fbpx

ସଙ୍କଟ ମଧ୍ୟରେ ରାଜ୍ୟର ଅନଲାଇନ ଶିକ୍ଷା, ଅଧାରୁ ପାଠ ଛାଡ଼ୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ ପାଇଁ ଆମ ସମାଜର କ’ଣ କ୍ଷତି ଘଟିଛି ତାହା ଆକଳନ କରିବା ନିହାତି କଷ୍ଟକର ପାଠ । ତେବେ ଲୋକଙ୍କର ଧନ ଜୀବନ ତ ନଷ୍ଟ ହେଉଛି, ଏବେ ବଳି ପଡ଼ିବାକୁ ଯାଉଛି ଶିକ୍ଷା । ଦୀର୍ଘ ଦୁଇବର୍ଷ ହେଲା ପିଲାମାନେ ସ୍କୁଲ ମାଡ଼ିନଥିବାରୁ ଅନଲାଇନ ପାଠ ହିଁ ଏକମାତ୍ର ସାହା ଭରସା । ତେଣୁ ଏଭଳି ସ୍ଥିତିରେ ଉପଯୁକ୍ତ ବିଦ୍ୟୁତ ଅଭାବ, ଡିଜିଟାଲ ବିଷୟରେ ଅଜ୍ଞତା ଆଦି ବିଭିନ୍ନ କାରଣରୁ ଉପାନ୍ତ ଅଞ୍ଚଳଗୁଡ଼ିକରେ ପିଲାଙ୍କର ପାଠପଢ଼ାରେ ଡୋରି ବନ୍ଧା ହେଲାଣି । କାହାର ମୋବାଇଲ ଫୋନ୍ ନାହିଁ ତ କେଉଁଠି ନେଟୱାର୍କ ଠିକରେ ଆସୁନି । ତେଣୁ ଘରେ ବସି ବସି ପିଲାମାନେ ବୋର ହେବା ଅପେକ୍ଷା ଏବେ ଖେଳ କୁଦରେ ମାତିଲେଣି । ଏମିତି ମାତିବା ଫଳରେ ଆଗକୁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଦୟନୀୟ ସ୍ଥିତିକୁ ଚାଲି ଆସିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନି ।

ତେବେ ଏଠାରେ କହିବା କଥା ହେଲା, କ’ଣ ହେବ ଏଇ ଛୋଟ ପିଲାଙ୍କର ଭବିଷ୍ୟତ । ଦୁଇବର୍ଷ ହେଲା ଯଦି ସରକାର ଏମାନଙ୍କ ପାଇଁ କିଛି କରି ନପାରିଲେ ଆଗକୁ କ’ଣ କରିପାରିବେ ତାହାକୁ ନେଇ ଉଠୁଛି ପ୍ରଶ୍ନ । କରୋନାର ଖେଳ କେବେ ବି ସରିବ ନାହିଁ, ଆଗକୁ ଏହି ସ୍ଥିତି ଜାରି ରହିବ ଏପରି ମତ ଦେଇଆସୁଛନ୍ତି ବିଶେଷଜ୍ଞମାନେ । ତେଣୁ ବିଚାର କଲେ ଜଣାଯାଏ, ଯଦି ପିଲାମାନେ ଠିକରେ ଶିକ୍ଷା ପାଇପାରିବେ ନାହିଁ ତେବେ ଆଗକୁ ଚାରିଆଡ଼େ ଖାଲି ମୁର୍ଖଙ୍କୁ ହିଁ ଦେଖିବାକୁ ମିଳିବ । ଶ୍ରେୀଣୀଗୃହ ଶିକ୍ଷାଦାନର ସ୍ଥାନ ଅନଲାଇନ କେବେ ବି ନେଇପାରିବ ନାହିଁ ଏହା ଆମ ସମସ୍ତଙ୍କୁ ସ୍ୱୀକାର କରିବାକୁ ହେବ ।

ରାଜ୍ୟ ସରକାର ଆସନ୍ତା ୨୭ ତାରିଖରେ ୟୁଟ୍ୟୁବରେ ଅନଲାଇନ କ୍ଲାସ ଆରମ୍ଭ କରିବା ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଛୋଟ ଛୋଟ ଗ୍ରୁପ କରି ପିଲାମାନଙ୍କୁ ପାଠ ପଢ଼ାଇବାକୁ କୁହାଯାଇଛି । ଗତ ୨୦୨୦ରେ ମାତ୍ର ୩୩ ପ୍ରତିଶତ ପିଲାଙ୍କ ପାଖରେ ଅନଲାଇନ ଶିକ୍ଷା ପହଞ୍ଚି ପାରିଥିଲା । ସେହିପରି ୨୦୨୧ରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବା ସହ ୪୦ ପ୍ରତିଶତ ପିଲା ଏଥିରେ ଉପକୃତ ହୋଇଥିଲେ । ଗୋଟିଏ ପଟେ କୋଭିଡ୍ ମାଡ଼ି ଚାଲିଥିବା ବେଳେ ଆଗକୁ ଶିକ୍ଷାଦାନ କିପରି ରହିବ ତାହା ସମୟ ହିଁ କହିବ ।

Get real time updates directly on you device, subscribe now.