ଏତେ ଅବସ୍ଥା ପରେ ବି ବନ୍ଦ ହେଉନି ପାକିସ୍ତାନର ଅପପ୍ରଚାର, ଏହି ପୋଷ୍ଟଗୁଡ଼ିକୁ ନକଲି ଘୋଷଣା କଲା PIB

ଇସଲାମାବାଦ/ନୂଆଦିଲ୍ଲୀ,୧୨ା୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସୋସିଆଲ ମିଡିଆରେ ଭାରତୀୟ ସେନାକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ପ୍ରକାରର ମିଥ୍ୟା ଦାବି କରାଯାଉଛି। ଆଜିକାଲି ଏକ ମେସେଜ୍‌ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ, ନିୟନ୍ତ୍ରଣ ରେଖାରେ ଗୁଳି ବିନିମୟ ହୋଇଛି।

ଏହା ବ୍ୟତୀତ ଏକ ଇନଫୋଗ୍ରାଫିକ ମଧ୍ୟ ଭାଇରାଲ ହେଉଛି, ଯାହା ଏହି ଚାରି ଦିନିଆ ଗତିରୋଧ ସମୟରେ ଉଭୟ ଦେଶ ହୋଇଥିବା କ୍ଷତିର ତୁଳନା କରୁଛି। କିନ୍ତୁ PIBର ଫ୍ୟାକ୍ଟ ଚେକର ଏହି ସମସ୍ତ ଦାବିକୁ ମିଥ୍ୟା ବୋଲି ଘୋଷଣା କରିଛି। ତଥ୍ୟ ଯାଞ୍ଚରେ କୁହାଯାଇଛି ଯେ, ଏହି ଇନଫୋଗ୍ରାଫିକ ନକଲି ଏବଂ ଏହା ଏକ ପ୍ରଚାର ଅଭିଯାନର ଅଂଶ। ଆତଙ୍କ ସୃଷ୍ଟି କରିବା ପାଇଁ ଗୁଜବ ପ୍ରସାର କରାଯାଉଛି

ପୂର୍ବରୁ ସୋସିଆଲ ମିଡିଆରେ ସେନା ନାମରେ ଲୋକଙ୍କଠାରୁ ଟଙ୍କା ମାଗୁଥିଲା। ଏଥିପାଇଁ ବଦମାସମାନେ ଏକ ନୂତନ ପଦ୍ଧତି ଗ୍ରହଣ କରିଥିଲେ। ଭାଇରାଲ ମେସେଜରେ କୁହାଯାଇଛି ଯେ, ସରକାର ସେନାର ଆଧୁନିକୀକରଣ ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି। କିନ୍ତୁ PIB ଫ୍ୟାକ୍ଟ ଚେକର ଏହି ମେସେଜକୁ ମଧ୍ୟ ନକଲି ବୋଲି ଘୋଷଣା କରିଥିଲା। PIB ଫ୍ୟାକ୍ଟ ଚେକର କହିଥିଲା ଯେ, ଏହା ଠକେଇର ଏକ ଷଡ଼ଯନ୍ତ୍ର। ଏଥିରେ ସେନାର କୌଣସି ସମ୍ପର୍କ ନାହିଁ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଦିନ ଧରି ଚାଲିଥିବା ବିବାଦ ମେ’ ୧୦ରେ ଶେଷ ହୋଇଥିଲା। ଆମେରିକାର ମଧ୍ୟସ୍ଥତାରେ ଉଭୟ ଦେଶ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ, କିନ୍ତୁ ଶାନ୍ତିର କିଛି ଘଣ୍ଟା ମଧ୍ୟରେ ପାକିସ୍ତାନରୁ ଗୁଳିବର୍ଷା ହୋଇଥିବାର ରିପୋର୍ଟ ଆସିଥିଲା। କିନ୍ତୁ ଭାରତ ଏକ କଡ଼ା ବାର୍ତ୍ତା ଦେଇ ପାକିସ୍ତାନକୁ ଉଚିତ ଜବାବ ଦେଇଥିଲା। ଏହା ପରେ ସୀମାରେ ଗୁଳିବର୍ଷା ବନ୍ଦ ହୋଇଯାଇଛି ଏବଂ ବର୍ତ୍ତମାନ ପରିସ୍ଥିତି ଶାନ୍ତ ପଡ଼ିଛି।