ଋଷ-ୟୁକ୍ରେନ ପରେ ହେବ କି ଆଉ ଏକ ଯୁଦ୍ଧ?: ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଗୋଟିଏ ପକ୍ଷରେ ଋଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉ ନଥିବା ବେଳେ ଏବେ ଆଉ ୨ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦେଖିବାକୁ ମିଳିଛି । ଏହି ଦୁଇ ଦେଶ ହେଉଛନ୍ତି ପାକିସ୍ତାନ ଏବଂ ଆଫଗାନିସ୍ତାନ । ଉଭୟଙ୍କ ମଧ୍ୟରେ ଏବେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆଫଗାନିସ୍ତାନର ୨ଟି ସ୍ଥାନରେ ପାକିସ୍ତାନ ଏୟାରଷ୍ଟ୍ରାଇକ କରିଥିବା ବେଳେ ତାଲିବାନ ମଧ୍ୟ ଏହାର ଭୟଙ୍କର ପରିଣାମ ହେବ କହି ଚେତାବନୀ ଦେଇଛି ।

ସୂଚନା ଅନୁଯାୟୀ, ପାକିସ୍ତାନ ସେନା ହେଲିକପ୍ଟର ଆଫଗାନିସ୍ତାନର ଖୋସ୍ତ ଏବଂ କୁନାର ପ୍ରାନ୍ତରେ ଏୟାରଷ୍ଟ୍ରାଇକ କରିଥିବା ଜଣାଯାଇଛି । ଏହାଦ୍ୱାରା ୩୬ ଜଣ ନାଗରିକଙ୍କ ମୃତ୍ୟୁ ନେଇ ଦାବି ହେଉଥିବା ବେଳେ ପାକିସ୍ତାନ ଏହି ଅଭିଯୋଗକୁ ଖାରଜ କରିଛି । ଆଫଗାନିସ୍ତାନରେ ଏପରି ଆକ୍ରମଣ ଉପରେ କାବୁଲରେ ଥିବା ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିବା ସହିତ ଏହାକୁ ରୋକିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ଏୟାରଷ୍ଟ୍ରାଇକରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଆଫଗାନିସ୍ତାନ ତରଫରୁ ମୃତକଙ୍କ ପ୍ରକୃତ ସଂଖ୍ୟା ଜଣାପଡିନାହିଁ । ତେବେ ଖୋସ୍ତ ଅଞ୍ଚଳରେ ପାକିସ୍ତାନର ଆକ୍ରମଣରେ ୩୬ ଲୋକ ପ୍ରାଣ ହରାଇଥିବା ନେଇ ସୂଚନା ଦେଇଛନ୍ତି ତାଲିବାନର ସ୍ଥାନୀୟ ନେତା ମାବଲବୀ ମହମ୍ମଦ ରଇସ ହେଲାଲ । ସେଠାକାର କିଛି ଲୋକ ବୋମା ପକାଇଥିବା ଦାବି କରୁଥିବା ବେଳେ ପକିସ୍ତାନ ପ୍ରବକ୍ତା ଏହାକୁ ଖଣ୍ଡନ କରିଛନ୍ତି ।

ତେବେ ଏପରି କାର୍ଯ୍ୟକଳାପ ପରେ ତାଲିବାନ ମଧ୍ୟ ପାକିସ୍ତାନକୁ ଧମକ ଦେଇଛି । ଏୟାରଷ୍ଟ୍ରାଇକର ଏହି ପଦକ୍ଷେପର ପରିଣାମ ଖୁବ ଭୟଙ୍କର ହେବ ବୋଲି ଟ୍ୱିଟ କରି ପାକିସ୍ତାନକୁ ଚୋବନୀ ଦେଇଛନ୍ତି ତାଲିବାନର ପ୍ରବକ୍ତା ଜବିଉଲ୍ଲାହ ମୁଜାହିଦ । ଉଭୟ ଦେଶରେ ଥିବା ସମସ୍ୟା ଗୁଡିକୁ ରାଜନୈତିକ ଆଲୋଚନା ଦ୍ୱାରା ସମାଧାନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।