fbpx

ଆମାଜନ୍ ଓ ଜମାଟୋ ଦ୍ୱାରା ଡେଲିଭେରି ହେବ ଅକ୍ସିଜେନ୍!

ଗୁରୁଗ୍ରାମ,୧୦ା୫ : କରୋନା ମହାମାରୀ ସଂକ୍ରମଣ ଦିନକୁ ଦିନ ଦେଶରେ ଭୟଙ୍କର ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ସଂକ୍ରମଣ କୁ କିପରି ରୋକାଯାଇ ପାରିବ ସେ ଦିଗରେ ଭାରତ ପ୍ରାଣପଣେ ଚେଷ୍ଟା ଚଲାଇଛି । ତେବେ ଏହି ମାରାତ୍ମକ ମହାମାରୀରେ ସଂକ୍ରମିତ ହୋଇ ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ହସ୍ପିଟାଲ ମାନଙ୍କରେ ଏବେ ରୋଗୀଙ୍କ ନିମନ୍ତେ ବ୍ୟବହୃତ ହେଉଥିବା ମେଡିକାଲ୍ ଅକ୍ସିଜେନର ଅଭାବ ଦେଖା ଦେଇଛି । ତେଣୁ ଏବେ ଦେଶରେ ଅକ୍ସିଜେନ୍ ସଙ୍କଟକୁ ଦୂର କରିବା ପାଇଁ ଦେଶ ସମତେ ବିଦେଶ ମଧ୍ୟ ସାହାଯ୍ୟର ହାତ ବଢ଼ାଇଛି । ତେବେ ଏହି ସମୟରେ ହସ୍ପିଟାଲରେ ବେଡ୍ କମ୍ ପଡୁଥିବାରୁ ଅଧିକାଂଶ ସ୍ୱଳ୍ପଲକ୍ଷଣ ଯୁକ୍ତ ରୋଗୀ ମାନେ ହୋମ୍ ଆଇସୋଲେସନ୍ ରେ ରହିଛନ୍ତି । ଏହା ଭିତରେ ଗୁରୁଗ୍ରାମ ପ୍ରଶାସନ ହୋମ୍ ଆଇସୋଲେସନ୍ ରେ ରହୁଥିବା କରୋନା ସଂକ୍ରମିତଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ।

ହୋମ୍ ଆଇସୋଲେସନରେ ରହୁଥିବା ରୋଗୀଙ୍କ ପାଇଁ ସମୟାନୁସାରେ ଅକ୍ସିଜେନ୍ ଉପଲବ୍ଧ କରାଇବା ପାଇଁ ଜିଲ୍ଲା ପ୍ରଶାସନ ଜମାଟୋ ଏବଂ ଆମାଜନ ଭଳି କମ୍ପାନିକୁ ଏଥିରେ ନିୟୋଜିତ କରିବା ପାଇଁ ନିର୍ଣ୍ଣୟ କରିଛି । ତେବେ ହୋମ୍ ଆଇସୋଲେସନରେ ରହୁଥିବା ସଂକ୍ରମିତ ମାନେ ଯେପରି ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା କରାଇବା ପାରିବେ ବା ଅକ୍ସିଜେନ୍ ନେଇ ପାରିବେ ସେ ଦିଗରେ ଗୁରୁଗ୍ରାମ ପ୍ରଶାସନ ବିଶେଷ ଦୃଷ୍ଟି ଦେଇଛି । ତେଣୁ ସେ ଜମାଟୋ, ଆମାଜନ୍ ଭଳି ଡେଲିଭେରୀ ଏଜେନ୍ସିକୁ ଏଥିରେ ନିୟୋଜିତ କରିବାକୁ ଆଗ୍ରହ ପ୍ରକାଶ କରିଛି । ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ଏକ ଆଦେଶ ଜାରି କରାଯାଇଛି । ଜିଲ୍ଲାଧିକାରୀ ଠିକ୍ ସମୟରେ ଡେଲିଭେରୀକୁ ସୁନିଶ୍ଚିତ କରିବା ପାଇଁ ଏକ ଟିମ୍ ଗଠନ କରିଛନ୍ତି ।

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଆଦେଶନାମାରେ କୁହାଯାଇଛି ଯେ, ଅକ୍ସିଜେନ୍ ସିଲିଣ୍ଡରର ହୋମ୍ ଡେଲିଭେରୀ ସହ ରିଫିଲିଂର ମୁଲ୍ୟ ମଧ୍ୟ ଧାର୍ଯ୍ୟ କରାଯିବ । ଉଲ୍ଲେଖନୀୟ ଯେ, ଦେଶରେ ଅକ୍ସିଜେନ୍ ଅଭାବ କାରଣରୁ ଅନେକ ଲୋକଙ୍କ ଜୀବନ ଚାଲି ଯାଉଛି । ସ୍ଥିତି ଏପରି ହୋଇଥିଲା ଯେ, ଅକ୍ସିଜେନ୍ ସଙ୍କଟ ମାମଲା କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହାପରେ ଅକ୍ସିଜେନ୍ ଯୋଗାଣ ପାଇଁ ସ୍ୱତନ୍ତ୍ର ଏକ୍ସିପ୍ରେସ୍ ଚଳାଇବାକୁ ପଡିଲା ।

Get real time updates directly on you device, subscribe now.