fbpx

ଏକାଠି ହେଲେ ହିନ୍ଦୁ-ମୁସଲିମ ଭାଇ: ସହିଦଙ୍କ ଜନ୍ମମାଟିରୁ ଶୁଭିଲା ‘ପାକିସ୍ତାନ ମୁର୍ଦ୍ଦାବାଦ- ଭାରତୀୟ ଯବାନ ଜିନ୍ଦାବାଦ’ ନାରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦ ତାରିଖରେ ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏଥିସହିତ ଏହି ଆକ୍ରମରେ ଜଣେ ଓଡ଼ିଆ ଡ୍ରାଇଭର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଜମ୍ମୁ କଶ୍ମୀରର ରାଜୌରୀ ସେକ୍ଟର ସ୍ଥିତ ଭୀମବେର ଗଲି ଓ ପୁଞ୍ଚ ମଧ୍ୟ ଦେଇ ଯାଇଥିବା ଏକ ହାଇୱେରେ ଆର୍ମି ଗାଡ଼ି ଯାତ୍ରା କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ଆତଙ୍କବାଦୀମାନେ ଆର୍ମି ଗାଡ଼ି ଉପରକୁ ଅଚାନକ ଗୁଳିମାଡ଼ କରିଥିଲେ ।

ତେବେ ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈସ ସମର୍ଥିତ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (ପିଏଏଫଏଫ) ନିଜକୁ ଦାୟୀ କରିଥିବା ବେଳେ ପାକିସ୍ତାନର ହାତ ଥିବା ପୋଲିସ ସନ୍ଦେହ ପ୍ରକାଶ କରିଛି । ଘଟଣା ସ୍ଥଳରେ ଜାତୀୟ ତଦନ୍ତକାରୀ ସଂସ୍ଥା (ନିଆ) ଓ ଫରେସିକ୍ ଟିକ୍ ପହଞ୍ଚି ଆକ୍ରମଣ ପଛର ରହସ୍ୟ ଉପରେ ସମୀକ୍ଷା କରିଥିଲେ । ତେବ ଆସନ୍ତା ମାସରେ ଗୋଆଠାରେ ହେବାକୁ ଥିବା ଶଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ରେ ପାକିସ୍ତାନରେ ବୈଦେଶିକ ମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଜର୍ଦାରୀ ଯୋଗ ଦେବାକୁ ଥିବାବେଳେ ଏହି ଘଟଣା ପୁଣି ଥରେ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ ଏହି ଆକ୍ରମଣରେ ସହିଦ ହୋଇଥିଲେ ଓଡ଼ିଶାର ପୁରୀ ଜିଲ୍ଲା ସତ୍ୟବାଦୀର ଖଣ୍ଡାୟତ ସାହିର ଯବାନ ଦେବାଶିଷ ବିଶ୍ୱାଳ । ଆଜି ଓଡ଼ିଶା ମାଟିର ଏହି ବୀର ସନ୍ତାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ୍ ଅନ୍ନର ପ୍ରଦାନ କରାଯାଇଥିବା ବେଳେ ସତ୍ୟବାଦୀ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଦେଶପ୍ରେମର ଏକ ଅପୂର୍ବ ନିଦର୍ଶନ । ହିନ୍ଦୁ-ମୁସଲମାନ ଭାଇମାନେ ଏକତ୍ର ହୋଇ ସହିଦ ଭାଇଙ୍କୁ ବିଦାୟ ଦେଇଥିଲେ । ଜନ୍ମମାଟିକୁ ସହିଦଙ୍କ ମରଶରୀରକୁ ନିଆଯାଉଥିବା ବେଳେ ସମସ୍ତଙ୍କ ଆଖି ଲୁହରେ ଭରି ଯାଇଥିଲା । ଆଉ ସେଇ ଭିଡ଼ ଭିତରୁ ଶୁଭୁଥିଲା ଗୋଟିଏ ସ୍ୱର ‘ପାକିସ୍ତାନ ମୁର୍ଦ୍ଦାବାଦ- ଭାରତୀୟ ଯବାନ ଜିନ୍ଦାବାଦ’ । ଲାଗୁଥିଲା ସତେ ଯେମିତି ଆମ ସମସ୍ତଙ୍କୁ ଏକ କରିବା ଲକ୍ଷ୍ୟରେ ଦେଶ ପାଇଁ ପ୍ରାଣବଳୀ ଦେଇଛନ୍ତି ଏହି ଓଡ଼ିଆ ବୀର ଯବାନ ।

Get real time updates directly on you device, subscribe now.