fbpx

ବିଜୁଳି ସଙ୍କଟ ନେଇ କେନ୍ଦ୍ର ସରକାରଙ୍କୁ ପି ଚିଦାମ୍ବରମଙ୍କ ଆକ୍ଷେପ, ‘ମୋଦୀ ହେ ତୋ ମୁମକିନ ହେ’

Advertisement

ନୂଆଦିଲ୍ଲୀ: ଦେଶ ସାରା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ବିଦ୍ୟୁତ ସଙ୍କଟ ଲୋକଙ୍କ ଜୀବନକୁ ଦୁର୍ବିସହ କରି ଦେଇଛି। ଦେଶର ଅନେକ ରାଜ୍ୟରେ ଅଘୋଷିତ ବିଜୁଳିକାଟ କରାଯାଉଛି। ବ୍ୟାପକ ବିଜୁଳିକାଟ ପ୍ରସଙ୍ଗକୁ ନେଇ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କେନ୍ଦ୍ର ସରକାରଙ୍କ ତାତ୍ସଲ୍ୟ କରିଛନ୍ତି। ସେ କହିଛନ୍ତି, ସରକାର ଉଚିତ୍ ସମାଧାନର ମାର୍ଗ ବାହାର କରିଛନ୍ତି। ଯାତ୍ରୀବାହୀ ଟ୍ରେନକୁ ବାତିଲ୍ କରି କୋଇଲା ବୋଝେଇ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି।

ବିଭିନ୍ନ ରାଜ୍ୟରେ ଶୁକ୍ରବାର ବିଜୁଳି ସଙ୍କଟ ଗମ୍ଭୀର ହୋଇ ପଡିଛି। ଗତ ଦିନରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ବିଜୁଳି ଚାହିଦାକୁ ଅହେତୁକ ବଢାଇ ଦେଇଛି। ବିଶେଷ କରି ତାପଜ ଶକ୍ତିକେନ୍ଦ୍ରଗୁଡିକୁ କୋଇଲା ପରିବହନ କ୍ଷେତ୍ରରେ ସମସ୍ୟା ଯୋଗୁଁ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହୋଇଛି। ଏହାକୁ ନେଇ ବିରୋଧୀଦଳଗୁଡିକ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି।

ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ନିଶାଣ କରି ପୂର୍ବତନ ଅର୍ଥମନ୍ତ୍ରୀ କହିଛନ୍ତି, ପ୍ରଚୁର ମାତ୍ରାରେ କୋଇଲା, ବଡ ରେଳ ନେଟଓ୍ଵର୍କ, ତାପଜ ବିଦ୍ୟୁତ କେନ୍ଦ୍ରରେ ଉପଯୁକ୍ତ କ୍ଷମତା ଏତେ ସବୁ ପରେ ମଧ୍ୟ ତଥାପି ବିଜୁଳି ସଙ୍କଟ। କେନ୍ଦ୍ର ସରକାରଙ୍କୁ ଦୋଷ ଦିଆଯାଇ ପାରିବ ନାହିଁ। ଏହା କଂଗ୍ରେସର ୬୦ ବର୍ଷର ଶାସନର କାରଣ ବୋଲି ଆକ୍ଷେପ କରିଛନ୍ତି ପି ଚିଦାମ୍ବରମ।

 

ସେ ବ୍ୟଙ୍ଗ କରି କହିଛନ୍ତି, କୋଇଲା, ରେଲଓ୍ଵେ କିମ୍ବା ଶକ୍ତି ମନ୍ତ୍ରଣାଳୟରେ କୌଣସି ପ୍ରକାରର ଅକ୍ଷମତା ନାହିଁ। ଗତ କଂଗ୍ରେସ ସରକାରଙ୍କ ମନ୍ତ୍ରୀମାନଙ୍କର ସବୁ ଦୋଷ। ଆଉ କେନ୍ଦ୍ର ସରକାର ଏବେ ସଠିକ୍ ସମାଧାନର ରାସ୍ତା ବାହାର କରିଛନ୍ତି। ଯାତ୍ରୀବାହୀ ଟ୍ରେନ ବାତିଲ କର ଆଉ କୋଇଲା ବୋଝେଇ ଟ୍ରେନ ଚଲାଅ ! ମୋଦୀ ହେ, ମୁମକିନ ହେ।

ସୂଚନାଯୋଗ୍ୟ, ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବା କାରଣରୁ ସମଗ୍ର ଦେଶରେ ବିଜୁଳି ଚାହିଦା ଶୁକ୍ରବାର ୨୦୭.୧୧ ଗିଗାଓ୍ଵାଟର ସର୍ବକାଳୀନ ଉଚ୍ଚସ୍ତରକୁ ଛୁଇଁଛି। ରେଲଓ୍ଵେ କୋଇଲା ପରିବହନ ପାଇଁ ୪୨ ଯାତ୍ରୀବାହୀ ଟ୍ରେନ ବାତିଲ୍ କରିଛି। ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ନେତା ସଂପ୍ରତି ବିଜୁଳି ସଙ୍କଟ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି।

Get real time updates directly on you device, subscribe now.