fbpx
BSKY
BJD MC SKY
BJD MS SKY

ଋଣ ପରିଶୋଧ ପାଇଁ ଚୀନକୁ ଗିଲଗିଟ୍ ବାଲିଷ୍ଟାନ ଦେଇପାରେ ପାକିସ୍ତାନ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଲଗାତାର ଚୀନଠୁ ଋଣ ନେଇ ଚାଲିଛି। ଜୁନ ୨୨ରେ ପାକିସ୍ତାନ ଚୀନଠୁ ୨.୩ ମିଲିୟନ ଡଲାରର ଋଣ ନେଇଛି। ହେଲେ ପାକିସ୍ତାନ ଋଣ ତ ନେଇ ଚାଲିଛି, ହେଲେ ଏହାର ପରିଶୋଧ କରି ପାରୁନି। ବେଳେ ବେଳେ ଚୀନ ଋଣ ପରିଶୋଧ କରିବାକୁ ଚାପ ମଧ୍ୟ ପକାଉଛି। ଏବେ ଋଣ ପରିଶୋଧ ପାଇଁ ପାକିସ୍ତାନ ପାକ୍ ଅଧିକୃତ କାଶ୍ମୀରର ଗିଲଗିଟ୍ ବାଲିଷ୍ଟାନକୁ ଚୀନକୁ ଲିଜରେ ଦେଇପାରେ।

ଅଲ ଅରବିଆରେ ପ୍ରକାଶିତ ଖବର ଅନୁଯାୟୀ, କାରାକୋରମ ଜାତୀୟ ଆନ୍ଦୋଳନର ଅଧ୍ୟକ୍ଷ ମୁମତାଜ ନଗରୀ ଆଶଙ୍କା ପ୍ରକାଶ କରିଛନ୍ତି ଯେ, କଣଠେସା ଏବଂ ଅବହେଳିତ ହୋଇ ରହିଥିବା ଗିଲଗିଟ୍ ବାଲିଷ୍ଟାନ ଭବିଷ୍ୟତରେ ଯୁଦ୍ଧର ମଇଦାନରେ ପରିଣତ ହୋଇପାରେ। ସେ କହିଛନ୍ତି ପାକିସ୍ତାନ ଗିଲଗିଟ୍ ବାଲିଷ୍ଟାନ ଅଞ୍ଚଳକୁ ଚୀନ ହାତରେ ଟେକି ଦେଇପାରେ। ସଂପୂର୍ଣ୍ଣ ଭାବେ ପାକିସ୍ତାନ ସରକାର ଏବଂ ସେନା ନିୟନ୍ତ୍ରଣ ଥିଲେ ବି ପାକିସ୍ତାନ ପାଇଁ ଏମିତି ପଦକ୍ଷେପ ନେବା ସହଜ ହେବ ନାହିଁ।

ଗିଲଗିଟ୍ ବାଲିଷ୍ଟାନ ଉପରେ ପାକିସ୍ତାନର ଅବୈଧ କବଜା ରହିଛି। ଯଦି ପାକିସ୍ତାନ ଏହି ଅଞ୍ଚଳକୁ ଚୀନକୁ ହସ୍ତାନ୍ତର କରେ ତେବେ ଏହା ଡ୍ରାଗନ ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ। ଏହା ବଦଳରେ ଇସଲାମାବାଦକୁ ମୋଟା ଅଙ୍କର ଅର୍ଥ ରାଶି ମିଳିପାରେ, ଯଦ୍ଵାରା ସାଂପ୍ରତିକ ଆର୍ଥିକ ସ୍ଥିତିରୁ କିଛି ମାତ୍ରାରେ ମୁକୁଳି ପାରିବ।

ଗିଲଗିଟ ବାଲିଷ୍ଟାନର ଜନସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏଠାରୁ ଲୋକେ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ହେଉଥିବା ଆତ୍ମହତ୍ୟା ମଧ୍ୟରୁ ନଅ ପ୍ରତିଶତ କେବଳ ଗିଲଗିଟ୍ ବାଲିଷ୍ଟାନରୁ। ଗିଲଗିଟ୍-ବାଲିଷ୍ଟାନକୁ ଦିନକୁ ହାରାହାରି ଦୁଇ ଘଣ୍ଟା ବିଜୁଳି ମିଳିଥାଏ। କାରଣ ଏହା ପାକିସ୍ତାନର ରାଷ୍ଟ୍ରୀୟ ଗ୍ରୀଡର ଅଂଶ ନୁହେଁ। ଏଥିସହ ଗିଲଗିଟ ବାଲିଷ୍ଟାନର ଜଳ ବିଦ୍ୟୁତ ଏବଂ ଅନ୍ୟ ସମ୍ବଳ ଉପରେ କାହାରି ନିୟନ୍ତ୍ରଣ ନାହିଁ।

ଚୀନ ଉପରେ ଆମେରିକାର ଆଖି

ଆମେରିକା ଏସିଆରେ ଚୀନର ବିସ୍ତାର ରୋକିବା ପାଇଁ ପଦକ୍ଷେପ ଉଠାଉଛି। ବିଶେଷଜ୍ଞଙ୍କ ମତରେ ଆମେରିକା କେବେ ବି ଚୀନର ଅନ୍ୟ ଅଞ୍ଚଳ ଉପରେ କବଜାକୁ କଦାପି ବରଦାସ୍ତ କରିବ ନାହିଁ। ଆମେରିକା ଖୋଦ୍ ଚୀନ ଉପରେ ନଜର ରଖିବା ପାଇଁ ବଲୁଚିସ୍ତାନ ଏବଂ ଗିଲଗିଟ୍ ବାଲିଷ୍ଟାନ ପରି ଅଞ୍ଚଳ ଉପରେ ନଜର ରଖିଛି। ଆମେରିକା କଂଗ୍ରେସରେ ଥିବା ବବ ଲେନସିଆ କହିଛନ୍ତି, ଯଦି ଗିଲଗିଟ୍ ବାଲିଷ୍ଟାନ ଭାରତରେ ଥାନ୍ତା ଏବଂ ବଲୁଚିସ୍ତାନ ସ୍ଵାଧୀନତା ପାଇଥାନ୍ତା ତେବେ ଆଫଗାନିସ୍ତାନରେ ଆମେରିକାର ଅବସ୍ଥା ଏମିତି ହୋଇନଥାନ୍ତା।

 

Get real time updates directly on you device, subscribe now.