fbpx

PCBକୁ ଟ୍ରିପଲ ଝଟକା: ଏସିଆ କପ-2023ରୁ ହଟିବାକୁ ବାଧ୍ୟ ହୋଇପାରେ ପାକିସ୍ତାନ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩କୁ ନେଇ ଚାଲିଥିବା ବାଦ ବିବାଦ ଭିତରେ ପାକିସ୍ତାନକୁ ଲାଗିଛି ବଡ ଝଟକା । ଏକା ସାଙ୍ଗରେ ୩ଟି ଦେଶ ପାକିସ୍ତାନର ପ୍ରସ୍ତାବକୁ ବିରୋଧ କରିଛନ୍ତି । ଭାରତ ଏସିଆ କପ୍ ପାଇଁ ପାକିସ୍ତାନ ଯିବାକୁ ମନା କରିବା ପରେ ପିସିବି ଅଧ୍ୟକ୍ଷ ଏଥିପାଇଁ ହାଇବ୍ରିଡ ମଡେଲ ପ୍ରସ୍ତୁତ କରିଥିଲେ । କିନ୍ତୁ ଏହି ମଡେଲରେ ଖେଳିବା ପାଇଁ ମନା କରି ଦେଇଛନ୍ତି ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ । ଏହାପରେ ବଡ ଅଡୁଆରେ ପଡିଯାଇଛି ପାକିସ୍ତାନ କ୍ରିକେଟ ବୋର୍ଡ । ତେବେ ବର୍ତ୍ତମାନ ପାକିସ୍ତାନ ପାଖରେ ମାତ୍ର ଦୁଇଟି ରାସ୍ତା ବାକି ରହିଛି । ଏହାପରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ଓହରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଏସିଆ କପ୍ ପାଇଁ ପିସିବିର ହାଇବ୍ରିଡ ମଡେଲକୁ ୩ଟି ଦେଶ ଅସ୍ୱୀକାର କରିଛନ୍ତି । ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ପ୍ରଥମ ୪ଟି ମ୍ୟାଚ ନିଜ ଦେଶରେ କରିବାକୁ ଚାହୁଁଛି । ଏଥିପାଇଁ ବୋର୍ଡ ପକ୍ଷରୁ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯିବା ନେଇ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏହାସହିତ ପାକିସ୍ତାନ ୟୁଏଇରେ ଟୁର୍ଣ୍ଣାମେଣ୍ଟ କରିବା ପାଇଁ ମଧ୍ୟ ପ୍ରସ୍ତୁତ ରହିଛି । କିନ୍ତୁ ଆୟୋଜକ ଭାବରେ ନିଜ ଦେଶରେ କିଛିଟା ମ୍ୟାଚ ଖେଳାଯିବା ଉଚିତ ବୋଲି ନଜମ ସେଠୀ କହିଛନ୍ତି । ତେଣୁ ଏହା ନ ହେଲେ, ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ହଟିବ ବୋଲି କହିଥିଲେ ପିସିବି ଅଧ୍ୟକ୍ଷ । ତେଣୁ ଏସିଆ କପକୁ ନେଇ ବର୍ତ୍ତମାନ ସୁଦ୍ଧା ଦ୍ୱନ୍ଦ୍ୱ ଶେଷ ହୋଇନି । ଟୁର୍ଣ୍ଣାମେଣ୍ଟ କେଉଁଠି ହେବ ତାହାକୁ ନେଇ ଟଣା-ଓଟରା ଲାଗିରହିଛି ।

ସେପଟେ ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟ ନହେଲେ ଶ୍ରୀଲଙ୍କା ଏହାର ଆୟୋଜନ କରିବା ପାଇଁ ପ୍ରସ୍ତୁତ ରହିଛି । କିନ୍ତୁ ଶ୍ରୀଲଙ୍କାର ଏହି ନିଷ୍ପତ୍ତି ପାକିସ୍ତାନକୁ ଝଟକା ଦେଇଛି । ସେତିପାଇଁ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ ରଦ୍ଦ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । ତେବେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ହଟିଲେ, ଏସିଆ କପରେ ୬ ଜାଗାରେ ୫ଟି ଧେଶକୁ ନେଇ ଖେଳାଯିବ । ଏହା ପୂର୍ବରୁ ୧୯୯୦-୯୧ରେ ମଧ୍ୟ ଭାରତରେ ଆୟୋଜିତ ଏସିଆ କପରେ ପାକିସ୍ତାନ ଭାଗ ନେଇ ନଥିଲା ।

Get real time updates directly on you device, subscribe now.