fbpx

ସଂସଦରେ ଓଡିଆ ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ଆକ୍ରମଣ

ନୂଆଦିଲ୍ଲୀ,୩ ।୩: ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ସଂସଦରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣ ନେଇ ନିଜେ ମୁହଁ ଖୋଲିଛନ୍ତି ସଙ୍ଗୀତା ସିଂହଦେଓ । ବିରୋଧୀ ଦଳର ଦୁଇ ମହିଳା ଯଥା ସାଂସଦ ରମ୍ୟା ହରିଦାସ ଓ ଜ୍ୟୋତି ମଣି ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ଏହା ସହ ସଙ୍ଗୀତା କହିଛନ୍ତି ଯେ, ଗୃହରେ ବିରୋଧୀ ସାଂସଦ ବାଚସ୍ପତିଙ୍କୁ କାମ କରାଇ ଦେଉନଥିଲେ । ମୁହଁ ସାମ୍ନାରେ ବ୍ୟାନର ଟାଣି କାର୍ଯ୍ୟରେ ବ୍ୟାଘାତ କରୁଥିଲେ । ନିଜ ଆସନ ଛାଡି ଟ୍ରେଜେରି ବେଞ୍ଚକୁ ଆସି ପାଟିତୁଣ୍ଡ କରୁଥିଲେ ।’ ଏହି ସମୟରେ ଉକ୍ତ ଦୁଇ ମହିଳା ସାଂସଦ ମୋତେ ଆକ୍ରମଣ କରିଥିଲେ ବୋଲି ସଙ୍ଗୀତା କହିଛନ୍ତି ।

ଏହା ସହ ସଙ୍ଗୀତା କହିଛନ୍ତି ଯେ, ‘ଦୁଇ ସାଂସଦ ମୋ ହାତକୁ ଆଞ୍ଚୁଡି ଦେବା ସହ କହୁଣୀରେ ଛାତିକୁ ମାରିଥିଲେ । ସ୍ମୃତି ଇରାନୀ ମୋତେ ରକ୍ଷା କରିନଥିଲେ ମୁଁ ପଡିଯାଇଥାନ୍ତି । ଘଟଣା ପରେ ସଂସଦ ହସ୍ପିଟାଲରେ ଯାଇ ଚିକିତ୍ସା କରାଇଛି । ମେଡିକାଲ ରିପୋର୍ଟ ସହ ବାଚସ୍ପତିଙ୍କୁ ଅଭିଯୋଗ କରିଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ।’ ଏଥିପାଇଁ ଦୁଇ ମହିଳା ସାଂସଦଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ସଙ୍ଗୀତା ସିଂହଦେଓ କହିଛନ୍ତି ।

Get real time updates directly on you device, subscribe now.