fbpx

ମୋର୍ବି ବ୍ରିଜ ଦୁର୍ଘଟଣାରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ଦିଆଯିବ ୧୦ ଲକ୍ଷ ଟଙ୍କା: ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Advertisement

ଅହମ୍ମଦାବାଦ: ଗତ ଅକ୍ଟୋବରରେ ହୋଇଥିବା ମୋର୍ବି ବ୍ରିଜ ଦୁର୍ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି । ବ୍ରିଜ ଭୁଷୁଡି ପଡିବାରୁ ୧୩୫ ଜଣ ପ୍ରାଣ ହରାଇଥିବା ବେଳେ ୫୬ ଜଣ ଆହତ ହୋଇଥିଲେ । ତେବେ ଏହି ଘଟଣାକୁ ନେଇ ବ୍ରିଜ ରକ୍ଷଣାବେକ୍ଷଣ କରୁଥିବା କମ୍ପାନୀ ଓରେଭୋ ଗ୍ରୁପକୁ ବଡ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବା ପାଇଁ ଓରେଭୋ ଗ୍ରୁପକୁ ନିର୍ଦ୍ଦେଶ ଦିଆଯାଇଛି ।

ଦୁର୍ଘଟଣା ପରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି ସମୟରେ ଅଜନ୍ତା ମ୍ୟାନୁଫ୍ୟାକଚରିଙ୍ଗ ଲିମିଟେଡ(ଓରେଭୋ) କମ୍ପାନୀ କ୍ଷତିପୂରଣ ନେଇ ଏକ ପ୍ରସ୍ତାବ ରଖିଥିଲା । ପ୍ରସ୍ତାବରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଏବଂ ଆହତଙ୍କ ପରିବାରକୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ କହିଥିଲା ଓରେଭୋ । ତେବେ ଏହି ମାଲଶର ଶଉଣାଣି କରି ଆଜି ଅନ୍ତରୀଣ ଆଦେଶ ଦେଇଛନ୍ତି ହାଇକୋର୍ଟ । ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସୋନିଆ ଗୋକାନୀ ଏବଂ ଜଷ୍ଟିସ ସନ୍ଦୀପ ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଓରେଭୋ କମ୍ପାନୀକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ଦ୍ଦେଶ ଅନୁସାରେ ଆସନ୍ତା ୪ ସପ୍ତାହ ମଧ୍ୟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନ୍ତରୀଣ କ୍ଷତିପୂରଣ ପ୍ରଦାନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ଆହତ ପରିବାରକୁ ମଧ୍ୟ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରିବ ଓରେଭୋ କମ୍ପାନୀ ।

Get real time updates directly on you device, subscribe now.