fbpx

କଲ ସେଣ୍ଟର ଖୋଲି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା; MBBS ଆଡମିଶନ ନାମରେ କରୁଥିଲେ ଠକେଇ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ନୋଏଡ଼ାରୁ ଠକେଇର ଏକ ବଡ଼ ମାମଲା ସମ୍ନାକୁ ଆସିଛି । ଠକମାନଙ୍କର ଏକ ଉଚ୍ଚ ପ୍ରୋଫାଇଲ୍ ଗ୍ୟାଙ୍ଗ ନିକଟସ୍ଥ ଅଞ୍ଚଳରେ ଏକ ବଡ଼ କାର୍ଯ୍ୟାଳୟ ଖୋଲିଥିଲେ । ଏହି କାର୍ଯ୍ୟାଳୟରେ ୧୦୦ ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ସୂଚନା ଅନୁଯାୟୀ ମେଡିକାଲ ସରକାରୀ କଲେଜରେ ଆଡମିଶନ କରାଇବା ନାମରେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ନେଇଥିଲେ । କିନ୍ତୁ ବର୍ତ୍ତମାନ ଅଫିସ୍ ବନ୍ଦ କରି ପୁରା ଗ୍ୟାଙ୍ଗ ଫେରାର ହୋଇ ଯାଇଛି । ମାମଲା ରୁଜୁ କରିବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ରାଜ୍ୟରେ ଚଢାଉ କରୁଛି ।

ଏହି ଗ୍ୟାଙ୍ଗ ସେପ୍ଟମ୍ବର ମାସରେ ନୋଏଡା ସେକ୍ଟର ୬୩ ର ଏକ କୋଠାରେ ୨ ମହଲା ଭଡା ନେଇଥିଲା । ମାସକୁ ୨ ଲକ୍ଷ ଟଙ୍କା ଭଡାରେ କ୍ୟାରିୟର ଜଙ୍କସନ ନାମକ ଏକ କାର୍ଯ୍ୟାଳୟ ଖୋଲାଯାଇଥିଲା । ସିଇଓ, ମ୍ୟାନେଜର, ଆକାଉଣ୍ଟାଣ୍ଟ, ଏଚଆର ମ୍ୟାନେଜର ଏବଂ କଲର ସମସ୍ତଙ୍କୁ ମିଶାଇ ଅଫିସରେ ୧୦୦ ରୁ ଅଧିକ କର୍ମଚାରୀ ଥିଲେ । ଏହି କାର୍ଯ୍ୟାଳୟର କଲର୍ସମାନେ ସେହି ଲୋକଙ୍କୁ କଲ କରିବା ଆରମ୍ଭ କରିଥିଲେ ଯେଉଁ ମାନଙ୍କର ପିଲାମାନେ ଏମବିବିଏସରେ ଆଡମିଶନ କରିବାକୁ ଚାହୁଁଥିଲେ କିମ୍ବା ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଏକ ଭଲ କଲେଜରେ ଆଡମିଶନ ଚାହୁଁଥିଲେ ।

ଏହି ଗ୍ୟାଙ୍ଗ ପ୍ରଥମେ ଦିଲ୍ଲୀର ବଦରପୁରର ନିର୍ମଲ ଚନ୍ଦଙ୍କୁ ଟାର୍ଗେଟ କରିଥିଲା । ତାଙ୍କୁ ଏକ କଲ ଆସିଥିଲା ଯେଉଁଥିରେ ତାଙ୍କୁ କୁହାଯାଇଥିଲା ଯେ ତୁମ ଝିଅର ଫରିଦାବାଦର ଅଟଳ ବିହାରୀ ମେଡିକାଲ କଲେଜରେ ଆଡମିଶନ ହୋଇଯିବ । ଏହା ବଦଳରେ ଆପଣଙ୍କୁ ୩୦ ଲକ୍ଷ ଟଙ୍କା ଦେବାକୁ ପଡିବ । ସରକାରୀ ମହାବିଦ୍ୟାଳୟର ନାମ ଲେଖାଇବା ଇଚ୍ଛାରେ ନିର୍ମଲ ଚନ୍ଦ ୨୦ ଲକ୍ଷ ଟଙ୍କା ସହ ଚୁକ୍ତି ସ୍ଥିର କରିଥିଲେ । ଏବଂ ଟଙ୍କା ସହିତ ଝିଅର ସମସ୍ତ ସାର୍ଟିଫିକେଟ ଦେଇଥିଲେ ।

ଏହା ପରେ ନିର୍ମଳ ଚନ୍ଦଙ୍କୁ ମେଡିକାଲ କାଉନସିଲ କମିଟିର ଏକ ନକଲି ଚିଠି ଏବଂ ଅଟଳ ବିହାରୀ ବାଜପେୟୀ କଲେଜରୁ ଏକ ନକଲି ଆଡମିଶନ ଚିଠି ଦିଆଯାଇଥିଲା । ପରେ ୧୯ ଡିସେମ୍ବରରେ ଆଡମିଶନ ପାଇଁ କଲେଜକୁ ପଠାଯାଇଥିଲା । ସେଠାରେ ସେ ଜାଣିବାକୁ ପାଇଥିଲେ ଯେ କଲେଜରୁ କୌଣସି ଆଡମିଶନ ଚିଠି ଦିଆଯାଇ ନାହିଁ । ଏହା ପରେ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ବନ୍ଦ ହୋଇଯାଇଥିଲା । ନିର୍ମଳ ଚାନ୍ଦ ୧୫ ଲକ୍ଷ ଟଙ୍କା ନଗଦ ଦେଇଥିବାବେଳେ ଅନଲାଇନରେ ୫ ଲକ୍ଷ ଟଙ୍କା ଦେଇଥିଲେ ।

Get real time updates directly on you device, subscribe now.