fbpx

ଭାରତର ପଳାତକକୁ କାତାରରେ ସ୍ଵାଗତ, FIFA WCରେ ଇସଲାମର ପ୍ରଚାର କରିବ ଜାକିର ନାଇକ୍

ନୂଆଦିଲ୍ଲୀ: ଭାରତର ପଳାତକକୁ କାତାରରେ ସ୍ଵାଗତ। ବିବାଦୀୟ ଭାରତୀୟ ଇସଲାମିକ ଉପଦେଶକ ଜାକିର ନାଇକକୁ ଫିଫା ବିଶ୍ଵ କପ୍ ୨୦୨୨ରେ ଧାର୍ମିକ ପ୍ରବଚନ ପାଇଁ କାତାର ଆମନ୍ତ୍ରିତ କରିଛି। ଜାକିରକୁ ଭାରତ ପଳାତକ ଘୋଷଣା କରିଛି। ତା ବିରୋଧରେ ଭାରତରେ ଅନେକ ସଙ୍ଗୀନ ମୋକଦ୍ଦମା ଚାଲିଛି। ଭାରତରେ ମନି ଲଣ଼୍ଡ୍ରିଂ ଆକ୍ଟ ଏବଂ ଘୃଣିତ ଭାଷଣର ଅଭିଯୋଗର ଅଭିଯୁକ୍ତ ଜାକିର ନାଇକ ୨୦୧୭ରୁ ମାଲେସିଆରେ ନିର୍ବାସନରେ ରହୁଛି। କାତାର ସରକାରଙ୍କ ସାମିତ୍ଵରେ ଥିବା ସ୍ପୋର୍ଟ୍ସ ଚ୍ୟାନେଲ ଅଲକାସର ପ୍ରସ୍ତୁତକର୍ତ୍ତା ଫୈସଲ ଅଲହାଜରୀ ଟ୍ଵିଟ୍ କରିଛନ୍ତି ଯେ, ଉପଦେଶକ ଶେଖ ଜାକିର ନାଇକ ବିଶ୍ଵ କପ୍ ସମୟରେ କାତାରରେ ଅଛନ୍ତି ଏବଂ ପୁରା ଟୁର୍ଣ୍ଣାମେଣ୍ଟରେ ସେ ଅନେକ ଧାର୍ମିକ ବ୍ୟାଖ୍ୟାନ କରିବେ।

୨୦୧୬ ଶେଷ ଆଡକୁ ଜାକିର ନାଇକର ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନ(ଆଇଆରଏଫ)କୁ ନିଜର ଅନୁଗାମୀଙ୍କ ଦ୍ଵାରା ବିଭିନ୍ନ ଧାର୍ମିକ ସମୁଦାୟ ଏବଂ ଗୋଷ୍ଠୀ ମଧ୍ୟରେ ଶତ୍ରୁତା, ଘୃଣା, ଦୁର୍ଭାବନାର ଭାବନାକୁ ବଢାଇବା ଏବଂ ପ୍ରୋତ୍ସାହନ ଦେବା ଅଭିଯୋଗରେ ଭାରତ ଜାକିର ନାଇକ ଉପରେ ସମସ୍ତ  କଟକଣା ଲଗାଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ଗୃହ ମନ୍ତ୍ରନାଳୟ ଆଇଆରଏଫକୁ ବେଆଇନ ସଂଗଠନ ଘୋଷିତ କରିବା ସହ ପାଞ୍ଚ ବର୍ଷ କଟକଣା ଲଗାଇଛି। ଜାକିର ନାଇକ ପିସ୍ ଟିଭିର ପ୍ରତିଷ୍ଠାତା।

ଏହି ଚ୍ୟାନେଲର ଦର୍ଶକଙ୍କ ସଂଖ୍ୟା ୧୦  କୋଟିରୁ ଅଧିକ ରହିଛି। ଭାରତୀୟ ଆଇନରୁ ବର୍ତ୍ତିବା ପାଇଁ ଜାକିର ନାଇକ ମାଲେସିଆ ଫେରାର ମାରିଥିଲା। ମାଲେସିଆରେ ସ୍ଥାୟୀ ନିବାସୀ ହେଲେ ବି ଏହି ଦେଶ ମଧ୍ୟ ୨୦୨୦ରେ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ନାଇକ ଧାର୍ମିକ ଉପଦେଶ ଉପରେ କଟକଣା ଲଗାଇଛି। ସୂଚନାଯୋଗ୍ୟ, ଫିଫା ବିଶ୍ଵ କପର ଆୟୋଜନ ପ୍ରଥମ ଥର ମୁସଲିମ ଦେଶରେ ଖେଳା ଯାଉଛି। ବିଶେଷଜ୍ଞ ଏହାକୁ ଇସଲାମିକ ପ୍ରଚାରର ଟୁଲ୍ସ ଭାବେ ଦେଖୁଛନ୍ତି। କାତାର ପୂର୍ବରୁ ବିବାଦୀୟ ଭାରତୀୟ ଚିତ୍ରକାର ଏମଏଫ ହୁସେନଙ୍କୁ ଶରଣ ଦେଇଥିଲା। ନୁପୁର ଶର୍ମା ବିବାଦରେ ମଧ୍ୟ କାତାର ଭାରତକୁ ବିରୋଧ କରିବାରେ ଆଗରେ ରହିଥିଲା।

Get real time updates directly on you device, subscribe now.