କମ୍ ଟଙ୍କାରେ ହେବ ରହିବା ବ୍ୟବସ୍ଥା: OYO ଖୋଲିଲା ୬୫ଟି ନୂଆ ହୋଟେଲ ଓ ହୋମ ଷ୍ଟେ

ଓଡିଶା ଭାସ୍କର: ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ। ଏହି ସମାରୋହରେ ଯୋଗ ଦେବା ପାଇଁ ଏବେଠୁ ବିଶ୍ୱର କୋଣ ଅନୁକୋଣ ଭକ୍ତଙ୍କ ଆଗମନ ହେଲାଣି। ବିଶେଷକରି ୨୨ ତାରିଖ ଦିନ ଅଯୋଧ୍ୟାରେ ଲକ୍ଷାଧିକ ସଂଖ୍ୟାର ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ସୁବିଧା ପାଇଁ ଅନଲାଇନ ହୋଟେଲ ମଞ୍ଚ ଓୟୋ ଏକ ସ୍ୱତନ୍ତ୍ର ଯୋଜନା କରିଛି। ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ପୂର୍ବରୁ ଭକ୍ତ ପାଇଁ ୬୫ଟି ହୋମ ଷ୍ଟେ(ଘରେ ରହିବାର ବ୍ୟବସ୍ଥା) ଓ ହୋଟେଲ ଖୋଲାଯାଇଛି ବୋଲି କମ୍ପାନି ପକ୍ଷରୁ ପ୍ରକାଶ ପାଇଛି। ତେବେ କମ୍ପାନି ପକ୍ଷରୁ କୁହାଯାଇଛି କି ସହରରେ ଯେଉଁ ହୋଟେଲ ଖୋଲା ଯାଇଛି ସେଥିମଧ୍ୟରୁ ୫୧ଟି ଓୟୋ ହୋମ ଷ୍ଟେ ଓ ୧୪ଟି ହୋଟେଲ ସାମିଲ ରହିଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମିତ ହେବା ଦ୍ୱାରା ଓୟୋ ବ୍ୟବସାୟରେ ଉନ୍ନତୀ ହୋଇଛି।

ହୋମ ଷ୍ଟେ ସୁବିଧା କ’ଣ?
ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ରୁମ୍‌ ଯୋଗାଉଥିବା ଓୟୋ କମ୍ପାନି ଏବେ ଅଯୋଧ୍ୟାବାସୀଙ୍କ ଘରେ ୬୫ଟି ‘ହୋମ ଷ୍ଟେ’ (ଘରେ ରହିବାର ବ୍ୟବସ୍ଥା) ସୁବିଧା କରିଛି। ତେବେ କିଛିଦିନ ତଳେ ହୋଟେଲ ଓ ଘରମାନଙ୍କରେ ଓୟୋ ଚଲାଇବା ପାଇଁ କମ୍ପାନି ଅଯୋଧ୍ୟା ବିକାଶ ପ୍ରାଧିକରଣ ଏବଂ ଉତ୍ତରପ୍ରଦେଶ ରାଜ୍ୟ ପର୍ୟ୍ୟଟନ ବିକାଶ ନିଗମ ସହିତ ସହଭାଗୀ ହୋଇଛି। ସେହିପରି ଅଯୋଧ୍ୟାରେ ପହଞ୍ଚୁଥିବା ଭିନ୍ନକ୍ଷମ ଭକ୍ତଙ୍କ ପାଇଁ ଓୟୋ ରେମ୍ପ ସୁବିଧା ସହିତ ୧୫ଟି ହୋମ ଷ୍ଟେ ଖୋଲିଛି। ହୋଟେଲ ହେଉ କି ଘରେ ଗୋଟିଏ ରାତି ରହିବା ପାଇଁ ଗ୍ରାହକଙ୍କୁ ୧୦୦୦ଟଙ୍କା ପୈଠ କରିବାକୁ ପଡ଼ିବ ବୋଲି ଓୟୋର ସ୍ୱତନ୍ତ୍ର ନିର୍ଦ୍ଦେଶକ ଦୀପା ମଲିକ କହିଛନ୍ତି।

ସୂଚନା ଥାଉକି, ଅଯୋଧ୍ୟାରେ ରାମ ମନ୍ଦିରର ସମର୍ପଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ସହ ସେ ରାମମନ୍ଦିର‌ରେ ପ୍ରଭୁ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କରିବେ। ଏହା ସହ ଏହି ସମାରୋହରେ ଯୋଗ ଦେବା ପାଇଁ ସମଗ୍ର ବିଶ୍ୱରୁ ସାଧୁ, ସନ୍ଥ ଏବଂ ମାନ୍ୟଗଣଙ୍କୁ ନିମନ୍ତ୍ରଣ କରାଯାଇଛି। ସେହିପରି ଏଥିରେ ଭାଗ ନେବାକୁ ବହୁ ବଡ ସେଲିବ୍ରିଟିଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି। ବିଶ୍ୱର କୋଣ ଅନୁକୋଣରୁ ଭକ୍ତ ମାନେ ମଧ୍ୟ ଏଥିରେ ଯୋଗ ଦେବେ।