ଡରରେ ଥରିଲାଣି ପାକିସ୍ତାନ: ମିଶାଇଲ ପରୀକ୍ଷଣ ନେଇ ଜାରି କଲା ବିଜ୍ଞପ୍ତି, ପାକ୍ ଗତିବିଧି ଉପରେ ଭାରତର ନଜର
ମିଶାଇଲ ପରୀକ୍ଷଣ କରିବ ପାକିସ୍ତାନ । ପାକ୍ ଉପରେ ରହିଛି ଭାରତର ନଜର ।
କରାଚୀ: ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପରେ ଏବେ ଏହାର ମୁହଁତୋଡ୍ ଜବାବ୍ ହେବାକୁ ପ୍ରସ୍ତୁତ ହେଉଛି ଭାରତ ।
ଭାରତ ଆତଙ୍କବାଦ ବିରୋଧରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନେବ ସେ ନେଇ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଚିନ୍ତାରେ ଥିବାବେଳେ ଏକ ବଡ଼ ନିଷ୍ପତ୍ତି ନେଇଛି ।
ଭାରତ ଆତଙ୍କବାଦ ନିପାତ ପାଇଁ ନିଜକୁ ପ୍ରସ୍ତୁତ କରୁଥିବାବେଳେ ପାକିସ୍ତାନ କରିବାକୁ ଯାଉଛି ମିଶାଇଲ ପରୀକ୍ଷଣ । ଏ ନେଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ, କରାଚୀ ଉପକୂଳରେ ସର୍ଫେସ୍ ଟୁ ସର୍ଫେସ୍ ମିଶାଇଲ ପରୀକ୍ଷଣ କରାଯିବ । ଏ ନେଇ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଇ ନ ଥିବାବେଳେ ୨୪ ଏପ୍ରିଲ କିମ୍ବା ୨୫ ଏପ୍ରିଲରେ ପରୀକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ତେବେ ଏହା ଉପରେ ଭାରତର ନଜର ରହିଥିବା ସୂଚନା । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ପ୍ରତିଟି ଗତିବିଧି ଉପରେ ଭାରତର ନଜର ରହିଛି ।
ମଙ୍ଗଳବାର ପହଲଗାମରେ ହଠାତ୍ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳି ଫୁଟାଇଥିଲେ । ଯେଉଁଥିରେ ୨୬ ପର୍ଯ୍ୟଯକଙ୍କ ମୃତ୍ୟୁ ଘଟିଯାଇଛି । ଘଟଣାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି ।