fbpx

ପଦ୍ମପୁର ଉପନିର୍ବାଚନ: କୃଷକଙ୍କ ଭୋଟ୍ ଉପରେ ଏବେ ସଭିଙ୍କ ନଜର, ଚାଷୀଙ୍କ କଥା ବୁଝିବେ ନା ଭୋଟ୍ ପାଇବା ପରେ ଭୁଲି ଯିବେ !

ଭୁବନେଶ୍ୱର: ଓଡିଶାର ଭାତହାଣ୍ଡି ‘ବରଗଡ଼’ ଜିଲ୍ଲାକୁ ବୁଝାଏ। ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଏହି ଜିଲ୍ଲାରୁ ହୋଇଥାଏ। ଚାଷୀ ଏବଂ କୃଷି ସଂପର୍କିତ ପ୍ରସଙ୍ଗ ହିଁ ବରଗଡ ଜିଲ୍ଲାରୁ ଉଠିଥାଏ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ, ଜଳସଚେନ ସମସ୍ୟା ଏବଂ ମଣ୍ଡି ସମସ୍ୟା ଦେଇ ସନ୍ତୁଳିତ ଏଠାକାର ଚାଷୀ। ଯେଉଁଠାରେ ଚାଷ କଥା ଉଠୁଛି ସେଠି ଅବା ଚାଷୀ ମାନଙ୍କ ସମସ୍ୟାକୁ କିପରି ଆଡେଇ ଦିଆଯାଇ ପାରିବ। ବର୍ତ୍ତମାନ ଉପନିର୍ବାଚନ ପାଇଁ ବରଗଡର ପଦ୍ମପୁର ଠାରେ ପ୍ରଚାର ଜମୁଛି । ସମସ୍ତଙ୍କ  ନଜରରେ ଏବେ ପଦ୍ମପୁର ଉପରେ ରହିଛି।

ପଦ୍ମପୁର ଉପ ନିର୍ବାଚନରେ କୃଷି ଏକ ବଡ ରାଜନୈତିକ ପ୍ରସଙ୍ଗ ପାଲଟିଛି। କିଛି ଦିନ ହେବ ସେଠାରେ ଚାଷୀ ମାନେ ମଧ୍ୟ ନିଜର ହକ ପାଇଁ ଆନ୍ଦେଳନରେ ବସିଥିଲେ କିନ୍ତୁ ସେତେବେଳେ ପ୍ରତିଶୃତି ଦେଇ ଭେଟିବାକୁ ଆସିବେ ବୋଲି କହି ମଧ୍ୟ ମନ୍ତ୍ରୀଙ୍କ ଦେଖା ଦର୍ଶନ ମିଳି ନଥିଲା । ଆଉ ଏବେ ନିର୍ବାଚନରେ ଭୋଟ୍ ହାତେଇବା ପାଇଁ ଶାସକ ଦଳର ଅନେକ ମନ୍ତ୍ରୀ ଏବଂ ମାଳ ମାଳ ବିଧାୟକ ଡେରା ପକାଇଥିବା ଦେଖିବାକୁ ମିଳିଛି। ୩ଟି ବ୍ଲକ ଝାରବନ୍ଧ,ପାଇକମାଳ,ପଦ୍ମପୁର ଏବଂ ପଦ୍ମପୁର ଏନଏସିକୁ ନେଇ ଗଠିତ ପଦ୍ମପୁର ନିର୍ବାଚନ ମଣ୍ଡଳୀ। ମତଦାତାଙ୍କ ସଂଖ୍ୟା ପ୍ରାୟ ୨ଲକ୍ଷ ୫୯ ହଜାର ହେବ। ଅଧିକାଂଶ ପରିବାରର ଭରଣପୋଷଣ ଚାଷରୁ ହୋଇଥାଏ। ତେଣୁ କହିବାକୁ ଗଲେ ଚାଷୀ ମାନଙ୍କ ହାତରେ ଏବ ପଦ୍ମପୁର ଚାବି କାଠି ରହିଛି । ସେମାନେ କାହାକୁ ନିଜର ପ୍ରାର୍ଥୀ ବାଛିବେ ତାହା ସେମାନେ ସ୍ୱଂୟ ବିଚାର କରିବେ। ସେଠାକାର ଚାଷୀ ନିଜକୁ ପ୍ରଶ୍ନ କରିବା ଉଚିତ୍ ଯେ, କିଏ ସରକାରକୁ ଆସିବା ପରେ ତାଙ୍କର ସମସ୍ୟା ଦୂର କରି ପାରିବେ ।

