fbpx

ଆରମ୍ଭ ହେଲା ଶ୍ରୀଜୀଉଙ୍କ ପହଣ୍ଡି ବିଜେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା । ଏହି ଅବସରରେ ଚକ୍ରରାଜ ସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ମାଆ ସୁଭଦ୍ରା ଓ କାଳିଆ ଠାକୁରଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ପ୍ରଭୁଙ୍କୁ ସେତ ଯେମିତି ଶ୍ରୀମନ୍ଦିର ହାତ ଠାରି ଡାକୁଛି । ଏହି ଅବସରରେ କାଳିଆକୁ ଶ୍ରୀମନ୍ଦିରକୁ ଭବ୍ୟ ବିଦାୟ ଦେବାକୁ ଆଡ଼ପ ମଣ୍ଡପ ପ୍ରସ୍ତୁତ ହୋଇ ରହିଛି ।

ତେବେ ବାହୁଡ଼ା ଯାତ୍ରା ପାଇଁ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପଲାଗି, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ୫ଟା ୩୦ରେ ଦ୍ୱାରପାଳ ପୂଜା ଶେଷ ହୋଇଥିଲା । ସେହିପରି ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ସମ୍ପନ୍ନ ହୋଇଥିଲା । ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା ସେନାପଟା ଲାଗି ଶେଷ ହେବା ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ବାହୁଡ଼ା ପହଣ୍ଡି ଆରମ୍ଭ ହେବ ।

ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି ଶେଷ ହେବା ପରେ ଅପରାହ୍ନ ୧ଟାରୁ ୨ଟା ୩୦ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶ ସମାପ୍ତ କରାଯିବ । ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରାପହଁରା ନୀତି ଓ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ । ଏହାପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ । ସୂଚନାଯୋଗ୍ୟ ଯେ, ବାହୁଡ଼ା ଯାତ୍ରା ପରେ ଆସନ୍ତା ୨୧ରେ ସୁନାବେଶ ଓ ୨୨ରେ ଅଧରପଣାନୀତି, ୨୩ରେ ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ । ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ସେଥିପାଇଁ ଗତକାଲି ରାତି ୮ଟାରୁ ଆସନ୍ତା ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ନିୟମକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ବାହୁଡ଼ାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ କାର୍ଯ୍ୟରେ ଲାଗୁଥିବା ସେବାୟତ ଓ କର୍ମଚାରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟର ସମୀକ୍ଷା କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.