fbpx

(Video) ଟୁକୁଡ଼ା କାଗଜ ଖୋଲିବ ନବ ଦାସ ହତ୍ୟା ରହସ୍ୟ: କାଗଜରେ କ’ଣ ଲେଖିଛନ୍ତି ଗୋପାଳ, ଏହା ପଛରେ ଆଉ କାହାର ସମ୍ପୃକ୍ତି ଅଛି କି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଖୋଲୁଛି ନୂଆ ନୂଆ ଗୁମର । କ୍ରାଇମବ୍ରାଞ୍ଚ, ଫରେନସିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଛାନଭିନ କରିବା ସହ ହତ୍ୟାକାରୀ ଗୋପାଳ ଦାସଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଜେରା କରାଯାଇଥିଲା । ଅନ୍ୟପଟେ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବିରୋଧୀ ବିଜେପି ଓ କଂଗ୍ରେସ ଆକ୍ରମଣ କରିଛନ୍ତି ।

ତେବେ ଏହା ମଧ୍ୟରେ ନବ ଦାସ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଏକ ବଡ଼ ଟ୍ୱିଷ୍ଟ । ପାଇଖାନା ଟାଙ୍କିରୁ ଜବତ ହୋଇଛି ବହିଷ୍କୃତ ଏଏସଆଇ ଗୋପାଳଙ୍କ ହାତଲେଖା କାଗଜ । ଝାରସୁଗୁଡ଼ା ଏୟାରପୋର୍ଟ ଥାନା ଲାଟ୍ରିନ ସ୍ୱେରେଜ ଟାଙ୍କି ଖୋଳାଯାଉଥିବା ବେଳେ ପୋଲିସ ହାତରେ ଲାଗିଥିଲା ଏକ ବଡ଼ ସୁରାକ । ଟାଙ୍କି ଭିତରୁ ଗୋପାଳଙ୍କ ୧୫ ଖଣ୍ଡ ହାତଲେଖା କାଗଜ ମିଳିଛି । ଏହି କାଗଜଗୁଡ଼ିକୁ ଲାଟ୍ରିନରେ ଫ୍ଲସ୍ କରାଯାଇଥିବା ପୋଲିସ ଜାଣିବାକୁ ପାଇଛି ।

ତେବେ ଏହି କାଗଜରେ ଲାଲ କଲରରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖାଯାଇଛି । ଗତ ମାସ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ଏକ କାର୍ଯ୍ୟକ୍ରମ ସ୍ଥଳରେ ମନ୍ତ୍ରୀଙ୍କୁ ଗୋପାଳ ଗୁଳି କରିଥିଲେ । ଉକ୍ତ ଦିନ ଗୋପାଳଙ୍କୁ ଏୟାରପୋର୍ଟ ଥାନାରେ ଅଟକ ରଖାଯାଇଥିବା ବେଳେ ଏହାର ସୁଯୋଗ ନେଇ ସେ ପାଇଖାନାରେ କାଗଜକୁ ଫ୍ଲସ୍ କରିଦେଇଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଗୋପାଳ କ’ଣ ସବୁ ଏଇ କାଗଜରେ ଲେଖିଛନ୍ତି? କାହିଁକି ସେ ପାଇଖାନା ଟାଙ୍କିରେ ଏହିସବୁ କାଗଜକୁ ଫିଙ୍ଗିଥିଲେ? ଏହି ମାମଲାରେ ଆଉ କାହାର ହାତ ଅଛି କି ନା ସେନେଇ ଗୋପାଳଙ୍କ କଲ୍ ଡିଟେଲ୍ସ ମଗାଯାଇଛି । ଏଥିସହିତ ଗୋପାଳ ୨୦ଟି ଲୋକେସନକୁ ଯାଇଥିବା ତାଙ୍କ ମୋବାଇଲକୁ ଟ୍ରାକ୍ କରିବା ପରେ ଜଣାପଡ଼ିଛି ।

Get real time updates directly on you device, subscribe now.