କହିବାକୁ ଗଲେ ଏଠାକାର ବାସିନ୍ଦାମାନେ ସର୍ବଦା ସରକାରଙ୍କ ଦ୍ୱାରା ଅବହେଳିତ ହୋଇଥାଆନ୍ତି ।  ବରଗଡ ଜିଲ୍ଲାରେ ଜଳସେଚନର ସୁବିଧା ଥିଲେ ମଧ୍ୟ ମରୁଡି ସମସ୍ୟା ଦୂର କରିବା ପାଇଁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇ ପାରି ନାହିଁ । ଚାଷୀ ମାନଙ୍କୁ ନା ବୀମା ରାଶି ମିଳୁଛି  ନା କ୍ଷତିପୂରଣ। ପଦ୍ମପୁର ବ୍ଲକରେ ୨୨ଟିପଞ୍ଚାୟତ, ପାଇକମାଳରେ ୨୨ଟି ଝାରବନ୍ଧରେ ୧୪ଟି ପଞ୍ଚାୟତ ରହିଛି । ଗତ ଖରିଫ ଫସଲ ସମୟରେ ଯେଉଁ କ୍ଷତି ହୋଇଥିଲା ତାର କ୍ଷତିପୂରଣ ବାବଦରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ମୋଟ ୧୬୪ ପଞ୍ଚାୟତର ଚାଷୀଙ୍କୁ ଫସଲ ବୀମା ଯୋଗାଇବା ପାଇଁ ଚିଠି ଲେଖିଥିଲେ । ଯାହା ମଧ୍ୟରୁ କେବଳ ବରଗଡର ୬୧ଟି ପଞ୍ଚାୟତ ଆଉ ପଦ୍ମପୁରର ୨୭ଟି ନିର୍ବାଚନ ମଣ୍ଡଳୀ ସାମିଲ ଥିଲା । କିନ୍ତୁ ଚାଷୀ ମାନଙ୍କ ପାଖରେ ତାଙ୍କର ବୀମା ସହାୟତା ରାଶି ସଠିକ ସମୟରେ ପହଞ୍ଚି ପାରି ନଥିଲା ।ଦେଖିବାକୁ ଗଲେ ଏହି ଭଳି ଅନେକ ସମସ୍ୟା ରହିଛି ।

ଏହି ସବୁ ପରେ ମଧ୍ୟ ପଦ୍ମପୁର ଆସନ ହାତେଇବା ପାଇଁ ଜୋରଦାର ପ୍ରଚେଷ୍ଟା ଚଳାଇଛନ୍ତି ବିଜେଡି ,ବିଜେପି ଆଉ କଂଗ୍ରେସ । ନିକଟରେ ସରକାର ୨୦୦ କୋଟି ଇନପୁଟ ସହାୟତା ଘୋଷଣା କରିଛନ୍ତି । ଦେଖିବାକୁ ଗଲେ ଏବେ କେନ୍ଦ୍ର ଆଉ ରାଜ୍ୟ ଉଭୟ ଉଭୟଙ୍କ ଉପରେ ଦୋଷ ଲଦାଲଦି ହେଉଛନ୍ତି । ସେପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିହ ତୋମାର ମଧ୍ୟ ସବୁ ବୀମା କମ୍ପାନୀଙ୍କୁ ବୀମା ରାଶି ଯୋଗେଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ବୀମା ନୁହେଁ ପଦ୍ମପୁରକୁ ଜିଲ୍ଲା ଘୋଷଣା ଦାବି ମଧ୍ୟ ଅତ୍ୟନ୍ତ ପୁରୁଣା । ଏହାକୁ ନେଇ ମଧ୍ୟ ବହୁ ପ୍ରତିବାଦ ଦେଖା ଯାଉଛି ।

ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହା ଏଠାରୁ ୫ଥର ବିଧାୟକ ହୋଇଥିଲେ । ଏହାବାଦ ମଧ୍ୟ ଏଠାକାର ଚାଷୀ ମାନଙ୍କ ସମସ୍ୟାର ଆଖି ଦୃଶିଆ ସମାଧାନ ହୋଇ ପାରିନି। ମଣ୍ଡିର ଅଭାବ କାରଣରୁ ଏଠାକାର ଚାଷୀଙ୍କୁ କଳାବଜାରୀର ଶିକାର ହେବାକୁ ପଡିଥାଏ। ତେବେ ଚଳିତଥର କିଛି ପରିବର୍ତ୍ତନର ଝଲକ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ପଣ୍ଡିତ ମାନେ ଆକଳନ କରୁଛନ୍ତି । କାରଣ ଜନତା ମାନେ ମଧ୍ୟ ସଚେତନ ହେଲେଣି କ୍ଷଣିକ ତୃଷ୍ଣାକୁ ମେଣ୍ଟାଇବାକୁ ଯାଇ କେବେ ଅତୀତରେ କରିଥିବା ଭୁଲକୁ ପୁନରାବୃତ୍ତି କରିବେ ନାହିଁ। ସମସ୍ତ ରାଜନୈତିକ ଦଳ ଏବେ ଚାଷୀଙ୍କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦିବେ। ଭୋଟ୍ ପାଇବା ପରେ ପୁଣି ଚାଷୀଙ୍କୁ ଛାଡି ଦେବେ। ଦେଖିବା ବାକି ରହିଲା ଚଳିତ ନିର୍ବାଚନରେ ପଦ୍ମପୁରବାସୀର ଚାଷୀ କେଉଁ ଦଳକୁ ବିଜୟର ଟିକା ପିନ୍ଧାଉଛନ୍ତି।

Get real time updates directly on you device, subscribe now.