥାବାର୍ତ୍ତା ହେଉ ନ ଥିବା କୁହାଯାଉଛି ।

ସୋନମର ସବୁ ଗତିବିଧି ସିସିଟିଭି କ୍ୟାମେରାରେ କଏଦ କରାଯାଉଛି । ଜେଲରେ ଥିବା ମୋଟ ୨୦ ମହିଳା କଏଦୀଙ୍କ ଭିତରୁ ସୋନମ ୨ୟ କଏଦୀ ଯେ, ହତ୍ୟା ମାମଲାରେ ଜେଲରେ ସଜା କାଟୁଛି ।

ଜଗିଛି କ୍ୟାମେରା
ମେ ୧୧ରେ ସୋନମ ଓ ରାଜାଙ୍କ ବାହାଘର ହୋଇଥିଲା । ମେ ୨୦ରେ ସେମାନେ ମେଘାଳୟ ହନିମୁନ୍ ପାଇଁ ଯାଇଥିଲେ । ଏହାପରେ ଦୁଇଜଣଯାକ ହଠାତ୍ ନିଖୋଜ ହୋଇଗଲେ । ସେମାନଙ୍କ ଘର ଲୋକ ଥାନାରେ ଅଭିଯୋ କଲାପରେ ଖୋଜାଖୋଜି ଆରମ୍ଭ ହେଲା ।

ଏହାପରେ ଜୁନ୍ ୨ ତାରିଖରେ ରାଜାଙ୍କ ଗଳିତ ମୃତଦେହ ଅଳିଆ ଗଦାରୁ ମିଳିଥିବାବେଳେ ଅଚେତ ଅବସ୍ଥାରେ ସୋନମ ଘାଜିପୁରରୁ ଉଦ୍ଧାର ହୋଇଥିଲେ । ପରବର୍ତ୍ତର ମୁହୂର୍ତ୍ତରେ ସୋନମ ପୋଲିସ ନିକଟରେ ଆତ୍ମସମର୍ପଣ କରି ଦୋଷ ସ୍ୱୀକାର କରିଥିଲେ ।

ରାଜା ହତ୍ୟକାଣ୍ଡରେ ସୋନମକୁ ତା’ ପ୍ରେମିକ ଏବଂ ଅନ୍ୟ ୨ ଜଣ ସହଯୋଗ କରିଥିଲେ । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା ।