ରାହୁଲଙ୍କ ପାଇଁ ଅଣ୍ଟା ଭିଡିଲେ ୧୭ ବିରୋଧୀ ଦଳ , ଶିବସେନା ଓ ତୃଣମୂଳ କଂଗ୍ରେସ ଠାରୁ ଆରମ୍ଭ କରି କଳା ପୋଷାକରେ ରାଜ୍ୟସଭା ଓ ଲୋକସଭାରେ ପହଞ୍ଚିଲେ ସମସ୍ତ ବିରୋଧୀ ସଦସ୍ୟ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ରାଜନୈତିକ ହଟଚମଟ ଜାରି ରହିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ କେନ୍ଦ୍ର ସରକାରକୁ ଘେରି ରହିଛନ୍ତି। ସୋମବାର ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ସମସ୍ତ ବିରୋଧୀ ସାଂସଦ କଳା ପୋଷାକ ପିନ୍ଧି ଗୃହରେ ପହଞ୍ଚିଥିଲେ। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବହୁତ ହଟ୍ଟଗୋଳ ହୋଇଥିଲା। ଏହା ପରେ ଉଭୟ ଗୃହକୁ ସ୍ଥଗିତ ରଖାଯାଇଥିଲା। ରାହୁଲଙ୍କ ସଦସ୍ୟତା ବାତିଲ କରିବାକୁ ଲୋକସଭା ସଚିବଙ୍କ ନିଷ୍ପତ୍ତିକୁ ବିରୋଧ କରିବାକୁ ସାଂସଦମାନେ କଳା ପୋଷାକ ପିନ୍ଧି ପହଞ୍ଚିଥିଲେ ବୋଲି ଜଣାପଡିଛି।
ରାଜ୍ୟସଭା ଓ ଲୋକସଭାରେ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ଆଦାନୀ ଏବଂ ରାହୁଲ ପ୍ରସଙ୍ଗକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ବିରୋଧୀ ସାଂସଦମାନେ ରାହୁଲଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହା ପରେ ରାଜ୍ୟସଭାକୁ ଅପରାହ୍ନ ୨ ଟା ପର‌୍ୟ୍ୟନ୍ତ ଏବଂ ଲୋକସଭାକୁ ଅପରାହ୍ନ ୪ ଟା ପର‌୍ୟ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

‘କଳା ପୋଷାକ ବିରୋଧ’ ସଂଗ୍ରାମରେ ସାମିଲ ହୋଇଛି ତୃଣମୂଳ କଂଗ୍ରେସ । ଆଜି ତୃଣମୂଳ କଂଗ୍ରେସର ସଦସ୍ୟମାନେ କଳା ପୋଷାକ ପରିଧାନ କରି ସଂସଦ ମଧ୍ୟକୁ ପ୍ରବେଶ କରିଥିଲେ । ଯାହା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟକର ବିଷୟ ଥିଲା । ଏହାକୁ ବିରୋଧୀ ଏକତାର ଏକ ବିରଳ ସଫଳତା ଭାବରେ ବିବେଚନା କରାଯାଉଛି । କାରଣ ବିଜେପି ଏବଂ କଂଗ୍ରେସଠାରୁ ସମାନ ଦୂରତା ବଜାୟ ରଖିବ ବୋଲି ତୃଣମୂଳ କଂଗ୍ରେସ କହିଥିଲା। ସେହିପରି ତେଲେଙ୍ଗାନାରେ କଂଗ୍ରେସର ପ୍ରତିଦ୍ୱନ୍ଦ୍ୱୀ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ଭାରତ ରାଷ୍ଟ୍ରିୟ ସମିତି ଶିବସେନା ସହ “କଳା ପୋଷାକ” ବିକ୍ଷୋଭରେ ଯୋଗ ଦେଇଥିଲେ।

ଏହାପୂର୍ବରୁ କଂଗ୍ରେସର ଅଧ୍ୟକ୍ଷତାରେ ବିରୋଧୀ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ ସମେତ ୧୭ଟି ବିରୋଧୀ ଦଳ ସାମିଲ ହୋଇଛନ୍ତି । ଡିଏମକେ, ଏସପି, ଜେଡିୟୁ, ବିଆରଏସ, ସିପିଏମ, ଆରଜେଡି, ଏନସିପି, ସିପିଆଇ, ଆଇୟୁଏମଏଲ, ଏମଡିଏମକେ, କେସି, ଟିଏମସି, ଆରଏସପି, ଏଏପି, ଜାମ୍ମୁ କାଶ୍ମୀର ଏନସି, ଶିବସେନା (ଉଦ୍ଧବ ଦଳ) ଏଥିରେ ଅଂଶଗ୍ରହଣ କରିଥିଲେ। ସଂସଦରେ ଅବସ୍ଥିତ ମଲ୍ଲିକାର୍ଜୁନ୍ ଖାର୍ଜଙ୍କ ଚାମ୍ବରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଅଧିକାଂଶ ନେତା କଳା ବସ୍ତ୍ର ପିନ୍ଧି ଏହି ସଭାରେ ପହଞ୍ଚିଥିଲେ।