ନୂଆଦିଲ୍ଲୀ: କରୋନାରେ ଶଢୁଛି ସାରା ଦେଶ । ଏଥିପାଇଁ ସମସ୍ତ ସତର୍କତା ଓ ନିୟମ କଡ଼ାକଡ଼ି ଭାବେ ଲାଗୁ ହୋଇଛି । କିନ୍ତୁ ଦେଶରେ କମୁନି ସଂକ୍ରମଣ ହାର । ଏପରିକି କେତେକ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଡ଼ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ସେହିପରି ଆଉକେତେକ ରାଜ୍ୟର ମୃତ୍ୟୁ ସଂଖ୍ୟାକୁ ନେଇ ମଧ୍ୟ ବଡ଼ ସଂକଟଜନକ ସ୍ଥିତି ଉପୁଜିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଜାରି କରିଥିବା ତଥ୍ୟ ଅନୁସାରେ ୭ ରାଜ୍ୟରେ ପ୍ରତିଦିନ ୧୦ହଜାରରୁ ଅଧିକ ନୂଆ ରିପୋର୍ଟ ଦେଖାଯାଉଛି । ସେହିପରି ୬ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ରହିଛି ।
ସ୍ୱାସ୍ଥ୍ୟ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଦେଶର ୯୩ ଜିଲ୍ଲାରେ କରୋନାର ନୂଆ ଆକ୍ରାନ୍ତ ଚିହ୍ନଟ କମ ହେବା ସହିତ ପଜିଟିଭିଟି ହାର କମିବାରେ ଲାଗିଛି । ଦେଶରେ ପଜିଟିଭିଟି ରେଟ୍ ୨୦ ପ୍ରତିଶତ ତଳକୁ ଖସିଛି । ଟେଷ୍ଟିଂ ଫଳାଫଳ ମଧ୍ୟ ଭଲ ରହିଛି । କିନ୍ତୁ ତାମିଲନାଡୁରେ ବଢୁଥିବା କରୋନା ସଂକ୍ରମଣ ପାଇଁ ଚିନ୍ତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଗାଁ ଗୁଡ଼ିକରେ କରୋନାର ଦ୍ୱିତୀୟ ଲହର ଅଧିକ ମାତ୍ରାରେ ସାମ୍ନାକୁ ଆସୁଛି । ଭାରତରେ ଶନିବାର ୨.୫୭ ଲକ୍ଷ କରୋନା ଆକ୍ରାନ୍ତ ସଂଖ୍ୟା ସାମ୍ନାକୁ ଆସିଛି ଏବଂ ୨୪ ଘଣ୍ଟାରେ ୪୧୯୪ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ।
ଶ୍ରୀ ଅଗ୍ରୱାଲ୍ ଆହୁରି କହିଛନ୍ତି ଯେ ଦେଶର ୮ଟି ରାଜ୍ୟରେ ୧ ଲକ୍ଷରୁ ଅଧିକ ଲେଖାଏ ଆକ୍ଟିଭ କେସ୍ ରହିଛି । ସେହି ଅନୁସାରେ ୨୦ଟି ରାଜ୍ୟରେ ୫୦ ହଜାରରୁ କମ ଆକ୍ଟିଭ କେସ ରହିଛି । ତେବେ ଏଭଳି ସ୍ଥିତିରେ ଦେଖାଦେଇଥିବା ମହାମାରୀ ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ଔଷଧ ଉତ୍ପାଦନ ବଢ଼ାଇବାକୁ ବିଭିନ୍ନ କମ୍ପାନି ପ୍ରୟାସ ଜାରି ରଖିଛନ୍ତି । ସମ୍ପ୍ରତି Amphotericin-B ଦେଶରେ ସୀମିତ ସଂଖ୍ୟାରେ ରହିଛି ଏବଂ ଉତ୍ପାଦନକୁ ବଢ଼ାଇବା କାର୍ଯ୍ୟ ଜାରି ରହିଛି । ଔଷଧ କମ୍ପାନିଗୁଡ଼ିକ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ପରାମର୍ଶରେ କାମ କରୁଛନ୍ତି । ଏଥିସହ ୫ଟି କମ୍ପାନିଙ୍କୁ ଏହି ଔଷଧ ତିଆରି କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି ।
ଅନୁରୂପ ଭାବେ କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ନିତି ଆୟୋଗ ସଦସ୍ୟ ଭିକେ ପାଲ କହଛନ୍ତି ଯେ ବିଭିନ୍ନ ରାଜ୍ୟରେ ଲକଡାଉନ ଭଳି ପ୍ରତିବନ୍ଧକ ଲଗାଯାଇଛି । ଫଳରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଆକ୍ଟିଭ କେସ ହ୍ରାସ ହେବା ସହ ସୁସ୍ଥ ହାର ବଢୁଛି । କିନ୍ତୁ ପିଲାଙ୍କ ପାଇଁ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ସେ କହିଛନ୍ତି ।