OSSTET Exam: ଜାନୁଆରୀ 17ରେ ପରୀକ୍ଷା, ଆବେଦନ କରିଛନ୍ତି 50 ହଜାର ଛାତ୍ରଛାତ୍ରୀ

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା(OSSTET)2024 ପାଇଁ ତାରିଖ ଘୋଷଣା କରିଛି । ଜାନୁଆରୀ 17 ତାରିଖରେ ଅନୁଷ୍ଠିତ ହେବ ପରୀକ୍ଷା । ପେପର 1 ଏବଂ ପେପର 2 ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ । ପେପର 1 ପରୀକ୍ଷା ସକାଳ 10ଟାରୁ ମଧ୍ୟାହ୍ନ 12ଟା 30 ଏବଂ ପେପର-2 ପରୀକ୍ଷା ଦ୍ବିପହର 2ଟାରୁ 4ଟା 30 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ସମୟ ବୋର୍ଡ ପକ୍ଷରୁ ନିର୍ଘଣ୍ଟ କରାଯାଇଛି । ଆବେଦନକାରୀମାନେ ସେମାନଙ୍କର ଆଡମିଟକାର୍ଡ ଜାନୁଆରୀ 8 ତାରିଖରୁ ବୋର୍ଡ ଓ୍ବେବସାଇଟରୁ ଡାଉନଲୋଡ କରିପାରିବେ । ତେବେ ପରୀକ୍ଷାରେ ଅନିୟମିତତା ରୋକିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି ।

ସୂଚନା ଅନୁସାରେ, ଡିଜି ଲକରରେ ପ୍ରଶ୍ନପତ୍ର ଗୁଡିକୁ 182 ଟି କେନ୍ଦ୍ରକୁ ପଠାଯିବ । ଓଏସଏସଟି ପରୀକ୍ଷା ପାଇଁ ସମୁଦାୟ 50 ହଜାରରୁ ଅଧିକ ପ୍ରାର୍ଥୀ ଆବେଦନ କରିଛନ୍ତି । ପେପର 1 ପାଇଁ 47 ହଜାରରୁ ଅଧିକ ଆବେଦନ କରିଥିବା ବେଳେ ପେପର 2 ପାଇଁ 3 ହଜାରରୁ ଅଧିକ ଆବେଦନ କରିଛନ୍ତି । ୧୫୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷା ଓଏମ୍‌ଆର୍‌ରେ  ହେବ । ଓଏସ୍‌ଏସ୍‌ଟିଇଟିରେ ସାଧାରଣ ବର୍ଗର  ପରୀକ୍ଷାର୍ଥୀଙ୍କ ଲାଗି ପାସ୍‌ ମାର୍କ ୬୮ ନମ୍ବର ରହିଛି ।  ଏସ୍‌ସି, ଏସ୍‌ଟି, ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ପାସ୍‌  ମାର୍କ ୫୩ ରହିଛି । ତେବେ ଜାନୁଆରୀରେ ପରୀକ୍ଷା ନେଇ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି ।