fbpx

ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୬ତମ ଜୟନ୍ତୀ, ବିଜୟ ଉତ୍ସବ ପାଳିବ ବିଜେଡି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ । ଏହି ଦିନରେ ପଞ୍ଚାୟତ ନିର୍ବାଚନରେ ବିଜେଡିର ଅଭୂତପୂର୍ବ ସଫଳତା ପରେ ବିଜେଡି ବିଜୟ ଉତ୍ସବ ପାଳିନ କରିବ। ଏଥିନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ବିଜୁବାବୁ ଥିଲେ ଓଡ଼ିଶା ସଫଳ ବିକାଶ ଯାତ୍ରାର ମହାନାୟକ । ତାଙ୍କରି ନୀତି ଓ ଆଦର୍ଶକୁ ଆଧାର କରି ବିଜୁ ଜନତାଦଳ ଓଡ଼ିଶାର ଅବିରତ ବିକାଶ ଯାତ୍ରା ଜାରି ରଖିଛି । ଦାରିଦ୍ର‌୍ୟ ଦୂରୀକରଣ, ସାମାଜିକ ସୁରକ୍ଷା, ଖାଦ୍ୟ ନିରାପତ୍ତା, ମହିଳା, ଯୁବକ ଓ କୃଷକଙ୍କ ସଶକ୍ତିକରଣ, ଭିତ୍ତିଭୂମି ଉନ୍ନୟନ ତଥା ବିଭିନ୍ନ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ପ୍ରଶାସନକୁ ଅଧିକ ଉତ୍ତରଦାୟୀ, ସ୍ୱଚ୍ଛ, ପ୍ରଗତିଶୀଳ ଓ ଲୋକାଭିମୁଖୀ କରିବା ପାଇଁ ୫-ଟି ମନ୍ତ୍ର ସହିତ ମୋ ସରକାର ଭଳି ଅନୁକରଣୀୟ କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରଶାସନିକ ତଥା ବିକାଶ ପ୍ରକ୍ରିୟାରେ ପୂର୍ଣ୍ଣ ପରିବର୍ତ୍ତନ ଅଣାଯାଇ ନୂଆ ଓଡ଼ିଶା ଗଠନ ନିମନ୍ତେ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି ।

ବିଜୁ ବାବୁଙ୍କ ଜୟନ୍ତୀ ପାଳନ ଅବସରରେ ବିଜେଡି ପକ୍ଷରୁ ଓଡ଼ିଶାବାସୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକାରୀ କରାଯାଉଥିବା ଓଡ଼ିଶା ବିକାଶ ଯାତ୍ରାର ଏହି ଅସାମାନ୍ୟ ଉପଲବ୍ଧି ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଗଠନରେ ସହଯୋଗ କରିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଏଥିସହ ରାଜ୍ୟର ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ସହ ଦଳୀୟ ଏକତା, ଶୃଙ୍ଖଳା ଓ ଅନୁଶାସନ ପାଳନ ନିମନ୍ତେ ପ୍ରତିବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଶନିବାର ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଭକ୍ତି, ଶ୍ରଦ୍ଧା ଓ ସମ୍ମାନର ସହିତ ନିରାଡମ୍ବର ଭାବେ ପାଳନ କରିବାକୁ ପରାମର୍ଶ ଦେବା ସହ ନିର୍ବାଚନମଣ୍ଡଳୀ ସ୍ତରରେ ସାଧାରଣ ସଭା ଆୟୋଜନ କରି ବିଜୁ ଜନତାଦଳର ସଫଳତା ସମ୍ପର୍କରେ ଆଲୋଚନା କରିବାକୁ କହିଛନ୍ତି । ଏଥିନେଇ ସମସ୍ତ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

Get real time updates directly on you device, subscribe now.