fbpx

‘ଝଣ୍ଡା ଉଚ୍ଚା ରହେ ହମାରା’, ଅଟାରୀ ବର୍ଡରରେ ଉଡିବ ପାକିସ୍ତାନ ପତାକାଠୁ ୧୮ ଫୁଟ୍ ଉଚ୍ଚର ତ୍ରିରଙ୍ଗା

Advertisement

ଅହମ୍ମଦାବାଦ: ଅଟାରୀ ବର୍ଡରରେ ଦେଶର ସବୁଠୁ ଉଚ୍ଚ ତ୍ରିରଙ୍ଗା ଉଡାଇବା ପାଇଁ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧୀକରଣ ପ୍ରସ୍ତୁତ। ଏହାର ଉଚ୍ଚତା ୪୧୮ ଫୁଟ୍ ରହିବ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିବା ପରେ ଏହି ପ୍ରୋଜେକ୍ଟ ପାଇଁ ଟେଣ୍ଡର ପ୍ରକ୍ରିୟା ପୁରା କରାଯିବ ବୋଲି ଏନଏଚଆଇର ଜନୈକ ଅଧିକାରୀ କହିଛନ୍ତି। ବର୍ତ୍ତମାନ ଅଟାରୀ ବର୍ଡରରେ ଥିବା ତ୍ରିରଙ୍ଗାର ଉଚ୍ଚତା ୩୬୦ ଫୁଟ୍ ରହିଛି। ୨୦୧୭ରେ ୩ କୋଟି ୫୦ ଲକ୍ଷ ବଜେଟରେ ଏହାକୁ ସ୍ଥାପନ କରାଯାଇଥିଲା। ପୁଣି ପାକିସ୍ତାନ ସେହି ବର୍ଷ ଅଗଷ୍ଟରେ ଓ୍ଵାଘା ବର୍ଡରର ଚେକ ପୋଷ୍ଟ ସାମ୍ନାରେ ୪୦୦ ଫୁଟ୍ ଉଚ୍ଚର ପତାକା ଲଗାଇଛି। କିନ୍ତୁ ବର୍ତ୍ତମାନ ନୂତନ ତ୍ରିରଙ୍ଗାର ଉଚ୍ଚତା ପାକିସ୍ତାନ ପତାକା ତୁଳନାରେ ୧୮ ଫୁଟ୍ ଅଧିକ ଲମ୍ବା ରହିବ।

ଏନଏଚଆଇର ଅଧିକାରୀ କହିଛନ୍ତି, ଆମ ପକ୍ଷରୁ ଟେଣ୍ଡର ମଞ୍ଜୁରୀ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ପତାକା ସ୍ଥାପନା କାମ ୧୫-୨୦ ଦିନ ଭିତରେ ଆରମ୍ଭ ହୋଇଯିବ। ତେବେ ପତାକା କେଉଁ ସ୍ଥାନରେ ଲଗାଯିବ ଏହା ସ୍ଥିର ହୋଇ ନାହିଁ। ଗ୍ୟାଲେରୀ କୋଠାର ଉଚ୍ଚତା କାରଣରୁ ବିଟିଂ ରିଟ୍ରିଟ୍ ସମାରୋହ ଦେଖିବାକୁ ଆସୁଥିବା ଲୋକଙ୍କୁ ବର୍ତ୍ତମାନ ଭାରତୀୟ ଧ୍ଵଜ ଠିକରେ ଦେଖାଯାଉନାହିଁ। ଏ ପର୍ଯ୍ୟନ୍ତ ପତାକା ବଦଳାଇବା କିମ୍ବା ହଟାଇବା ନେଇ କୌଣସି ଯୋଜନା ହୋଇ ନାହିଁ। ନୂତନ ଧ୍ଵଜ ସ୍ଥାପିତ ହେବା ପରେ ହିଁ ପୁରୁଣା ପତାକା ସ୍ତମ୍ଭକୁ ହଟାଯିବ କି ନାହିଁ ତାର ନିଷ୍ପତ୍ତି ନିଆଯିବ। ପ୍ରକଳ୍ପ କାମ ଗୋଟିଏ ମାସ ଭିତରେ ପୂରା ହେବାର ସମ୍ଭାବନା ରହିଛି।

ବିଏସଏଫର ଜଣେ ଅଧିକାରୀ କହିଛନ୍ତି, ଦୀର୍ଘ ସମୟରୁ ଆମର ଜାତୀୟ ପତାକାର ଉଚ୍ଚତା ବଢାଇବାକୁ ଦାବି ହୋଇ ଆସୁଛି, ଯାହା ବର୍ତ୍ତମାନ ପାକିସ୍ତାନ ପତାକାଠୁ ଛୋଟ ଦେଖାଯାଉଛି। ନୂତନ ପତାକା ସ୍ଥାପନ ସହିତ ଦର୍ଶକଙ୍କ ଆଉ କୌଣସି ଅଭିଯୋଗ ରହିବ ନାହିଁ। ସୂଚନାଯୋଗ୍ୟ, ବର୍ତ୍ତମାନ କର୍ଣ୍ଣାଟକର କୋଟା କେରେର ବେଲଗାମ କିଲ୍ଲାରେ ୩୬୧ ଫୁଟର ସବୁଠୁ ଉଚ୍ଚ ତ୍ରିରଙ୍ଗା ରହିଛି। ଏହା ଅଟାରୀ ସୀମାରେ ସ୍ଥାପିତ ଧ୍ଵଜଠୁ କେବଳ ଗୋଟିଏ ଫୁଟ୍ ଲମ୍ବା ରହିଛି।

Get real time updates directly on you device, subscribe now.