fbpx
BJD
BJD SKY
BJD SKY

ଇସ୍ତଫା ଦେଲେ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ; କହିଲେ କାମ କରିବା ଆଉ ସମ୍ଭବ ନୁହେଁ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡର ଅନ୍ତରୀଣ ଅଧ୍ୟକ୍ଷ ଜାକା ଅଶରଫ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ଲାହୋରରେ ପିସିବି ପରିଚାଳନା କମିଟି ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ଜାକା ଅଶରଫ୍ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ପିସିବି ପରିଚାଳନା କମିଟି ବୈଠକରେ ଜାକା ଅଶରଫ ପିସିବି ସଦସ୍ୟ ଏବଂ ଏହାର ପୃଷ୍ଠପୋଷକ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାର-ଉଲ-ହକ୍ କାକରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଏହି ବୈଠକ ଶେଷରେ ଅଶରଫ କହିଛନ୍ତି ଯେ ସେ ପିସିବିର ପୃଷ୍ଠପୋଷକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପରେ ପାକିସ୍ତାନର ଅଗ୍ରଣୀ ଚ୍ୟାନେଲ ଜିଓ ନ୍ୟୁଜ୍ ରିପୋର୍ଟ କରିଛି ଯେ ଅଶରଫ କହିଛନ୍ତି, ମୁଁ କ୍ରିକେଟର ଉନ୍ନତି ପାଇଁ କାମ କରୁଥିଲି କିନ୍ତୁ ବର୍ତ୍ତମାନ ଆମ ପାଇଁ ଏଭଳି କାମ କରିବା ସମ୍ଭବ ନୁହେଁ। ଏବେ ଏହା ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ଭର କରୁଛି ଯେ ସେ କାହାକୁ ମନୋନୀତ କରନ୍ତି। ଗତ ବର୍ଷ ଜୁଲାଇରେ ସେ ନଜମ ସେଠୀଙ୍କଠାରୁ ପିସିବିର ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କୁ ୪ ମାସ ପାଇଁ ଅନ୍ତରୀଣ ଅଧ୍ୟକ୍ଷ କରାଯାଇଥିଲା, ଯାହାକୁ ପରେ ପ୍ରଧାନମନ୍ତ୍ରୀ ୩ ମାସ ପାଇଁ ବୃଦ୍ଧି କରିଥିଲେ।

ଗତ କିଛି ବର୍ଷ ମଧ୍ୟରେ ପିସିବି ମୁଖ୍ୟ ପଦରେ ଅନେକ ପରିବର୍ତ୍ତନ ହୋଇଛି। ୨୦୨୧ରେ ରମିଜ୍ ରାଜା ଅଧ୍ୟକ୍ଷ ହୋଇଥିଲେ। ଏହାପରେ ନଜମ ସେଠୀଙ୍କୁ ଦାୟିତ୍ୱ ଦିଆଯାଇଥିଲା ଏବଂ ପରେ ଜାକା ଅଶରଫଙ୍କୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବର୍ଷେରୁ ଅଧିକ ସମୟ ଅଫିସରେ ରହିପାରିନଥିଲେ। ଜାକା ଅଶରଫଙ୍କ ସ୍ୱଳ୍ପ କାର୍ଯ୍ୟକାଳ ମଧ୍ୟରେ ପାକିସ୍ତାନ କ୍ରିକେଟ୍ ଦଳ କୌଣସି ସଫଳତା ହାସଲ କରିବାରେ ବିଫଳ ହୋଇଛି।

Get real time updates directly on you device, subscribe now.