fbpx
BJD SKY
BJD SKY

୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆସି ଭାଙ୍ଗିଦେଲେ ଅମ୍ବାଭୋନା ଥାନା; ଘଟଣାକୁ ନେଇ ମାମଲା ରୁଜୁ କଲା ପୋଲିସ

BJD

ଓଡିଶା ଭାସ୍କର; ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା ନେଇ ମାମଲା ରୁଜୁ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ବରଗଡ଼ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ମିନା। ସେ କହିଛନ୍ତି, ଗୋଟିଏ ଗାଡ଼ିରେ ଗଞ୍ଜେଇ ଚାଲାଣ ସୂଚନା ପାଇ ଅମ୍ବାଭୋନା ଥାନାଧିକାରୀ ବୁଲୁ ମୁଣ୍ଡା ଯାଞ୍ଚ କରିଥିଲେ। ଗାଡ଼ି ଯାଞ୍ଚ ହେବା ପରେ ଏଭଳି ଭଙ୍ଗାରୁଜା ଘଟଣା ଘଟିଛି। ଏହି ଘଟଣାରେ ୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସମ୍ପୃକ୍ତ ଥବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି । ତେବେ ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି। ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ଗଞ୍ଜେଇ ଚୋରା ଚାଲାଣ ନେଇ ଏକ ଗାଡି ଯାଞ୍ଚ ହେବାକୁ ନେଇ ପୋଲିସ ଓ କିଛି ଯୁବକଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ତେବେ ଏହି ଘଟଣାକୁ ନେଇ ଗତକାଲି ଅପରାହ୍ନ ପ୍ରାୟ ୫ଟା ସମୟରେ ଅମ୍ବାଭୋନା ଥାନା ଘେରାଉ କରିଥିଲେ ଶତାଧିକ ଲୋକ । ଏହା ପରେ ଭଙ୍ଗାରୁଜା ଆରମ୍ଭ ହୋଇଥିଲା। ଯିଏ ଯାହା ପାରିଲା ସବୁ ଭାଙ୍ଗିରୁଜି ଦେଇଗଲେ । ଥାନା ଭିତରେ ଥିବା କମ୍ପ୍ୟୁଟର ସମେତ ଅନ୍ୟ ଆସବାବପତ୍ର ଚୂରମାର୍ ହୋଇଯାଇଥିଲା। ଉତ୍ତ୍ୟକ୍ତ ଲୋକେ ପ୍ରାୟ ୧୫ ମିନିଟ୍ ଧରି ଏଭଳି ଆତଙ୍କରାଜ ଚଳାଇଥିଲେ। ମାତ୍ର ଥାନାରେ ଥିବା ହାତଗଣତି ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ସାହସ କରିନଥିଲେ । ଫଳରେ ଥାନା ଭଙ୍ଗାରୁଜା କରି ଉତ୍ତ୍ୟକ୍ତ ଲୋକମାନେ କେଉଁଆଡେ ଫେରାର ହୋଇଯାଇଥିଲେ । ପରେ ଏହାର ଖବର ପାଇ ଏସ୍ଡିପିଓ ପଦାରବିନ୍ଦ ତ୍ରିପାଠୀ ଘଟଣାସ୍ଥଳକୁ ଯାଇ ସମୀକ୍ଷା କରିଥିଲେ। ତେବେ କେଉଁ କାରଣରୁ ଏଭଳି ପରିସ୍ଥିତି ଉପୁଜିଲା ସେ ନେଇ କୌଣସି ସ୍ପଷ୍ଟତା ମିଳିପାରି ନାହିଁ । ଅନ୍ୟପଟେ ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.