fbpx

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶାରଫଙ୍କୁ ଫାଶୀଦଣ୍ଡ

ଇସ୍ଲାମବାଦ,୧୭ା୧୨ : ଦେଶଦ୍ରୋହ ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶାରଫଙ୍କୁଦୋଷୀ ସାବ୍ୟସ୍ତ କରାଯିବା ସହିତ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଛି । ପେଶାୱର ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ୱାକର ଅହମଦ ସେଠଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମୁଶାରଫଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ବର୍ତ୍ତମାନ ମୁସାରଫ ବିଦେଶରେ ଥିବା ସୂଚନା ରହିଛି । ମୁସାରଫଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ଓ ଦେଶବିରୋଧରେ ଷଡ଼ଯନ୍ତ୍ର କରୁଥିବା ମାମଲାର ଶୁଣାଣି କରି ସ୍ୱତନ୍ତ୍ର ପେଶାୱର କୋର୍ଟ ଏହି ରାୟ ଦେଇଛନ୍ତି । ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ କୌଣସି ବ୍ୟକ୍ତିଙ୍କୁ ସ୍ୱତବ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ ସପ୍ତାହରେ ୭୬ ବର୍ଷୀୟ ମୁଶାରଫଙ୍କ ବୟାନ ଡିସେମ୍ବର ୫ ସୁଦ୍ଧା ରେକର୍ଡ କରିବାକୁ ସ୍ୱତବ କୋର୍ଟ କହିଥିଲେ । ମୁଶାରଫ ୨୦୦୭ରେ ପାକିସ୍ତାନ ସମ୍ବିଧାନକୁ ରଦ୍ଦ କରିବା ସହ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରିଥିଲେ । ଏହି ସମୟରେ ସେ ଏକାଧିକ ବିଚାରପତି ଓ ରାଜନେତାଙ୍କୁ ବନ୍ଦୀ ବନାଇ ରଖିଥିଲେ । ୨୦୧୪ ମାର୍ଚ୍ଚ ୩୧ରେ ଏହି ମାମଲାରେ ତାଙ୍କର ସଂପୃକ୍ତି ଥିବା କୋର୍ଟ କହିବା ସହ ସେବେଠାରୁ ମାମଲାର ଶୁଣାଣି ଜାରି ରଖିଥିଲେ । ମୁଶାରଫ ବର୍ତ୍ତମାନ ଦୁବାଇରେ ରହୁଛନ୍ତି । ସେ ୨୦୧୬ରେ ଦୁବାଇକୁ ମେଡିକାଲ ଚେକଅପ ପାଇଁ ଯାଇଥିଲେ । ସେବେଠାରୁ ସେ ସୁରକ୍ଷା ଓ ସ୍ୱାସ୍ଥ୍ୟଗତ ସମସ୍ୟା ଆଳରେ ଆଉ ପାକିସ୍ତାନ ଫେରିନାହାନ୍ତି । ସେ କୋର୍ଟରେ ହାଜର ନହେବାରୁ ତାଙ୍କୁ ପଳାତକ ମଧ୍ୟ ଘୋଷଣା କରାଯାଇଛି । ଏହାପୂର୍ବରୁ ସେ ୨୦୦୮ରେ ମଧ୍ୟ ଦେଶ ଛାଡ଼ିଦେଇଥିଲେ ।

ତେବେ ୨୦୧୩ରେ ସେ ପୁଣି ପାକିସ୍ତାନ ଫେରିଥିଲେ । ମୁଶାରଫ ୨୦୦୧ରୁ ୨୦୦୮ ଯାଏ ପାକିସ୍ତାନର ରାଷ୍ଟ୍ରପତି ରହିଥିଲେ । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସେ ସର୍ବଦା ଟାଳି ଆସିଥିଲେ ଏବଂ ଏହା ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ ।

 

Get real time updates directly on you device, subscribe now.